ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଅପହରଣ ଏବଂ ହତ୍ୟାକାଣ୍ଡ ମାମଲାରେ ନୂଆ ଟୁଇଷ୍ଟ ଆସିଛି। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏହି ଜଘନ୍ୟ ହତ୍ୟାକାଣ୍ଡରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ (ଟେକନିକାଲ) ନିରଞ୍ଜନ ସେଠୀ ଫସିଛନ୍ତି।

ନିରଞ୍ଜନଙ୍କ ସହ ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ପୋଲିସ ଗିରଫ କରିଥିବା ଭଦ୍ରକର ଅତିରିକ୍ତ ଏସପି ଯତୀନ ପଣ୍ଡା ସୂଚନା ଦେଇଛନ୍ତି। ଉଭୟଙ୍କୁ କୋର୍ଟରେ ହାଜର ପରେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ମାନସଙ୍କୁ ଅପହରଣଠୁ ଆରମ୍ଭ କରି ହତ୍ୟା କରି ତାଙ୍କ ଶବ ପୋତିବା ପର୍ଯ୍ୟନ୍ତ ଏହି ସରକାରୀ ବାବୁ ନିରଞ୍ଜନଙ୍କ ହାତ ରହିଥିଲା ବୋଲି ଭଦ୍ରକ ପୋଲିସ ସ୍ପଷ୍ଟ କରିଛି।

ମେମୋରି ଚିପ୍‌ ପାଇଁ ସବୁ ନାଟ!

ଓଡ଼ିଶା ଇନଫରମେସନ ସର୍ଭିସ (ଓଆଇଏସ) ଅଧିକାରୀ ନିରଞ୍ଜନ ସେଠୀ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଦୀର୍ଘ ଦିନ ଧରି ଚାକିରି କରିଥିଲେ। ସେ ଏହି ବିଭାଗର ନିର୍ଦ୍ଦେଶକ (ଟେକନିକାଲ) ପଦବୀରେ ରହି ୨୦୨୨ ଫେବ୍ରୁଆରି ମାସ ୨୮ ତାରିଖରେ ଚାକିରିରୁ ଅବସର ନେଇଥିଲେ। ତାଙ୍କ ଅବସରକୁ ମାତ୍ର ୨୦ ଦିନ ପୂରଣ ନହେଉଣୁ ଏକ ଜଘନ୍ୟ ହାତ୍ୟାକାଣ୍ଡରେ ସେ ଗିରଫ ହୋଇଛନ୍ତି।

‘‘ହତ୍ୟା ଯୋଜନା କରିବା, ଘଟଣାସ୍ଥଳରେ ମାଡ଼ ମାରିବା ଏବଂ ଶବ ପୋତିବା ଭଳି ସଙ୍ଗୀନ ଅଭିଯୋଗରେ ନିରଞ୍ଜନଙ୍କୁ ଗିରଫ କରାଯାଇଛି। ଗୋଟିଏ ମେମୋରି ଚିପକୁ ନେଇ ଏତେବଡ଼ ଘଟଣା ଘଟିଛି। ପୋଲିସ ତଦନ୍ତ ଚାଲିଛି। ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ’’, ସୋମବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଭଦ୍ରକର ଅତିରିକ୍ତ ଏସପି ଯତୀନ ପଣ୍ଡା।

ଏଠି ପ୍ରଶ୍ନ ଉଠୁଛି ଏହି ମେମୋରି ଚିପରେ କ’ଣ ରହିଛି? ଏଥିରେ କିଛି ଆପତ୍ତିଜନକ ତଥ୍ୟ ବା ଭିଡିଓ ରହିଥିଲା କି? କ୍ୟାମେରା ମ୍ୟାନ୍‌ ମାନସଙ୍କ ହାତରେ ଏହି ଚିପ୍‌ ଲାଗିଥିଲା କି? ତେବେ ଏହି ଚିପ୍‌ କୁଆଡ଼େ ଗଲା? ସାମାନ୍ୟ ଚିପକୁ କେନ୍ଦ୍ର କରି ଏତେବଡ଼ ଜଘନ୍ୟ ହତ୍ୟାକାଣ୍ଡ କିପରି ଘଟିଲା? ଏହି ଚିପ୍‌ ସହିତ ନିରଞ୍ଜନ ସେଠୀଙ୍କର କ’ଣ ସମ୍ପର୍କ ରହିଛି? ସେହିପରି ଏହି ଚିପ୍‌ ସହିତ ମାନସ ଚାକିରି କରିଥିବା ୱେବ ପୋର୍ଟାଲ ’ସମ୍ପୂର୍ଣ୍ଣା’ର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କର କିଛି ଗୁଢ଼ ସମ୍ପର୍କ ରହିଥିଲା କି?

ଘଟଣାକୁ ବ୍ୟବଛେଦ କଲେ ଆହୁରି ମଧ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି। ତାହା ହେଉଛି ଏହି ଚିପ୍‌ ଜରିଆରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ନିରଞ୍ଜନ ସେଠୀ ଏବଂ ସମ୍ପୂର୍ଣ୍ଣାର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ମଧ୍ୟରେ କୌଣସି ପ୍ରକାର ସିଧାସଳଖ ସମ୍ପର୍କ ରହିଥିଲା କି? ପୋଲିସ ହାତକୁ ଚିପ୍‌ ଆସିବା ପରେ ହୁଏତ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ଉଠି ପାରିବ। ସେହିପରି ଶର୍ମିଷ୍ଠା ରାଉତ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ନିରଞ୍ଜନଙ୍କ ଗିରଫଦାରୀ ପରେ ଶର୍ମିଷ୍ଠାଙ୍କୁ ଧରିବା ପୋଲିସ ପାଇଁ ସହଜ ହୋଇପାରେ।

କ’ଣ ଥିଲା ପୂରା ଘଟଣା

୨୦୨୨ ଫେବ୍ରୁଆରି ୭ ତାରିଖ। ଏହିଦିନ ଜଣକ ଦୋକାନରୁ କ୍ୟାମେରା ଭଡ଼ାରେ ନେଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳକୁ ଏକ ବାହାଘରର ଭିଡିଓ ସୁଟିଂ କରିବାକୁ ଯାଇଥିଲେ ମାନସ। ହେଲେ ଏହାପରେ ସେ ଆଉ ଘରକୁ ଫେରି ନଥିଲେ। ପରିବାରବର୍ଗ ମାନସଙ୍କୁ ବିଭିନ୍ନ ସ୍ଥାନରେ ଖୋଜିଥିଲେ। ଦିନ ପରେ ଦିନ ଗଡ଼ି ଚାଲିଲା ପଛେ, ହେଲେ ମାନସଙ୍କର କୌଣସି ଖୋଜ ଖବର ମିଳି ନଥିଲା। ମାନସଙ୍କ ପରିବାରବର୍ଗ ନିରାଶ ହୋଇ ଶେଷରେ ଫେବ୍ରୁଆରି ୧୪ରେ ଚାନ୍ଦବାଲି ଥାନାରେ ଏତାଲା ଦେଇଥିଲେ। ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ଛାନଭିନ୍‌ କରିଥିଲା। ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲଗୁଣ୍ଡା ପଳାସପୁର ଛକରୁ ମାନସଙ୍କୁ ଅପହରଣ କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ନୟାଗଡ଼ରୁ କୃଷ୍ଣ ଚନ୍ଦ୍ର ନାୟକ, ଭାଗ୍ୟଧର ନାୟକ ଏବଂ ବିବେକ ନାୟକଙ୍କୁ ପୋଲିସ ଗିରଫ କରିଥିଲା।

ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇ ଭୁବନେଶ୍ୱର ଉପକଣ୍ଠର କୁହାକଣ୍ଟିଲୋରେ ଥିବା ଏକ ବୃଦ୍ଧାଶ୍ରମରେ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି ହତ୍ୟାକାଣ୍ଡ ଫେବ୍ରୁଆରି ୮ ତାରିଖରେ ହୋଇଥିଲା।

ହତ୍ୟାକାଣ୍ଡର ପ୍ରମାଣ ଲୁଚାଇବା ପାଇଁ ଭୁବନେଶ୍ୱରରୁ ମାନସଙ୍କ ଶବକୁ ନେଇ ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ବଧିପାଟଣା ନିକଟ ଏକ ପାହାଡ଼ ତଳେ ପୋତି ଦିଆଯାଇଥିଲା। ଚାନ୍ଦବାଲିରୁ ଅପହରଣଠାରୁ ଆରମ୍ଭ କରି ନୟାଗଡ଼ ଜିଲ୍ଲାରେ ଶବ ପୋତିବା ପର୍ଯ୍ୟନ୍ତ ନିରଞ୍ଜନ ସେଠୀଙ୍କର ହାତ ରହିଥିବା ପୋଲିସ କହିଛି।

ୱେବପୋର୍ଟାଲ ‘ସମ୍ପୂର୍ଣ୍ଣା’ ଲିଙ୍କ୍‌

ମାନସ ସ୍ୱାଇଁ ପେସାରେ ଜଣେ କ୍ୟାମେରା ମ୍ୟାନ ଥିଲେ। ସେ ବିଭିନ୍ନ ବାହାଘରରେ ଭିଡିଓ ସୁଟିଂ କରିବା ସହ  ‘ସମ୍ପୂର୍ଣ୍ଣା’ ନାମରେ ଥିବା ୱେବପୋର୍ଟାଲ ପାଇଁ ମଧ୍ୟ କାମ କରୁଥିଲେ। ସୂଚନା ଅନୁଯାୟୀ, ୱେବ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ ଏବଂ ମାନସଙ୍କ ଭିତରେ କୌଣସି କାରଣରୁ ସମ୍ପର୍କ ଖରାପ ହୋଇଥିଲା। ବିଶେଷକରି ମାନସଙ୍କ ପାଖରେ କୌଣସି ଏକ ଚିପ୍‌ ରହିଥିଲା, ଯାହାକୁ ଆଣିବା ପାଇଁ ଶର୍ମିଷ୍ଠା ଉଦ୍ୟମ କରୁଥିଲେ। ଏହି ଘଟଣାକୁ ନେଇ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ମାନସଙ୍କୁ ଚାନ୍ଦବାଲି ଅଞ୍ଚଳରୁ ଉଠାଇ ଆଣିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସରକାରଙ୍କୁ ବଡ଼ ଧକ୍କା

ସୂଚନା ଓ ଲୋକସମ୍ପର୍କ ବିଭାଗ ହେଉଛି ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର କିପରି ପ୍ରଚାର ପ୍ରସାର ହେବ ତାହା ଏହି ବିଭାଗ ବୁଝିଥାଏ। ତେବେ ଏହି ବିଭାଗର ଜଣେ ଅବସରପ୍ରାପ୍ତ ନିର୍ଦ୍ଦେଶକ କିପରି ଜଘନ୍ୟ ହତ୍ୟାକାଣ୍ଡରେ ଫସିଲେ ତାହା ସମସ୍ତଙ୍କୁ ଚକିତ କରିଛି।

ସବୁଠୁ ବଡ଼ କଥା ହେଉଛି ନିରଞ୍ଜନ ଚାକିରିରେ ଥିବା ବେଳେ ହିଁ ଏହି ଅପହରଣ ଏବଂ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିରଞ୍ଜନ ଫେବ୍ରୁଆରି ୨୮ରେ ଅବସର ନେଇଥିବା ବେଳେ ମାନସ ହତ୍ୟାକାଣ୍ଡ ଫେବ୍ରୁଆରି ୮ ତାରିଖରେ ଘଟିଥିଲା। ଏବେ ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି। ଭଦ୍ରକ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତଦନ୍ତରେ ଯଦି ଆହୁରି ସୁଦୃଢ଼ ପ୍ରମାଣ ମିଳେ ଏବଂ ନିରଞ୍ଜନ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହାଲେ ଏହା ସରକାରଙ୍କ ପାଇଁ ଏକ ଝଟକା ହେବ ବୋଲି କୁହାଯାଉଛି।

ନିରଞ୍ଜନଙ୍କ ଅନୁକମ୍ପା

ନିରଞ୍ଜନ ସେଠୀ ତାଙ୍କ କାର୍ଯ୍ୟକାଳ ସମୟରେ ’ସମ୍ପୂର୍ଣ୍ଣା’ ପତ୍ରିକା ଅନୁକମ୍ପା ଦେଖାଇଥିଲେ। ଏହାକୁ ନେଇ ଏବେ ବିଭିନ୍ନ ମିଡିଆରେ ପ୍ରଶ୍ନ ଉଠୁଛି। ସରକାରୀ ବିଜ୍ଞାପାନ ପାଇଁ ଏହି ମାଗାଜିନ ଏବଂ ୱେବପୋର୍ଟାଲକୁ ସୂଚନା ଓ ଲୋକସମ୍ପର୍କ ବିଭାଗରେ ତାଲିକାଭୁକ୍ତ କରାଯାଇଥିଲା। ଯେଉଁଦିନ ନିରଞ୍ଜନ ଚାକିରିରୁ ଅବସର ନେଲେ ସେହିଦିନ ହିଁ ଏହି ଅନୁମୋଦନ କରାଯାଇଥିବା କୁହାଯାଉଛି।

ଚାକିରିରେ ଥିବା ସମୟରେ ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ଏଭଳି ଏକ ଅପରାଧରେ ଜଡ଼ିତ ହେବା ଅତି ସ୍ପର୍ଶକାତର ବିଷୟ।

Tag: #CameramanMurderCase #FormerOISOfficer #I&PRDepartmentOdisha #NiranjanSethi #RanjanNayak #SarmisthaRout #ନିରଞ୍ଜନ ସେଠୀ #ସୂଚନାଓଲୋକସମ୍ପର୍କବିଭାଗ

Comment