ଓଡ଼ିଶାଲାଇଭ୍ ବ୍ୟୁରୋ

ରକ୍ତ ସମ୍ପର୍କର ମହତ୍ଵ ଭୁଲି ଯାଇ ସମ୍ପତ୍ତି ପାଇଁ ଭାଇକୁ ହତ୍ୟା କଲା ଭାଇ। କେବଳ ଭାଇ ନୁହେଁ, ଭାଇର ପୁରା ପରିବାରକୁ କଟୁରୀରେ ହାଣି ପ୍ରତିଶୋଧ ନେଲା ସାନ ଭାଇ।

କଟକ ଜିଲ୍ଲା ମହାଙ୍ଗା ଥାନା ଅନ୍ତର୍ଗତ କୁସୁପୁରରେ ଗତ ଏପ୍ରିଲ ୧୨ ତାରିଖରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଜମିବାଡ଼ି ବିବାଦ ଏବଂ ପାରିବାରିକ କଳହକୁ ନେଇ ସାନଭାଇ ଶିବ ସାହୁ ବଡ଼ ଭାଇ ଅଲେଖ ସାହୁ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟା କରିବା ପରେ ନିଜେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ ମଧ୍ୟ କରିଥିଲେ।

ମାହାଙ୍ଗା ଥାନା କୁସୁପୁର ଗଣହତ୍ୟା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଲା। ଏକା ଥରକେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ ଖେଳିଗଲା। ହତ୍ୟା ଅଭିଯୁକ୍ତ ଶିବକୁ ଗତ ୧୩ ତାରିଖରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଜେଲକୁ ପଠାଯାଇଥିଲା। ଘଟଣା ଉପରୁ ପରଦା ହଟାଇବା ପାଇଁ ପୋଲିସ୍ ଅଭିଯୁକ୍ତ ଶିବକୁ ୩ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ ଆରମ୍ଭ କରିଛି।

କେମିତି ଘଟିଥିଲା ହତ୍ୟାକାଣ୍ଡ?

ଏପ୍ରିଲ ୧୧ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏ, ଅଭିଯୁକ୍ତ ଶିବ ସାହୁଙ୍କ ପତ୍ନୀ ସୁନୀତା ଟଏଲେଟ ଯିବାକୁ ବାହାରିଥିଲେ। କିନ୍ତୁ ଟଏଲେଟରେ ତାଲା ପକାଇ ଦେଇଥିଲେ ଶିବଙ୍କର ବଡ଼ ଭାଇ ଅଲେଖ। ଘରେ ଥିବା ଗୋଟିଏ ଟଏଲେଟକୁ ଉଭୟ ଶିବଙ୍କ ପରିବାର ଏବଂ ଅଲେଖଙ୍କ ପରିବାର ବ୍ୟବହାର କରୁଥିଲେ। ଦୁଇ ଭାଇଙ୍କ ମଧ୍ୟରେ କଳହ କାରଣରୁ ଶିବ କୁସୁପୁର ଗାଁ ପାଖ ଗାଁରେ ଘର ଭଡ଼ା ନେଇ ନିଜ ପରିବାର ସହ ରହୁଥିଲେ। ମଝିରେ ମଝିରେ ପୈତୃକ ଘରକୁ ଆସୁଥିଲେ।

ଘରେ ଥିବା ଟଏଲେଟରେ ଅଲେଖ ସବୁବେଳେ ତାଲା ପକାଇ ରଖୁଥିଲେ। ୧୧ ତାରିଖ ରାତିରେ ମଧ୍ୟ ଅଲେଖ ଟଏଲେଟରେ ତାଲା ପକାଇ ଦେଇଥିଲେ। ଶିବ ଭାଉଜଙ୍କୁ ଟଏଲେଟର ତାଲା ଖୋଲିବାକୁ କହିଥିଲେ। କିନ୍ତୁ ତାଙ୍କ ଭାଉଜ ବିରକ୍ତ ହେବା ସହ ସେ ତାଙ୍କ ସିକ୍ୟୁରିଟି ଗାର୍ଡ କି ବୋଲି ପ୍ରଶ୍ନ କରିଥିଲେ। ଏହି କଥାରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା।

ପାଟିତୁଣ୍ଡ ଶୁଣି ଅଲେଖ ଉଠିଯାଇଥିଲେ। ଏହା ପରେ ଉଭୟ ଅଲେଖ ଏବଂ ଶିବଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ପରିସ୍ଥିତି ଏତେ ବାଟକୁ ଚାଲିଗଲା ଯେ ଦୁଇ ଭାଇଙ୍କ ମଧ୍ୟରେ ହାତାହାତି ହୋଇଥିଲା। ପାଟି ଶୁଣି ଘର ଭିତରେ ଶୋଇଥିବା ଅଲେଖଙ୍କ ଦୁଇ ପୁଅ ଏବଂ ଝିଅ ଉଠି ପଡ଼ିଥିଲେ। ସମସ୍ତେ ମିଶି ଶିବଙ୍କୁ କାବୁ କରି ମାଡ଼ ମାରିଥିଲେ। ଏହା ପରେ ଶିବ ସେଠାରୁ ଆସି ନିଜ ରୁମରେ ଶୋଇଥିଲେ।

ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ଏକ କଟୁରୀ ଧରି ବଡ଼ ଭାଇ ଭାଉଜ ଶୋଇଥିବା ରୁମରେ ପଶିଥିଲେ ଶିବ। ପ୍ରଥମେ ଭାଉଜକୁ କଟୁରୀରେ ହାଣି ହତ୍ୟା କରିବା ପରେ ଭାଇ ଅଲେଖଙ୍କ ଜୀବନ ନେଇଥିଲେ। ଏହା ପରେ ଅନ୍ୟ ଏକ ରୁମରେ ଶୋଇଥିବା ଦୁଇ ପୁତୁରା ଓ ଝିଆରୀଙ୍କୁ କଟୁରୀରେ ହାଣି ହତ୍ୟା କରିଥିବା ପୋଲିସ୍‌ ଆଗରେ ସତ ମାନିଥିଲେ ଅଭିଯୁକ୍ତ ଶିବ।

ସେହି ରାତିରେ ନିଜ ସ୍ତ୍ରୀ ସୁନୀତାଙ୍କୁ ଘରେ ବନ୍ଦ କରି ଦେଇ ଶିବ ଯାଜପୁର ଫେରାର ହୋଇଯାଇଥିଲେ। ଏପ୍ରିଲ ୧୨ ତାରିଖ ଅଭିଯୁକ୍ତ ଶିବ ନିଜ ବଡ଼ ଭାଇ, ଭାଉଜ ଏବଂ ତିନି ଜଣ ପୁତୁରା ଝିଆରୀଙ୍କୁ ହତ୍ୟା କରିଥିବା ସ୍ଵୀକାର କରି ଏକ ଭିଡିଓ ଭାଇରାଲ କରିଥିଲେ। ଏହା ପରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲେ।

ପତ୍ନୀ ଓ ଝିଅକୁ ଧରି ଭଡ଼ାଘରେ ରହୁଥିଲେ ଶିବ

ଶିବ ସାହୁ ଏବଂ ଅଲେଖ ସାହୁଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଶିବ ଘରଛାଡ଼ି କୁସୁପୁର ଗାଁ ନିକଟ ଗାଁରେ ଭଡ଼ା ଘରେ ରହୁଥିଲେ। ନିଜ ଝିଅ ଏବଂ ପତ୍ନୀଙ୍କ ସହ ରହୁଥିଲେ ଶିବ। କିନ୍ତୁ ମଝିରେ ମଝିରେ ଶିବ ନିଜ ପୈତୃକ ଘରକୁ ଯାଉଥିଲେ। ଜମି ଓ ଘର ଭାଗ ବଣ୍ଟାକୁ ନେଇ ୧୨ରୁ ୧୫ ବର୍ଷ ହେଲା ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗାଁରେ ସଭା କରି ବିବାଦର ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁ ନଥିଲା।

ହତ୍ୟା ପରେ ନିଜ ଗଞ୍ଜିରେ ପୋଛିଥିଲେ ରକ୍ତ

ଏପ୍ରିଲ ୧୧ ତାରିଖ ବିଳମ୍ବିତ ରାତିରେ ଭାଉଜକୁ ପ୍ରଥମେ କଟୁରୀରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ଶିବ ବଡ଼ ଭାଇକୁ ହତ୍ୟା କରିଥିଲେ। ଏହା ପରେ ଦୁଇଜଣ ପୁତୁରା ଏବଂ ଝିଆରୀକୁ କଟୁରୀରେ ହାଣି ହତ୍ୟା କରିଥିଲେ। ବଡ଼ ଭାଇ ଅଲେଖଙ୍କ ପୁରା ପରିବାରକୁ ନିପାତ କରିବା ପରେ କୋଠରୀରେ ଏକ ଘଣ୍ଟା ଧରି ବସି ରହିଥିଲେ ଅଭିଯୁକ୍ତ ଶିବ ସାହୁ। ଘର ସାରା ରକ୍ତ ଛିଟା ପଡ଼ିଥିବାରୁ ପିନ୍ଧିଥିବା ଗଞ୍ଜିକୁ କାଢ଼ି ରକ୍ତ ସଫା କରିଥିଲେ ଅଭିଯୁକ୍ତ । ଏହା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ବଡ଼ ଭାଇ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ ଶିବ

ବଡ଼ ଭାଇ ଅଲେଖ ଏବଂ ଶିବଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ବଡ଼ ଭାଇ ଜାଣିଶୁଣି ଶିବଙ୍କୁ ହଇରାଣ ହରକତ କରୁଥିବା ଶିବ ଅଭିଯୋଗ ମଧ୍ୟ କରିଆସୁଥିଲେ। ଏପରିକି ଶିବଙ୍କ ପତ୍ନୀଙ୍କୁ ବଡ଼ ଭାଇ ଅଲେଖ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରିଥିଲେ ଶିବ। ଏହି ମାମଲା ଥାନାରେ ରହିଛି। ଏହି ମାମଲା ପ୍ରତ୍ୟାହାର କରିବା ପରେ ଘରବାଡ଼ିରୁ ଭାଗ ମିଳିବ ବୋଲି କହିଆସୁଥିଲେ ଅଲେଖ। କିନ୍ତୁ ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ରାଜି ହେଉନଥିଲେ ଶିବ। ଏହି ଘଟଣାରୁ ବିବାଦ ବଢ଼ି ହତ୍ୟାକାଣ୍ଡ ଘଟିଥିବା ଗ୍ରାମବାସୀ କହିଛନ୍ତି।

ନରସଂହାର ଘଟଣାର ସିନ୍ ରିକ୍ରିଏସନ କଲେ ଅଭିଯୁକ୍ତ ଶିବ

ନିଜ ଭାଇ, ଭାଉଜ ଏବଂ ଝିଆରୀ ଓ ପୁତୁରାକୁ କେମିତି ମାରିଲେ? ସେ ଘଟଣାର ପୁନରାବୃତ୍ତି କରିଛନ୍ତି ଅଭିଯୁକ୍ତ ଶିବ ସାହୁ। ଶିବ ଏକାକୀ ସମସ୍ତଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଛନ୍ତି। କେମିତି ଏତେବଡ଼ କାଣ୍ଡ ଭିଆଇଥିଲେ ପୋଲିସ୍ ଆଗରେ ବଖାଣିଛନ୍ତି ଶିବ। କ’ଣ ଘଟିଥିଲା ସେହି କାଳରାତିରେ ସବୁ ଗୋଟି ଗୋଟି କରି ଦେଖାଇଛନ୍ତି ସେ। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

ରିମାଣ୍ଡର ପ୍ରଥମ ଦିନରେ ଅସୁସ୍ଥତା ଯୋଗୁଁ ଠିକ୍ ଭାବେ ଚାଲିପାରୁ ନଥିବାରୁ ଗତ ୧୪ ତାରିଖରେ ଶିବଙ୍କୁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସୁସ୍ଥ ଅନୁଭବ କରିବାରୁ ପୋଲିସ୍ ଅଭିଯୁକ୍ତ ଶିବଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରାଇଥିଲା।

ହତ୍ୟାକାଣ୍ଡ ପରେ ମୃତ ଅଲେଖଙ୍କ ଘରୁ କଟୁରୀ, ରକ୍ତ ଭିଜା ଗଞ୍ଜି, ଅଲେଖଙ୍କ ପତ୍ନୀଙ୍କ ଚୁଟି, ବଳକା ଖାଦ୍ୟ ସାମଗ୍ରୀକୁ ଜବତ କରିଥିଲା ପୋଲିସ୍। କଟୁରୀଟି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା କି ନାହିଁ ଫରେନ୍ସିକ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ୍। ଶିବ ଏକାକୀ ୫ ଜଣଙ୍କୁ ମାରିଛନ୍ତି ନା ଆଉ କେହି ଏହି ହତ୍ୟାକାଣ୍ଡରେ ସାମିଲ ଅଛି ସେ ନେଇ ପୋଲିସର ତନାଘନା ଜାରି ରହିଛି। ଅନ୍ୟ ପକ୍ଷରେ ଆବଶ୍ୟକ ପଡ଼ିଲେ ଶିବଙ୍କ ପତ୍ନୀ ସୁନୀତାଙ୍କୁ ପୋଲିସ୍ ଜେରା କରିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

Tags: #MahangaKusupurMurderCase #FiveKilled #Remand #SceneRecreation #BrotherKilled

Comment