ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ ସଂକ୍ରମଣ ଜାରି ରହିଥିବାରୁ ଦୁଇ ବର୍ଷ ହେଲା କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଫଳରେ ସ୍କୁଲ ବାରଣ୍ଡା ମାଡ଼ି ପାରିନଥିଲେ ଛୋଟ ପିଲା। ବର୍ତ୍ତମାନ କୋଭିଡର ତୃତୀୟ ଲହର ଶେଷ ହେବାକୁ ଆସୁଛି। ରାଜ୍ୟରେ କୋଭିଡ ସଂକ୍ରମଣ ହାର ମଧ୍ୟ କମିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଏବଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୪ ତାରିଖ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଗୁରୁବାର ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

school-college

ରାଜ୍ୟରେ କୋଭିଡ ପରିସ୍ଥିତି ଯୋଗୁଁ ସ୍କୁଲ ଏବଂ କଲେଜ ବନ୍ଦ ରହିଥିଲା। ପରିସ୍ଥିତିକୁ ଦେଖି ଦଶମରୁ ଊର୍ଦ୍ଧ୍ଵ ସ୍କୁଲ ଏବଂ କଲେଜ ଖୋଲା ଯାଉଥିଲେ ମଧ୍ୟ ଛୋଟ ପିଲାଙ୍କ ସ୍କୁଲ ଖୋଲୁନଥିଲା। ଫଳରେ ସ୍କୁଲରେ ନାମ ଲେଖାଇବା ଯୋଗ୍ୟ ହୋଇଥିବା ଅଧିକାଂଶ ପିଲା ନାମ ଲେଖାଇ ପାରିନାହାନ୍ତି। ଯେଉଁମାନେ ନାମ ଲେଖାଇଛନ୍ତି ସେମାନେ ସ୍କୁଲ ନଯାଇ ଅନଲାଇନରେ ପାଠପଢ଼ୁଛନ୍ତି। ସ୍କୁଲ ବନ୍ଦ ଯୋଗୁଁ ଦୁଇ ବର୍ଷ ମଧ୍ୟରେ ପିଲାଙ୍କ ପାଠପଢ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି। ସ୍କୁଲ ଖୋଲିବାକୁ ବିଭିନ୍ନ ମହଲରୁ ଦାବି ହେବା ପରେ ପରିସ୍ଥିତିକୁ ଦେଖି ସରକାର ସ୍କୁଲ ଖୋଲିବାକୁ ଏବେ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ୧୪ ତାରିଖରେ ସ୍କୁଲ ଖୋଲିବା ପରେ କେଜିରୁ ସପ୍ତମ ଶ୍ରେଣୀର ପିଲା ସ୍କୁଲ ଯିବେ। ଦୁଇ ବର୍ଷ ମଧ୍ୟରେ ନାମ ଲେଖାଇଥିବା ଛୋଟ ପିଲା ଏବେ ନୂଆ କରି ସ୍କୁଲ ଦେଖିବେ। କୋଭିଡର ସମସ୍ତ ନିୟମ ପାଳନ କରି ସ୍କୁଲ ଖୋଲାଯିବ। ସ୍କୁଲ ପରିସର ସଫାସୁତର କରିବା ସହ ନିମୟମିତ ବ୍ୟବଧାନରେ ସାନିଟାଇଜ କରାଯିବ। ପିଲାଙ୍କୁ ଦୂରତା ରକ୍ଷା କରି ବସାଇବା ସହ ମାସ୍କ ଏବଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସ୍କୁଲ ଖୋଲିବା ପରେ ପିଲାମାନଙ୍କ ପାଇଁ ଉଭୟ ଅନଲାଇନ ଏବଂ ଅଫ୍ଲାଇନ କ୍ଲାସ କରିବାର ବ୍ୟବସ୍ଥା ରହିବ। ପିଲାମାନେ ଚାହିଁଲେ ସ୍କୁଲ ନଯାଇ ଅନଲାଇନ କ୍ଲାସ କରିପାରିବେ। କେଜିରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କ୍ଲାସ ପ୍ରମୋସନ ପରୀକ୍ଷା କରାଯିବ। କ୍ଲାସ ପ୍ରମୋସନ ପରୀକ୍ଷା ଉଭୟ ଅନ୍‌ଲାଇନ ଏବଂ ଅଫ୍ ଲାଇନରେ ଦେଇପାରିବେ ଛାତ୍ରଛାତ୍ରୀ।

Comment