ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ଼ ଟିକା। ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ କରାଯିବ। ଏହା ସହ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ବୁଷ୍ଟର ଡୋଜ ବା ପ୍ରିକସନ ଡୋଜ୍ ଦିଆଯିବ। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ସୂଚନା ଦେଇଛନ୍ତି। ଭ୍ୟାକ୍ସିନ ଲଗାଇବାକୁ ସ୍ଵାସ୍ଥ୍ୟମନ୍ତ୍ରୀ ପିଲାଙ୍କ ପରିବାର ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ନିବେଦନ କରିଛନ୍ତି।

ଦେଶରେ ଗତ ୩ ଜାନୁଆରୀ ୨୦୨୨ରୁ ପ୍ରଥମ ଥର ପାଇଁ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କୋଭିଡ ଟିକା ଦିଆଯାଇଥିଲା। ଟିକା ନେଇଥିବାରୁ ବଡ଼ ପିଲାଙ୍କ ସ୍କୁଲ ଖୋଲିବାକୁ ମଧ୍ୟ ସହଜ ହୋଇଥିଲା। ଏବେ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କ ଟିକାକରଣ କରାଯିବା ପରେ ଅଭିଭାବକଙ୍କୁ ଆଉ ଚିନ୍ତିତ ହେବାକୁ ପଡ଼ିବ ନାହିଁ।

ଏହା ପୂର୍ବରୁ ଭାରତୀୟ ଔଷଧ ନିଆମକ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସଆଇଆଇ)ର କୋଭିଡ ଟିକା ‘କୋର୍ଭୋଭାକ୍ସ’ର ଜରୁରୀକାଳିନ ବ୍ୟବହାରକୁ ଅନୁମତି ମିଳିଥିଲା। ଦେଶରେ ୧୮ରୁ କମ୍ ବୟସର ପିଲାଙ୍କ ପାଇଁ ଏହା ଚତୁର୍ଥ କୋଭିଡ ପ୍ରତିରୋଧକ ଟିକା ହେବ ବୋଲି କୁହାଯାଉଛି। ବିଶେଷଜ୍ଞମାନଙ୍କ ସୁପାରିଶ କ୍ରମେ ଡିସିଜିଆଇ କୋଭାଭ୍ୟାକ୍ସର ଜରୁରୀକାଳିନ ବ୍ୟବହାରକୁ ଅନୁମତି ପ୍ରଦାନ କରିଛି।

Tag: #Covid19 #CoronaVirus #CovidVaccine #ChildVaccinationInIndia

Comment