ଓଡ଼ିଶାଲାଇଭ୍ ବ୍ୟୁରୋ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ଲାଗି ଶୁକ୍ରବାର ଶେଷ ଦିନ ଥିଲା। ଶେଷ ଦିନରେ ମୋଟ୍ ୯୪ ହଜାର ୬୦୫ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨,୧୯୧ ଜଣ, ସରପଞ୍ଚ ପାଇଁ ୧୪,୦୭୪ ଜଣ, ପଞ୍ଚାୟତ ସମିତି ସଭ୍ୟ ଲାଗି ୧୨,୫୧୨ ଏବଂ ଓ୍ଵାର୍ଡ ସଭ୍ୟ ପାଇଁ ୬୫,୮୨୮ ଜଣ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରି ୧୭ରୁ ୨୧ ତାରିଖ ୫ ଦିନ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲର ବ୍ୟବସ୍ଥା ହୋଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏହି ୪ ଦିନରେ ମୋଟ୍ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩,୯୯୯ ଜଣ, ସରପଞ୍ଚ ପାଇଁ ୩୪,୬୧୩ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଭରିଥିବା ବେଳେ ପଞ୍ଚାୟତ ସମିତି ସଭ୍ୟ ଲାଗି ୨୮,୧୫୩ ଏବଂ ଓ୍ଵାର୍ଡ ସଭ୍ୟ ପାଇଁ ୧ ଲକ୍ଷ ୬୨,୨୯୭ ଜଣ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  ପ୍ରାର୍ଥିପତ୍ର ଦାଖଲ ଶେଷ ହେବା ପରେ ଆଜି ପ୍ରାର୍ଥିପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଏହାପରେ ୨୩ ତାରିଖରେ ଯୋଗ୍ୟ ମନୋନୀତ ପାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସେହିପରି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଜାନୁଆରି ୨୫ ତାରିଖ ଅପରାହ୍‌ଣ ୩ଟା ସୁଦ୍ଧା ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ଏହାପରେ ସେହିଦିନ ନିର୍ବାଚନୀ ସଙ୍କେତ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବାହାରିବ।ରାଜ୍ୟରେ ଏଥର ମୋଟ୍ ୮୫୩ ଜିଲ୍ଲା ପରିଷଦ, ୬,୭୯୩ ସରପଞ୍ଚ, ୬,୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ଵାର୍ଡ ସଭ୍ୟ ପଦବୀ ଲାଗି ନିର୍ବାଚନ ହେବ। ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମୋଟ୍ ୫ଟି ପର୍ଯ୍ୟାୟରେ ଭୋଟ୍ ହେବ। ଏହାପରେ ଜାନୁଆରି ୨୬, ୨୭ ଏବଂ ୨୮ ତିନି ଦିନ ଧରି ବ୍ଲକ କାର୍ଯ୍ୟାଳୟରେ ଭୋଟ୍ ଗଣତି ହୋଇ ମାର୍ଚ୍ଚ ୨ ତାରିଖରେ ଫଳାଫଳ ଘୋଷଣା ହେବ।କରୋନା ପାଇଁ ଏଥର ନିର୍ବାଚନରେ କୌଣସି ପ୍ରକାର ଶୋଭାଯାତ୍ରା, ପ୍ରଚାର ଆଦି ହୋଇପାରିବ ନାହିଁ। ଡିଜିଟାଲ ମିଡିଆ ଯୋଗେ ପ୍ରଚାର କରିବାକୁ କୁହାଯାଇଛି। ସେହିପରି କେବଳ ୫ ଜଣଙ୍କୁ ନେଇ ପ୍ରାର୍ଥୀମାନେ ଡୋର୍ ଟୁ ଡୋର୍ ପ୍ରଚାର କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି।

Comment