ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ପ୍ରବେଶ ପାଇଁ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଡବଲ ଡୋଜ ଟିକା ସାର୍ଟିଫିକେଟ ସହ ଭୋଟର ଏବଂ ଆଧାରକାର୍ଡ ସାଙ୍ଗରେ ନେବାକୁ ବାଧ୍ୟତାମୂଳକ କରାଯାଇଥିଲା। ନୂଆ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଫେବ୍ରୁଆରି ୨୧ ତାରିଖ ପରେ ବିନା ଟିକା ସାର୍ଟିଫିକେଟରେ ଶ୍ରୀମନ୍ଦିର ପ୍ରବେଶ କରିପାରିବେ ସାଧାରଣ ଭକ୍ତ। ସୋମବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଅଧିକାଂଶ ଲୋକ ଡବଲ ଡୋଜ ଟିକା ନେଇ ସାରିଥିବାରୁ ଏହି ଭଳି ନିଷ୍ପତ୍ତି ହୋଇଥିବା କୁହାଯାଇଛି।

ରାଜ୍ୟରେ ଧୀରେ ଧୀରେ କୋଭିଡ ସଂକ୍ରମଣ କମିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟମକୁ କୋହଳ କରୁଛନ୍ତି। ଏବେ ଶ୍ରୀମନ୍ଦିର ପ୍ରବେଶ ଉପରେ ରହିଥିବା କଟକଣାକୁ କୋହଳ କରାଯାଇଛି। ଆସନ୍ତା ୨୧ ତାରିଖ ପରଠାରୁ ବିନା କୋଭିଡ ଟିକା ସାର୍ଟିଫିକେଟରେ ତିନିଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କୁ ଅନୁମତି ମିଳିଛି। ମନ୍ଦିର ପ୍ରବେଶ ସମୟରେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଭକ୍ତଙ୍କୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ କୋଭିଡ ସଂକ୍ରମଣ ହାର ବଢ଼ୁଥିବାରୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିଥିଲା। ପରେ କୋଭିଡ ସ୍ଥିତିରେ ସୁଧାର ଆସିବାରୁ ଚଳିତ ମାସ ୧ ତାରିଖଠାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାଯାଇଥିଲା।

କୋଭିଡ ନିୟମ ପାଳନ କରି ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଥିଲା। ଡବଲ ଡୋଜ ଟିକା ପ୍ରମାଣପତ୍ର ନଥିଲେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଥିଲା। ଏହା ସହ ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର ସାଙ୍ଗରେ ଆଣିବାକୁ ବାଧ୍ୟତାମୂଳକ କରାଯାଇଥିଲା।

Comment