ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ସକାଳୁ ଆରମ୍ଭ ହୋଇଛି ୧୨ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ। ୨୦୧୦ ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ପିଲାଙ୍କୁ ଏହି କୋଭିଡ ଟିକା ଦିଆଯାଉଛି। ଜନ୍ମ ପ୍ରମାଣ ପତ୍ର ଦେଖାଇବା ପରେ ଟିକା ନେଉଛନ୍ତି ଏହି ବର୍ଗର ପିଲା। କୋଭିଡ ଟିକା ନେଇଥିବା ପିଲାମାନଙ୍କୁ ୨୮ ଦିନ ବ୍ୟବଧାନରେ ଦ୍ଵିତୀୟ ଡୋଜ ଦିଆଯିବ।

୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ ଲାଗି ଉଭୟ ଅନଲାଇନ ଏବଂ ଅଫ୍‌ଲାଇନ ପଞ୍ଜୀକରଣ ସୁବିଧା ରହିଛି। କିନ୍ତୁ ବର୍ତ୍ତମାନ ଅନଲାଇନର ସୁବିଧା ହୋଇନଥିବାରୁ ଜନ୍ମ ପ୍ରମାଣ ପତ୍ର ଦେଖାଇ ଟିକା ନେଇଛନ୍ତି ୧୨ରୁ ୧୪ ବର୍ଷର ପିଲାମାନେ। ରାଜ୍ୟରେ ମୋଟ ୧୫ ଲକ୍ଷ ୨୧ ହଜାର ପିଲା କୋଭିଡ ଟିକା ନେବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ୧୫ ଲକ୍ଷ ୪୭ ହଜାର ଟିକା ଆସିଛି।

ପଞ୍ଜୀକରଣ ପାଇଁ କୋଓ୍ଵିନ ଆପ୍‌ରେ ସୁବିଧା ନଥିବାରୁ ଏହି ଆପ୍ ଅପଡେଟ ହେବା ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକରେ ଜନ୍ମ ପ୍ରମାଣ ପତ୍ର ଦେଖାଇ ପିଲାମାନେ ଟିକା ନେଇପାରିବେ ବୋଲି ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଏହା ସହ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଆଜି ପ୍ରିକସନ ଡୋଜ ଦିଆଯାଇଛି। ରାଜ୍ୟରେ ୧୮ରୁ ଊର୍ଦ୍ଧ୍ଵ ୬ କୋଟି ୨୦ ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ କୋଭିଡ ଟିକା ନେଇସାରିଛନ୍ତି। ଏହା ସହ ୧୫-୧୮ ବର୍ଷର ୮୦ ପ୍ରତିଶତ ପିଲାଙ୍କର ପ୍ରଥମ ଡୋଜ ଟିକାକରଣ ହୋଇସାରିଛି।

ମାର୍ଚ୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ କରାଯିବ। ଏହା ସହ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ବୁଷ୍ଟର ଡୋଜ ବା ପ୍ରିୟକସନ ଡୋଜ୍ ଦିଆଯିବା ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଗତ ୧୪ ତାରିଖରେ ସୂଚନା ଦେଇଥିଲେ।

ଦେଶରେ ଗତ ୩ ଜାନୁଆରୀ ୨୦୨୨ରୁ ପ୍ରଥମ ଥର ପାଇଁ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ କୋଭିଡ ଟିକା ଦିଆଯାଇଥିଲା। ଟିକା ନେଇଥିବାରୁ ବଡ଼ ପିଲାଙ୍କ ସ୍କୁଲ ଖୋଲିବାକୁ ମଧ୍ୟ ସହଜ ହୋଇଥିଲା। ଏବେ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କ ଟିକାକରଣ କରାଯିବା ପରେ ଅଭିଭାବକଙ୍କୁ ଆଉ ଚିନ୍ତିତ ହେବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Tag: #Covid19  #CovidVaccine #VaccinationForChild

Comment