ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ପଜିଟିଭ ହେଲେ କ’ଣ କରିବେ? କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବେ ସେ ନେଇ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ ।

ବର୍ତ୍ତମାନ କୋଭିଡ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ବଢ଼ୁଥିବା ସଂକ୍ରମଣକୁ ଦେଖି ଲୋକେ ଭୟଭିତ ହୋଇପଡ଼ିଛନ୍ତି। କୋଭିଡକୁ ନ ଡରି ଏହାର ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। କୋଭିଡ ଲକ୍ଷଣ ଦେଖା ଦେଲେ ତୁରନ୍ତ ପରୀକ୍ଷା କରାଇନେବା ଆବଶ୍ୟକ। ରିପୋର୍ଟ ପଜିଟିଭ ଆସିବା ପରେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ସହ କୋଭିଡ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ରହିବା ଦରକାର। ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ।

୬୦ ବର୍ଷରୁ ଊର୍ଦ୍ଧ୍ଵ, ବହୁବିଧ ରୋଗରେ ପୀଡ଼ିତ, ରକ୍ତଚାପ, ମଧୁମେହ, ହୃଦ୍ ରୋଗ ଥିବା କୋଭିଡ ଆକ୍ରାନ୍ତ ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇବାକୁ ପଡ଼ିବ।

‘‘ବର୍ତ୍ତମାନ କୋଭିଡ ପାଇଁ କିଛି ଔଷଧ ରହିଛି। ଏହି ମେଡିସିନ ବର୍ତ୍ତମାନ କୋଭିଡ ଆକ୍ରାନ୍ତଙ୍କୁ ଦିଆଯାଉଛି। ହାଇରିସ୍କ ଥିବା କୋଭିଡ ଆକ୍ରାନ୍ତଙ୍କୁ ଏହି ଔଷଧ ଦେବା ଦ୍ଵାରା ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ରକ୍ଷା ପାଇପାରୁଛି’’, କହିଛନ୍ତି ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର।

କେତେବେଳେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ?

‘‘କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କର ଯଦି ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହୁଏ। ତୁରନ୍ତ ଅକ୍ସି ମିଟରରେ ଚେକ୍ କରିବେ ଏବଂ ଅକ୍ସିଜେନ ସାଚ୍ୟୁରେସନ ଲେବୁଲ ୯୩ରୁ କମ୍ ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ’’, କହିଛନ୍ତି ଡାକ୍ତର ନିରୋଜ କୁମାର ମିଶ୍ର।

କୋଭିଡ ଆକ୍ରାନ୍ତଙ୍କୁ ଜ୍ଵର ହୋଇ ୪ରୁ ୫ ଦିନ ପର୍ଯ୍ୟନ୍ତ ନକମିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନାରେ ଭିର୍ତ୍ତି ହେବା ଦରକାର। ବର୍ତ୍ତମାନ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା କୋଭିଡ ଆକ୍ରାନ୍ତ ଔଷଧ ଏବଂ ଇଂଜେକ୍ସନ ଦ୍ଵାରା ଭଲ ହୋଇପାରୁଛନ୍ତି। ଯେଉଁମାନେ ଡାକ୍ତରଙ୍କ ପରାମର୍ଶ ନେଇ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ସେମାନଙ୍କୁ ବିଶେଷ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁନାହିଁ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

‘‘କୋଭିଡର ଦ୍ଵିତୀୟ ଲହର ସମୟରେ ଆରଟିପିସିଆର ରିପୋର୍ଟ ପଜିଟିଭ ଆସିବା ପର୍ଯ୍ୟନ୍ତ ଡାକ୍ତରଙ୍କୁ ସମୟ ମିଳୁନଥିଲା ଆକ୍ରାନ୍ତଙ୍କୁ ଅକ୍ସିଜେନର ଆବଶ୍ୟକତା ରହୁଛି କି ନାହିଁ ଜାଣିବା ପାଇଁ । ଫଳରେ ଅକ୍ସିଜେନ ଅଭାବରୁ କୋଭିଡ ଆକ୍ରାନ୍ତଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ୁଥିଲା। ବର୍ତ୍ତମାନ ଓମିକ୍ରନ କ୍ଷେତ୍ରରେ ତାହା ହେଉ ନାହିଁ। ଲୋକଙ୍କର ଅକ୍ସିଜେନର ଆବଶ୍ୟକତା ପଡ଼ୁନାହିଁ କିମ୍ବା ଅବସ୍ଥା ଅଧିକ ବିଗୁଡ଼ୁ ନାହିଁ’’, କହିଛନ୍ତି ଡାକ୍ତର ନିରୋଜ କୁମାର ମିଶ୍ର।

Comment