ଓଡ଼ିଶାଲାଇଭ ବ୍ୟୁରୋ

ୟୁକ୍ରେନ ଉପରେ ରୁଷର ଏହା ପ୍ରଥମ ଆକ୍ରମଣ ନୁହେଁ, ୨୦୧୪ରେ ବି ୟୁକ୍ରେନ ମାଟିକୁ ରକ୍ତରଞ୍ଜିତ କରିଥିଲା ରୁଷ। ଏହି ଯୁଦ୍ଧରେ ପ୍ରାଣ ହରାଇଥିଲେ ୧୪ ହଜାର ନାଗରିକ।

ରୁଷ୍-ୟୁକ୍ରେନ ଲଢ଼େଇ ଉପରେ ସମଗ୍ର ବିଶ୍ୱର ନଜର। ଅର୍ଥନୀତିର ଜଗତୀକରଣ ପରେ ଯେକୌଣସି ସ୍ଥାନରେ ବି ଲଢ଼େଇ ହେଉ ନା କାହିଁକି, ଏହା ଦ୍ଵାରା ସମଗ୍ର ବିଶ୍ୱ ପ୍ରଭାବିତ ହୁଏ। ଅନ୍ୟ ଦେଶଗୁଡ଼ିକ ଉପରେ ମଧ୍ୟ କୂଟନୈତିକ ଓ ରାଜନୈତିକ ଚାପ ବି ବଢ଼େ। ଏ ପରିସ୍ଥିତିରେ କେହି ପ୍ରତ୍ୟକ୍ଷ ଯୁଦ୍ଧ ଚାହୁଁ ନାହାନ୍ତି। କିନ୍ତୁ କାହିଁକି ରୁଷ ଓ ୟୁକ୍ରେନ୍ ଭିତରେ ଏହି ଲଢ଼େଇ? କାହିଁକି ଏ ବିବାଦ ପାଇଁ ଅସ୍ତ୍ର ଉଠାଇବାକୁ ପଡ଼ିଲା। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପନ୍ନ କରିବାକୁ ଏ ପଦକ୍ଷେପ କାହିଁକି ନେଲା ରୁଷ। ଏ ସବୁ ଜାଣିବା ପାଇଁ ୩୦ ବର୍ଷ ତଳକୁଯିବାକୁ ପଡ଼ିବ। ନାଟୋକୁ ନେଇ ନାଟ ଆରମ୍ଭ ହୋଇଛି। ଆଉ ଏହାର କେବେ ଜବନୀକା ପଡ଼ିବ, ତାର ଉତ୍ତର କାହା ପାଖରେ ନାହିଁ।

ବିଭାଜନରେ ବିବାଦର ମଞ୍ଜି

୧୯୯୧ ମସିହାରେ ସୋଭିଏତ ରୁଷର ବିଭାଜନ ହୋଇଥିଲା। ସମାଜବାଦର ଏକ ବିଶାଳ ସାମ୍ରାଜ୍ୟର ବିଭାଜନ ଦିନ ହିଁ ବିବାଦର ମଞ୍ଜି ପୋତାଯାଇଥିଲା। ସୋଭିଏତ ରୁଷର ଏକ ବିଶାଳ ଭୂଖଣ୍ଡ ରୁଷର ପରିଚୟ ବଜାୟ ରଖିଲା। ବାକି ୧୪ଟି ଛୋଟବଡ଼ ଦେଶ ସ୍ୱାଧୀନ ହୋଇଗଲେ। ପୂର୍ବ ପଟକୁ ଥିବା କିଛି ଦେଶଗୁଡ଼ିକର ଦୁର୍ବଳତା ରୁଷ ପ୍ରତି ରହିଲା। କିନ୍ତୁ ପଶ୍ଚିମ ପଟକୁ ଥିବା ୟୁକ୍ରେନର ଦୁର୍ବଳତା ମୂଳରୁ ହିଁ ପାଶ୍ଚାତ୍ୟ ଦେଶ ବ୍ରିଟେନ ଓ ବିଶେଷ କରି ଆମେରିକା ପ୍ରତି ରହିଆସିଛି।

ସୋଭିଏତ ବିଭାଜନ ପରେ ଛୋଟ ଦେଶଗୁଡ଼ିକ ନାଟୋରେ ମିଶିବାରେ ଲାଗିଲେ। ରୁଷର ପ୍ରଭାବ ସେ ଦେଶଗୁଡ଼ିକ ଉପରୁ ହ୍ରାସ ପଇବାରେ ଲାଗିଥିଲା। କିନ୍ତୁ ଯେତେବେଳେ ୟୁକ୍ରେନ ନାଟୋ ସଂଗଠନର ସଦସ୍ୟତା ପାଇଁ ଆବେଦନ କଲା ସେତେବେଳେ ରୁଷକୁ ଝଟକା ଲଗିଥିଲା। କାରଣ ୟୁକ୍ରେନ ନାଟୋରେ ମିଶିଲେ, ରୁଷର ସୀମାନ୍ତ ପର୍ଯ୍ୟନ୍ତ ନାଟୋ ବିସ୍ତାରିତ ହୋଇଯିବ। ଏହା ସାର୍ବଭୌମତ୍ୱ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ରୁଷର ବିଚାର।

କ୍ରେମିୟା ଦଖଲ

ନାଟୋର ବିସ୍ତାରିତ ନୀତି ଓ ସାର୍ବଭୌମତ୍ୱ ପ୍ରତି ବିପଦ ଆଶଙ୍କା କରି ରୁଷ ୨୦୧୪ରେ କ୍ରେମିୟାକୁ ଦଖଲ କରିଥିଲା। ଏହା ଛଡ଼ା ନାଟୋର ନଜର ୟୁକ୍ରେନ ଉପରେ ରହିଆସିଛି। ୨୦୦୮ରୁ ୟୁକ୍ରେନ ଓ ଜର୍ଜିଆକୁ ନାଟୋର ସଦସ୍ୟ ଭାବେ ଗ୍ରହଣ କରିବା ପାଇଁ ଆମେରିକା ଉଦ୍ୟମ କରିଆସୁଛି। ନାଟୋର ଏହି ଉଦ୍ୟମ ରୁଷକୁ କ୍ଷୁବ୍ଧ କରିଥିଲା। କ୍ରେମିୟାକୁ ଦଖଲ କରି ଏହାର ନାଟୋରେ ସାମିଲ ହେବା ଭୟକୁ ଦୂର କରିଦେଇଥିଲା ରୁଷ। କିନ୍ତୁ ୟୁକ୍ରେନକୁ ନେଇ ଆଶଙ୍କା ବଳବତ୍ତର ରହିଥିଲା। ଯେତେବେଳେ ୨୦୨୧ ଶେଷରେ ନାଟୋର ସଦସ୍ୟତା ପାଇଁ ୟୁକ୍ରେନ୍ ଆବେଦନ କଲା, ତା ପରଠାରୁ ରୁଷ ଚରମ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା।

ନାଟୋ କଣ

ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେନସ-ନାଟୋ ପାଶ୍ଚାତ୍ୟ ଦେଶଗୁଡ଼ିକର ମିଳିତ ସଂଗଠନ। ୧୯୪୯ ମସିହାରେ ଆମେରିକା ସମେତ ୭ଟି ଦେଶକୁ ନେଇ ଗଠିତ ଏହି ସଂଗଠନରେ ଏବେ ୩୦ ସଦସ୍ୟ। ରୁଷ ବିଭାଜନରୁ ସୃଷ୍ଟି ଅନେକ ଛୋଟ ଦେଶ ମଧ୍ୟ ଏଥିରେ ସଦସ୍ୟ ଅଛନ୍ତି। ନାଟୋ ସଦସ୍ୟ ଦେଶ ଉପରେ ଯଦି ବାହ୍ୟ ଆକ୍ରମଣ ହୁଏ ତେବେ ଏହି ୩୦ ଦେଶର ମିଳିତ ସେନା ପ୍ରତିରୋଧ କରିବେ ବୋଲି ଚୁକ୍ତିରେ ଉଲ୍ଲେଖ ରହିଛି। ରୁଷରୁ ଅଲଗା ହୋଇଥିବା ବୁଲଗେରିଆ, ଇସ୍ତୋନିଆ, ଲାଟଭିଆ, ରୋମାନିଆ, ଲିଥୁଆନିଆ, ସ୍ଲୋଭାକିଆ, ସ୍ଲୋମାନିଆ ନାଟୋର ସଦସ୍ୟତା ଗ୍ରହଣ କରିସାରିଛନ୍ତି। ଏବେ ଯଦି ୟୁକ୍ରେନ ଏହାର ସଦସ୍ୟ ହୁଏ ତେବେ ନାଟୋର ପ୍ରବେଶ ରୁଷ ସୀମାନ୍ତ ପର୍ଯ୍ୟନ୍ତ ବିସ୍ତାରିତ ହେବ। ନାଟୋ ସୈନିକମାନେ ରୁଷର ସୀମାନ୍ତରେ ଠୁଳ ହେବାର ସୁଯୋଗ ରହିବ।

ନାଟୋ ସେନା ମୁତୟନ

ରୁଷରୁ ଅଲଗା ହୋଇଥିବା କେତେକ ଦେଶ ନାଟୋର ସଦସ୍ୟତା ହାସଲ କରିବା ପରେ ସେଠାରେ ଆମେରିକା ଓ ନାଟୋର ସୈନିକ ମୁତୟନ ହୋଇସାରିଛନ୍ତି। ଇସ୍ତୋନିଆରେ ୧୧୫୦ ନାଟୋ ଓ ଆମେରିକୀୟ ସୈନ୍ୟ ମୁତୟନ ହୋଇଛନ୍ତି। ସେହିପରି ଲାଟିଭିଆରେ ୧୬୫୦, ରୋମାନିଆରେ ୫୦୦ ଓ ବୁଲଗେରିଆରେ ୪୦୦ ସୈନିକ ମୁତୟନ ହୋଇଛନ୍ତି। ନାଟୋ ଓ ରୁଷ ମଧ୍ୟରେ ଯଦି ପାଚେରୀ ଥାଏ ତାହା ହେଉଛି ୟୁକ୍ରେନ୍ ଓ ବେଲାରୁଷ।

ୟୁକ୍ରେନ ଉପରେ ନଜର କାହିଁକି

ଖାଲି ସାର୍ବଭୌମତ୍ୱ ଏକମାତ୍ର ପ୍ରସଙ୍ଗ ନୁହେଁ। ଅର୍ଥନୈତିକ ଆକାଂକ୍ଷା ମଧ୍ୟ ରହିଛି ରୁଷର। ୟୁକ୍ରେନ କୃଷି, ଶିଳ୍ପ ଓ ମାନବସମ୍ବଳ ପାଇଁ ସମୃଦ୍ଧ। ଡାକ୍ତରୀ ଶିକ୍ଷାର ଏକ ବଡ଼ ହବ୍ ୟୁକ୍ରେନ୍। ଏହାଛଡ଼ା ଏଠାକାର ମାନବସମ୍ବଳ ଉପରେ ସବୁ ବେଳେ ରୁଷର ନଜର ରହିଆସିଛି। ମାତ୍ର ରାଜନୈତିକ ବିଭେଦ, ଆମେରିକା ଓ ବ୍ରିଟେନ ପ୍ରତି ଅନ୍ତରଙ୍ଗ ସମ୍ପର୍କ ପାଇଁ ୟୁକ୍ରେନର ଅଧିକାଂଶ ମାନବ ସମ୍ବଳ ଆମେରିକା ଓ ୟୁରୋପକୁ କର୍ମସଂସ୍ଥାନ ଅନ୍ୱେଷଣରେ ଯାଆନ୍ତି। ଏହା ବାଦ ୟୁକ୍ରେନ ନାଟୋରେ ସାମିଲ ହେଲେ ରୁଷ ସବୁ ଦିଗରୁ ନାଟୋର ଘେରାବନ୍ଦୀ ହୋଇ ରହିବ। ବାଣିଜ୍ୟିକ କାରବାର ପାଇଁ କୃଷ୍ଣସାଗର ମଧ୍ୟ ରୁଷ ପାଇଁ ଅପହଞ୍ଚ ହୋଇଯିବ।

୨୦୧୪ ଆକ୍ରମଣ

ୟୁକ୍ରେନ ଉପରେ ରୁଷର ଏହା ପ୍ରଥମ ଆକ୍ରମଣ ନୁହେଁ। ୨୦୧୪ରେ ମଧ୍ୟ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ବିଦ୍ରୋହୀ ସହଯୋଗୀଙ୍କ ଦ୍ୱାରା ସେଠାରେ ରୁଷ ଅଶାନ୍ତି ସୃଷ୍ଟି କରିଥିବା ୟୁକ୍ରେନ ଅଭିଯୋଗ କରିଆସୁଛି। ସେଠାରେ ରୁଷର ସମର୍ଥକ ଭିକ୍ଟର ଜାନୁକୋଭିଚ ରାଷ୍ଟ୍ରପତି ଥିଲେ। କିନ୍ତୁ ତାଙ୍କୁ ବିତାଡ଼ିତ କରାଯାଇଥିଲା। ଠିକ୍ ସେହି ସମୟରେ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ୟୁକ୍ରେନର ଦୋନବାସରେ ବିଦ୍ରୋହୀ ଓ ସେନା ମଧ୍ୟରେ ସଂଘର୍ଷ ପାଇଁ ୧୪ ହଜାର ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ବିଦ୍ରୋହୀଙ୍କୁ ରୁଷ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଦେଇଥିଲା ବୋଲି ୟୁକ୍ରେନ ଅଭିଯୋଗ କରିଆସୁଛି। କିନ୍ତୁ ରୁଷ ଏହାକୁ ଅସ୍ୱୀକାର କରିଆସୁଛି।

 

କିଏ କାହା ସପକ୍ଷରେ

ୟୁରୋପୀୟ ସମୂହକୁ ଛାଡ଼ିଦେଲେ ନାଟୋର ସହଯୋଗୀ ରାଷ୍ଟ୍ର ୟୁକ୍ରେନ ସପକ୍ଷରେ ଅଛନ୍ତି। ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଜାପାନ, ଆୟାରଲ୍ୟାଣ୍ଡ, ଲକ୍ସେମବର୍ଗ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, କାନାଡ଼ା, ଅଷ୍ଟ୍ରେଲିଆ ମଧ୍ୟ ୟୁକ୍ରେନ ସପକ୍ଷରେ ରହିଛନ୍ତି। ତେବେ ବେଲାରୁଷ, ତାଜାକିସ୍ଥାନ, କିରଗିଜସ୍ଥାନ, କ୍ୟୁବା, ଆର୍ମେନିଆ, ଚୀନ ରୁଷ ସମର୍ଥନରେ ରହିଛନ୍ତି। ଏମାନେ ନାଟୋର ବିସ୍ତାରବାଦୀ ନୀତିକୁ ବିରୋଧ କରିଆସୁଛନ୍ତି। ଭାରତ କିନ୍ତୁ ନିରପେକ୍ଷ ରହିବା ସହ ଯୁଦ୍ଧ ପରିସ୍ଥିତିର ଅବସାନ ପାଇଁ ଅନୁରୋଧ କରିଛି।

LEAVE A REPLY

Please enter your comment!
Please enter your name here