ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଟାଉନ ଥାନା ନିକଟରୁ ସୋମବାର କୋଟି କୋଟି ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର ଜବତ ହେବା ଏବଂ ଏଥିରେ ସଂପୃକ୍ତ ବ୍ୟବସାୟୀଙ୍କ ଘରୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ସହ ୩ଟି ବନ୍ଧୁକ ଜବତ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୟାଗଡ଼ ପରି ଏକ ଛୋଟ ସହରରେ ଏତେ ବଡ଼ ଧରଣର ଅପରାଧିକ କାର୍ଯ୍ୟ ଘଟିବା ଏବଂ ତାହା ପୁଣି ଥାନା ପାଖ ଅଞ୍ଚଳରେ, ଯାହା ସମସ୍ତଙ୍କୁ ବିସ୍ମିତ କରିଛି।

ସୋମବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ନୟାଗଡ଼ ସହରର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ଲେନରେ ଥିବା ଏକ ଘର ଉପରେ ଏସଟିଏଫ ଟିମ ଚଢ଼ାଉ କରିଥିଲା। ଏଥିରୁ ଏସଟିଏଫକୁ ୪ କେଜିରୁ ଅଧିକ ଓଜନର ବ୍ରାଉନ୍ ସୁଗାର, ନଗଦ ୫୦ ଲକ୍ଷ ଟଙ୍କା ଏବଂ ୩ଟି ବନ୍ଧୁକ ମିଳିଥିଲା।ଘର ମାଲିକ ବନିତା ଦାଶ ଭୁବନେଶ୍ଵରରେ ରହୁଥିବା ବେଳେ ଘରଟିକୁ ସେ ଭଡ଼ାରେ ଦେଇଥିଲେ। ହେଲେ ପ୍ରାୟ ଦୁଇ ମାସ ହେବ ଭଡ଼ାଟିଆ ବ୍ୟକ୍ତିଙ୍କ ସଂପର୍କରେ ସ୍ଥାନୀୟ ଲୋକଙ୍କ ପାଖରେ କୌଣସି ସୂଚନା ନଥିଲା। ସେ କେଉଁଆଡ଼େ ଫେରାର ହୋଇଯାଇଥିବା କୁହାଯାଉଛି। ତେବେ ଘରେ କେବଳ ଜଣେ ମହିଳା ଏବଂ ଛୋଟ ଛୁଆଟିଏ ଥିଲେ।

ଭଡ଼ାଟିଆ ବ୍ୟକ୍ତି ଜଣକ ଘର ଖୋର୍ଦ୍ଧା ଅଞ୍ଚଳରେ। ସେ ଭୁବନେଶ୍ୱରରୁ ବ୍ରାଉନ୍ ସୁଗାର ଆଣି ନୟାଗଡ଼ ସହରରେ କାରବାର କରୁଥିବା ଏସଟିଏଫର ଉଚ୍ଚ ପଦାଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ନୟାଗଡ଼ ସହରରେ ବେଆଇନ ଭାବେ ବ୍ରାଉନ୍ ସୁଗାର କାରବାର ହେଉଥିବା ସଂପର୍କରେ ନା ପୋଲିସ ପ୍ରଶାସନ କିମ୍ବା ଜିଲ୍ଲା ଗୁଇନ୍ଦା ବ୍ୟବସ୍ଥା କାହାରି ପାଖରେ କିଛି ଖବର ନଥିଲା। ତେଣୁ ଜିଲ୍ଲାରେ ଆଇନ ଶୃଙ୍ଖଳାର ସ୍ଥିତି ଏବେ ଭଲ ନଥିବା ବୁଦ୍ଧିଜୀବିମାନେ ମତ ଦେଇଛନ୍ତି। ଅନ୍ୟପକ୍ଷେ ଏପରି ଏକ ଅପରାଧିକ ଘଟଣାର ଗମ୍ଭୀରତାକୁ ବିଚାର କରି ରାଜ୍ୟ ପୋଲିସ ପ୍ରଶାସନ ନୟାଗଡ଼ ଜିଲ୍ଲା ପୋଲିସର ଦୋଷ ତ୍ରୁଟିକୁ ଅନୁସନ୍ଧାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comment