ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗର୍ଭବତୀ ମା’ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’

ଫାଇଲେରିଆ ବା ବାତ ଜ୍ୱର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଯୋଡ଼ି ହୋଇଛି। ସେହିପରି ଗର୍ଭବତୀ ମା’ଓ ଶିଶୁଙ୍କୁ ଟିକା ଦେବା ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଆରମ୍ଭ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ଦୁଇଟି କାର୍ଯ୍ୟକ୍ରମ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୭, ୮ ଓ ୯ ତାରିଖ – ତିନି ଦିନ ଧରି ଚାଲିବ। ଏହି ସମୟ ଭିତରେ ଯେଉଁମାନେ ଔଷଧ ସେବନରୁ କୌଣସି କାରଣରୁ ବଞ୍ଚିତ ରହିଥିବେ ସେମାନଙ୍କ ପାଇଁ ୧୬ ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ। ଏହି କାର୍ଯ୍ୟକ୍ରମ ବେଳେ କୋଭିଡ୍ ନିୟମକୁ ସଠିକ୍ ଭାବେ ପାଳନ କରାଯିବ ବୋଲି ଡାକ୍ତର ମିଶ୍ର ଅନୁରୋଧ କରିଛନ୍ତି।ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୭,୬୮୦ ଜଣ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହିତ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି। ସେମାନେ ଘରକୁ ଘର ବୁଲି ଉପଯୁକ୍ତ ହିତାଧିକାରୀଙ୍କୁ ଡିଇସି ଏବଂ କୃମିନାଶକ ଆଲବୋଣ୍ଡାଜୋଲ୍ ବଟିକା ଖୁଆଇବେ। କେବଳ ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ରୋଗୀମାନଙ୍କୁ ଏହି କାର୍ଯ୍ୟକ୍ରମରୁ ବାଦ୍ ଦିଆଯାଇଛି।

‘‘ବାତଜ୍ୱର ନିରାକରଣ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ବର୍ଷ ଏହି କାର୍ଯ୍ୟକ୍ରମ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହାକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସମସ୍ତ ଜନସାଧାରଣଙ୍କ ସହଯୋଗ ରହିଲେ ଆମ ଜିଲ୍ଲା ବାତଜ୍ୱରମୁକ୍ତ ହୋଇପାରିବ’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ୭୦୦ ସୁପରଭାଇଜରଙ୍କୁ ସାମିଲ କରାଯାଇଛି। ଏହି ଔଷଧ ଖାଇବା ପରେ ଯଦି କୌଣସି ବ୍ୟକ୍ତିଙ୍କର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ ତାହାଲେ ସେମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ଲାଗି ୭୪ଟି ଟିମ୍ ଗଠନ କରାଯାଇଥିବା ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି।ସେହିପରି ଗର୍ଭବତୀ ମହିଳା ଏବଂ ଜନ୍ମରୁ ୨ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କର ଟିକାକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ୭ରୁ ‘ମିଶନ ଇନ୍ଦ୍ରଧନୁସ୍’କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଯେଉଁ ଶିଶୁ ବା ଗର୍ଭବତୀ ମା’ମାନେ କୌଣସି କାରଣରୁ ଟିକା ନେଇପାରି ନଥିବେ ସେମାନଙ୍କ ଟିକାକରଣ ଲାଗି ଏଭଳି ପଦକ୍ଷେପ ନିଆଯାଇଛି।

ଏହି ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାରେ ପ୍ରାୟ ୯୦୦ ଶିଶୁ ଏବଂ ୨୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବ। ଏଥିପାଇଁ ୪୦୦ରୁ ଅଧିକ ସେସନ୍ କରାଯିବ। ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର ଶକ୍ତି ପ୍ରସାଦ ପାଢୀ, ଡିପିଏମ୍ ଶଙ୍କର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Comment