ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ସହରର ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି। ବୁଧବାର ଅପରାହ୍ଣରେ ଏକ ମାଲ ବୋଝେଇ ଟ୍ରକ୍ ଦୁଇଟି କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଦୁଇଟି ଜାକ କାର ଭାଙ୍ଗି ଚୁନା ହୋଇଯାଇଛି। ସହରାଞ୍ଚଳ ଦେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ବେଆଇନ ପାର୍କିଂ ସହରରେ ଦୁର୍ଘଟଣାର କାରଣ ପାଲଟିଛି। ଏସବୁ ବିଷୟରେ ଜାଣି ମଧ୍ୟ ପୋଲିସ୍ ନୀରବ ରହୁଥିବା ଅଭିଯୋଗ କରିଛି କଂଗ୍ରେସ।

ନୟାଗଡ଼ ସହର ଦେଇ ୫୭ ନମ୍ବର ଜାତୀୟ ରାଜପଥ ପଶ୍ଚିମ ଓଡ଼ିଶା, ଛତିଶଗଡ଼, ଅନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ମହାରଷ୍ଟ୍ର ଆଦି ଅଞ୍ଚଳରୁ ଦୈନିକ ଶତାଧିକ ମାଲବାହୀ ଭାରିଯାନ ସହିତ ରାଜ୍ୟ ଭିତର ଯାନବାହନ ଚଳାଚଳ କରୁଛି। ସହରରେ ସଂକୀର୍ଣ୍ଣ ରାସ୍ତା ଦେଇ ବିପଦପୂର୍ଣ୍ଣ ଅବସ୍ଥାରେ ହଜାର ହଜାର ସଂଖ୍ୟାରେ ଗାଡ଼ିମୋଟର ଯାତାୟତ କରୁଛି। ରାସ୍ତା କଡ଼ରେ ବେଆଇନ ପାର୍କିଂ, ବାଲି ଗୋଡ଼ି ଗଦା ହେଉଛି। ଫଳରେ ବିଭିନ୍ନ ସମୟରେ ଏହା ଦୁର୍ଘଟଣାର କାରଣ ପାଲଟିବା ସହ ଧନଜୀବନ ହାନି ହେଉଥିବା ଅଭିଯୋଗ ହେଉଛି।

ବେଆଇନ ପାର୍କିଂ କାରଣରୁ ଗତ ବୁଧବାର ଅପରାହ୍ଣରେ ଟ୍ରାଫିକ୍ ମୁଖ୍ୟ ଛକ ଅତିକ୍ରମ କରି ଓଆର-୦୨ଏସି୯୦୬୯ ନମ୍ବର ବିଶିଷ୍ଠ ଟ୍ରକ୍ ଏକ ମାଲ ବୋଝୋଇ ଟ୍ରକ୍ ଯିବା ସମୟରେ ସରକାରୀ ହୋମିଓପ୍ୟାଥିକ୍ ଡାକ୍ତରଖାନା ନିକଟରେ ଦୁଇଟି କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାର ଦୁଇଟି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।

ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ପୋଲିସ୍ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଟାଉନ ରାସ୍ତା ମଝିରେ ଅକାରଣରେ ଜାମ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି। ନୂଆବସ୍ ଷ୍ଟାଣ୍ଡ ଉଦଘାଟନର କିଛି ମାସ ପରେ ମଧ୍ୟ ସେଠାକୁ ଯାତ୍ରୀବାହୀ ବସ୍ ନଯାଇ ସହରର ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଂ କରିବା ସହ ରାସ୍ତା ଜାମ କରୁଛନ୍ତି। ପୋଲିସ ଏହି ସମସ୍ୟା ସମ୍ପର୍କରେ ସବୁ ଜାଣି ମଧ୍ୟ ନୀରବ ରହୁଥିବା କଂଗ୍ରେସ ଅଭିଯୋଗ କରିଛି। ଏ ନେଇ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଲିଖିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

Tags: #Nayagarh #AccidentInNayagarh #TruckAndCar #TrafficeProblem

Comment