ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକଙ୍କ ସମସ୍ୟା ଦେଖି ନିରବଦ୍ରଷ୍ଟା ସାଜିଛି ନୟାଗଡ଼ ପୌରପରିଷଦ। ନର୍ଦ୍ଦମା ପାଣି ସହରାଞ୍ଚଳର ଯାତାୟତ ରାସ୍ତାରେ ଜମି ରହୁଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଜିଲ୍ଲାପାଳ ପୌରାଞ୍ଚଳର ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀ ଦାୟିତ୍ୱରେ ରହିଛନ୍ତି। ତଥାପି ସମସ୍ୟାର ସମାଧାନ କରାନଯିବା ସାଧାରଣ ଜନତାଙ୍କୁ ବ୍ୟଥିତ କରିଛି।

ନୟାଗଡ଼ ସହରରେ ପରିମଳ ଓ ସ୍ୱାସ୍ଥ୍ୟକର ପରିବେଶ ତଥା ପରିଚ୍ଛନ୍ନତା ରକ୍ଷା କରିବାରେ ସ୍ଥାନୀୟ ପୌରାଞ୍ଚଳ କର୍ତ୍ତୃପକ୍ଷ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ସହର ମୁଖ୍ୟ ଛକ କଡ଼ କେସି କ୍ଳବ ଏବଂ ଜୁବଲି ମାର୍କେଟ ନିକଟ ରାସ୍ତାରେ ନର୍ଦ୍ଧମା ପାଣି ଜମି ରହୁଛି। ମାସ ମାସ ଧରି ରାସ୍ତା ଉପରେ ଜମି ରହୁଥିବା ନର୍ଦ୍ଧମା ପାଣିରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକ ଡାକ୍ତରଖାନା, ପୋଲିସ ପଡ଼ିଆ ଦେଇ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ଅନ୍ୟ ଅଞ୍ଚଳକୁ ଯାତାୟତ କରିଥାନ୍ତି।

ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସମ୍ପୃକ୍ତ ଅଞ୍ଚଳର କେତେ ଜଣ ଦୋକାନୀ କହିଛନ୍ତି। ଖୋଦ ଜିଲ୍ଲାପାଳ ପୌରାଞ୍ଚଳର ସ୍ୱତନ୍ତ୍ର ପ୍ରଶାସନିକ ଅଧିକାରୀ ଦାୟିତ୍ୱରେ ଥିଲେ ମଧ୍ୟ ଏଦିଗରେ ଧ୍ୟାନ ନଦେବା ଦୁର୍ଭାଗ୍ୟର କଥା ବୋଲି ସହରର ସଚେତନ ନାଗରିକ ପ୍ରଶାନ୍ତ କୁମାର ଆଚାର୍ଯ୍ୟ କହିଛନ୍ତି।

“ସହରର ବିଭିନ୍ନ ସ୍ଥାନରେ ଅଳିଆ ଅବର୍ଜନା ଗଦା ହୋଇ ପଡ଼ିରହୁଛି। ନାଳ ନର୍ଦ୍ଦମା ସଫେଇ କରାଯାଉ ନାହିଁ କିମ୍ବା ମଶା ମାରିବାକୁ ବ୍ୟବସ୍ଥା କରାଯାଉନାହିଁ। ସହରାଞ୍ଚଳରେ ଲୋକେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି, କିନ୍ତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଚିନ୍ତାର ବିଷୟ”, କହିଛନ୍ତି ନୟାଗଡ଼ର ଆଇନଜୀବୀ ତପନ କୁମାର ନାୟକ।

ଜୁବଲି ମାର୍କେଟ ରାସ୍ତାରେ ନାଳ ପାଣି ଜମା ହୋଇ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଖବର ମିଳିଛି। ଏହାର ସ୍ଥାୟୀ ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର।

Comment