ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଶରଣକୁଳର ପ୍ରସିଦ୍ଧ ଶ୍ରୀହରିହର ମହାଦେବ ଲଡ଼ୁବାବାଙ୍କ ଭଉଁରୀ ଚାପ ସମୟରେ ବଡ଼ଧରଣର ଅଘଟଣ ଘଟିଛି। ରାତିରେ ମନ୍ଦିର ପୁଷ୍କରିଣୀରେ ଶ୍ରୀଲଡ଼ୁବାବାଙ୍କ ଭଉଁରୀ ଡଙ୍ଗା ବୁଡ଼ିଯାଇଛି। ଚାପ ଡଙ୍ଗାରେ ଯାତ୍ରା କରୁଥିବା ସମସ୍ତ ସେବାୟତ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଚାପ ପୁଷ୍କରିଣୀରେ ବିଜେ ଲଡ଼ୁବାବାଙ୍କ ଚଳନ୍ତୀ ପ୍ରତିମା ଓ ପାର୍ଶ୍ଵ ଦେବଦେବୀଙ୍କୁ ପାଣି ଭିତରୁ ଉଦ୍ଧାର କରାଯିବା ଘଟଣା ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି। ମନ୍ଦିର ନିରୀକ୍ଷକଙ୍କ ପରିଚାଳନାଗତ ଅବହେଳା ଓ ତ୍ରୁଟି କାରଣରୁ ଏପରି ଅଘଟଣ ଘଟିଥିବା ଜିଲ୍ଲା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

ନୟାଗଡ଼ ଜିଲ୍ଲା ଶରଣକୁଳର ପ୍ରସିଦ୍ଧ ଶୈବପୀଠ ଶ୍ରୀଲଡ଼ୁବାବାଙ୍କ ଚନ୍ଦନ ଚାପ ଯାତ୍ରା ସମୟରେ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ୩୦ରୁ ଅଧିକ ସେବା ନିଯୋଗ ଓ ପରିଚାଳନା କର୍ମଚାରୀ। ସୋମବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ବାବାଙ୍କ ମନ୍ଦିର ପୂଜା ନୀତିରେ ଚନ୍ଦନ ଚାପର ଭଉଁରୀ ଯାତ୍ରା ଆରମ୍ଭ ହୋଇଥିଲା। ଦେବ ପୁଷ୍କରିଣୀରେ ଚଉକାଠ ଯୋଖା ସୁସଜ୍ଜିତ ଦୁଇଟି ଚାପ ଡଙ୍ଗାରେ ବାବାଙ୍କ ଚଳନ୍ତି ପ୍ରତିମା ଓ ପାର୍ଶ୍ଵ ଦେବାଦେବୀ ଚନ୍ଦନ ଚାପ ବିଜେ କରିଥିଲେ। ଚାପ ଯାତ୍ରା ଆରମ୍ଭର ମାତ୍ର କେଇ ମିନିଟି ମଧ୍ୟରେ ପୁଷ୍କରିଣୀ କୂଳରୁ କିଛି ଦୂରରେ ଚାହୁଁ ଚାହୁଁ ଚାପ ଡଙ୍ଗା ବୁଡ଼ି ଯାଇଥିଲା। ପ୍ରଥମେ ଡଙ୍ଗାରେ ପାଣି ପ୍ରବେଶ କରିଥିଲା ଓ କେହି କିଛି ବୁଝିବା ପୂର୍ବରୁ ଠାକୁରଙ୍କ ଭଉଁରୀ ଚାପ ଡଙ୍ଗା ପାଣିରେ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା।

ଭଉଁରୀ ଚାପରେ ବିଜେ ବାବାଙ୍କ ଚଳନ୍ତି ପ୍ରତିମା ଓ ଅନ୍ୟ ବିଗ୍ରହଙ୍କ ସହିତ ଡଙ୍ଗାରେ ଯାତ୍ରା କରୁଥିବା ପ୍ରାୟ ୩୦ରୁ ଅଧିକ ସେବକ ଆଖି ପିଛୁଳାକେ ପାଣିରେ ବୁଡ଼ି ଯାଇଥିଲେ। ପୋଖରୀ କୂଳରେ ଥିବା ସ୍ଥାନୀୟ ଲୋକେ ପାଣିରେ ପସି ବୁଡ଼ିଯାଇଥିବା ଚାପଯାତ୍ରୀ ଓ ବିଗ୍ରହଙ୍କୁ ଉଦ୍ଧାର କରିଥିଲେ। ଚାପ ଡଙ୍ଗା ବୁଡ଼ିଯିବା ସ୍ଥାନରେ ୫ରୁ ୭ ଫୁଟ ପାଣି ରହିଥିବା ଅନୁମାନ କରାଯାଉଛି। ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସ୍ଥାନୀୟ ଲୋକଙ୍କ ସାହସିକତା କାର୍ଯ୍ୟ ଓ ଲଡ଼ୁବାବାଙ୍କ ଚାପ ଡଙ୍ଗାର ସମସ୍ତ ଯାତ୍ରୀ ଓ ବିଜେ ପ୍ରତିମାଙ୍କୁ ପାଣିରୁ ଉଦ୍ଧାର କରାଯାଇ ପରିଥିଲା।

ଆବଶ୍ୟକତାଠାରୁ ଅଧିକ ଲୋକ ଥିବାରୁ ସନ୍ତୁଳନ ହରାଇ ଡଙ୍ଗାଟି ବୁଡ଼ିଯାଇଥିବା କହିଛନ୍ତି ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ। ଧାର୍ମୀକ ପୀଠରେ ଏପ୍ରକାର ଅଘଟଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ପ୍ରତି କୁଠାରଘାତ ସଦୃଶ ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତଥା ବୈଦିକ ସମାଜର କର୍ମକର୍ତ୍ତା ସୁରେନ୍ଦ୍ର ନାଥ ତ୍ରିପାଠୀ।

Tags: #Nayagarh #ChapaYatra #Ladubaba #Accident

Comment