ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ ରହିଛନ୍ତି। କଟକରେ ୧୧୫ ଜଣ ରହିଛନ୍ତି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୭ ଜଣ ରହିଥିବାବେଳେ ସଂଗରୋଧ କେନ୍ଦ୍ରରୁ ୪୩୬ ଜଣ ଓ ଲୋକାଲ କଣ୍ଟାକ୍ଟରୁ ୩୦୭ ଜଣ ରହିଛନ୍ତି। ବର୍ତ୍ତମାନ ରାଜ୍ୟରେ ୩,୮୭୮ଟି ସକ୍ରିୟ ମାମଲା ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୪୦୪ ଜଣ।

ଜୁଲାଇ ୧୨ ତାରିଖ ରିପୋର୍ଟ ଅନୁସାରେ ରାଜ୍ୟରେ ୫୦୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୧ ତାରିଖରେ ୫୭୨ ଜଣ, ୧୦ ତାରିଖରେ ୫୭୬ ଜଣ, ୯ ତାରିଖରେ ୫୨୧ ଜଣ, ୮ ତାରିଖ ୪୭୦ ଜଣ ଏବଂ ୭ ତାରିଖ ୪୨୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁଲାଇ ୭ ତାରିଖରୁ ୧୧ ତାରିଖ ରିପୋର୍ଟକୁ ଦେଖିଲେ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। କିନ୍ତୁ ୧୨ ତାରିଖରେ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା। ଆଜି ୭୪୩ ଛୁଇଁଛି କୋଭିଡ ସଂକ୍ରମଣ ସଂଖ୍ୟା। 

ଏପଟେ ଭୁବନେଶ୍ଵରରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦେଖି ରାଜଧାନୀରେ କଟକଣାକୁ କଡ଼ାକଡ଼ି କରାଯାଇଛି। ସାମାଜିକ ଦୂରତା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଉଠା ଦୋକାନୀ, ସପିଂ ମଲ୍, ଥିଏଟର, ସିନେମା ହଲ୍ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ କୋଭିଡ କଟକଣା ଲାଗୁ କରିଛି ଭୁବନେଶ୍ଵର ମହାନଗର ନିଗମ।

Tags: #Covid19 #Corona #CoronaVirus #CovidinOdisha

Comment