ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଛନ୍ତି ‘ଟ୍ଵିଟର’ର ମାଲିକ। ବିଶ୍ଵର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ଏଲୋନ ମସ୍କ ମାଇକ୍ରୋ ବ୍ଲଗିଂ ଓ୍ଵେବସାଇଟ ‘ଟ୍ଵିଟର’କୁ କ୍ରୟ କରିଛନ୍ତି। ଏବେ ‘ଟ୍ଵିଟର’ର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ‘ଟ୍ଵିଟର’ରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଘୋଷଣା କରିସାରିଛନ୍ତି ନୂଆ ମାଲିକ ଏଲୋନ ମସ୍କ।

ଏଲୋନ ମସ୍କ ୪୪ ବିଲିୟନ ଡଲାର ବିନିମୟରେ ‘ଟ୍ଵିଟର’କୁ କ୍ରୟ କରିବାକୁ ଘୋଷଣା କରିଥିଲେ। ‘ଟ୍ଵିଟର’ ବୋର୍ଡ ଏକତ୍ର ହୋଇ ଏଲୋନ ମସ୍କଙ୍କ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏହି ଡିଲ୍ ଚଳିତ ବର୍ଷ ପୂର୍ଣ୍ଣ ହେବ। ଏହି ଡିଲ୍ ସମ୍ପୂର୍ଣ୍ଣ ହେବା ପରେ ‘ଟ୍ଵିଟର’ ଏକ ପ୍ରାଇଭେଟ କମ୍ପାନୀ ହୋଇଯିବ। ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କଙ୍କ ମାଲିକାନାରେ ରହିବ ‘ଟ୍ଵିଟର’।

ଗତ କିଛି ଦିନ ହେଲା ଏଲୋନ ମସ୍କଙ୍କ ପ୍ରସ୍ତାବ ଉପରେ ‘ଟ୍ଵିଟର’ ବୋର୍ଡ ଆଲୋଚନା ଜାରି ରଖିଥିଲା। ଫ୍ରି ସ୍ପିଚ ପାଇଁ ‘ଟ୍ଵିଟର’କୁ ପ୍ରାଇଭେଟ କରିବା ଆବଶ୍ୟକ, ତେଣୁ ‘ଟ୍ଵିଟର’କୁ କ୍ରୟ କରିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଏଲୋନ ମସ୍କ।

‘ଟ୍ଵିଟର’ରେ ୯ ପ୍ରତିଶତ ଅଂଶୀଦାରୀ କ୍ରୟ କରିବାର କିଛି ଦିନ ପରେ ଏଲୋନ ମସ୍କ କହିଥିଲେ ଫ୍ରି ସ୍ପିଚ ପାଇଁ ‘ଟ୍ଵିଟର’କୁ ପ୍ରାଇଭେଟ କରିବାକୁ ପଡ଼ିବ। ଏତେ କମ୍ ଅଂଶୀଦାରୀ କ୍ରୟ କରି ଏଲୋନ ମସ୍କ ‘ଟ୍ଵିଟର’ରେ ଆଣିବାକୁ ଚାହୁଁଥିବା କିଛିଟା ପରିବର୍ତ୍ତନ ସଫଳ ହୋଇପାରିଲା ନାହିଁ। ଏହି କାରଣରୁ ସେ ‘ଟ୍ଵିଟର’କୁ ସମ୍ପୂର୍ଣ୍ଣ କିଣିବାକୁ ନିଷ୍ପତ୍ତି ନେଇଥିଲେ। ‘ଟ୍ଵିଟର’ର ପ୍ରତି ସେୟାରକୁ ଏଲୋନ ମସ୍କ ୫୪.୨୦ ଡଲାରରେ କ୍ରୟ କରିଛନ୍ତି।

‘ଟ୍ଵିଟର’କୁ କ୍ରୟ କରିଥିଲେ ମଧ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ମାଲିକାନା ଏଲୋନ ମସ୍କଙ୍କ ଅଧୀନକୁ ଆସିନାହିଁ। ଖୁବ ଶୀଘ୍ର ଏହି ଡିଲ ପୂରା ହେବ। ଏବେ ଏଲୋନ ମାସ୍କଙ୍କୁ ‘ଟ୍ଵିଟର’ର ମାଲିକ ବୋଲି କୁହାଯାଇପାରିବ। ‘ଟ୍ଵିଟର’ କ୍ରୟ କରିବା ପରେ ଏଲୋନ ମସ୍କ ପ୍ରଥମ ଟ୍ଵିଟ କରିଥିଲେ। ଏହି ଟ୍ଵିଟରେ ନିଜର ଷ୍ଟେଟମେଣ୍ଟର ସ୍କ୍ରିନ ସର୍ଟ ସେ ପୋଷ୍ଟ କରିଛନ୍ତି।

Tags: #Twitter #ElonMusk #NewOwoner #Deal #TwitterBoard

Comment