ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

୧୮୯୭, ଅଗଷ୍ଟ ୨୦ ତାରିଖରେ ସାର ରୋନାଲ୍ଡ ରସ୍ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ବ୍ୟାପୁଥିବା ନେଇ ତଥ୍ୟର ଆବିଷ୍କାର କରିଥିଲେ। ଏଥିପାଇଁ ୧୯୦୨ରେ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ‘ବିଶ୍ୱ ମଶା ଦିବସ’ ପାଳନ ହୋଇଆସୁଛି। 

ବ୍ରେନ ମ୍ୟାଲେରିଆ ଅନେକ ସମୟରେ ମଣିଷ ପାଇଁ ଘାତକ ସାଜିଥାଏ। ସାଧାରଣ ମ୍ୟାଲେରିଆ ଜ୍ୱରଠାରୁ ମସ୍ତିଷ୍କ ଜ୍ୱର ବା ବ୍ରେନ୍‌ ମ୍ୟାଲେରିଆରେ ରୋଗୀକୁ ଜ୍ୱର, ମୁଣ୍ଡ ବିନ୍ଧା, ଝାଡ଼ା ତଥା ବାନ୍ତି ଭଳି ସମସ୍ୟା ହୋଇଥାଏ। ବ୍ରେନ ମ୍ୟାଲେରିଆ କାହିଁକି ହୁଏ ଏବଂ କେମିତି ସୁସ୍ଥ ହେବେ ସେ ସମ୍ପର୍କରେ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ଔଷଧ ବିଶେଷଜ୍ଞ ଡାକ୍ତର ମେଘନାଦ ମେହେର ଦେଇଥିବା ସାକ୍ଷାତକାରକୁ ଆଧାର କରି ପ୍ରସ୍ତୁତ ରିପୋର୍ଟ।

“ବ୍ରେନ ମ୍ୟାଲେରିଆକୁ ଡାକ୍ତରୀ ଭାଷାରେ ସେରେବ୍ରାଲ ମ୍ୟାଲେରିଆ ବୋଲି କୁହାଯାଇଥାଏ। ସାଧାରଣତଃ ବ୍ରେନ ମ୍ୟାଲେରିଆକୁ ଓଡ଼ିଆରେ ମସ୍ତିଷ୍କ ଜ୍ଵର ବୋଲି କୁହାଯାଏ। ମ୍ୟାଲେରିଆ ରୋଗ ମସ୍ତିଷ୍କକୁ ପ୍ରଭାବିତ କରିବାକୁ ବ୍ରେନ ମ୍ୟାଲେରିଆ କୁହାଯାଏ”, କହିଛନ୍ତି ଡାକ୍ତର ମେଘନାଦ ମେହେର।

ସାଧାରଣ ମ୍ୟାଲେରିଆଠାରୁ ବ୍ରେନ ମ୍ୟାଲେରିଆ ଟିକିଏ ଭିନ୍ନ। ବ୍ରେନ ମ୍ୟାଲେରିଆରେ ରୋଗୀ ବେଳେବେଳେ ଚେତାଶୂନ୍ୟ ହେବାର ଭୟ ରହିଥାଏ। ଏହା ସହିତ ବାତ ମାରିବାର ସମ୍ଭାବନା ମଧ୍ୟ ରହିଥାଏ। ଏହା ବ୍ରେନ ଉପରେ ପ୍ରଭାବ ପକାଇବା ସହ ଶରୀରର ବିଭିନ୍ନ ଅଙ୍ଗର କ୍ଷତି କରିଥାଏ। ବ୍ରେନ ମ୍ୟାଲେରିଆ ଯୋଗୁଁ ରୋଗୀର କିଡନୀ, ଲିଭର, ହାର୍ଟ ଏବଂ ଲଙ୍ଗ୍ସ ଆଦି ଉପରେ ପ୍ରଭାବ ପଡ଼ିଥାଏ ବୋଲି ଡାକ୍ତର କୁହନ୍ତି।

ବ୍ରେନ ମ୍ୟାଲେରିଆର କାରଣ ଏବଂ ଲକ୍ଷଣ

ମାଇ ଏନୋଫିଲିସ୍ ମଶା କାମୁଡ଼ିବା ଦ୍ଵାରା ବ୍ରେନ ମ୍ୟାଲେରିଆ ହୋଇଥାଏ। ବ୍ରେନ ମ୍ୟାଲେରିଆ ହେଲେ ରୋଗୀକୁ କମ୍ପ ଜ୍ଵର ହେବ, ଜ୍ଵର ଛାଡ଼ିବା ପରେ ମଧ୍ୟ ଦେହ ଶୀତେଇବ, ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲାଇ ସହ ବାନ୍ତି ମଧ୍ୟ ହୋଇଥାଏ।

କ’ଣ ରହିଥାଏ ଜଟିଳତା?

ବ୍ରେନ ମ୍ୟାଲେରିଆ ଶରୀରର ଅନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ। ବିଶେଷ ଭାବେ ଏହା କିଡନୀ ଉପରେ ବେଶି ପ୍ରଭାବ ପକାଇଥାଏ। ଏହା ଦ୍ଵାରା ରୋଗୀର ପରିସ୍ରାର ପରିମାଣ କମିଯାଏ। ଏହା ଲଙ୍ଗ୍ସକୁ ପ୍ରଭାବିତ କରିବା ଦ୍ଵାରା ରୋଗୀର ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେବ ଏବଂ ଭେଣ୍ଟିଲେଟର ଲାଗିବାର ସମ୍ଭାବନା ଅଧିକ ରହିଥାଏ। ହାର୍ଟକୁ ପ୍ରଭାବିତ କଲେ ହାର୍ଟ ଆଟାକ ହେବାର ସମ୍ଭାବନା ରହିଥିବା ଡାକ୍ତର କୁହନ୍ତି।

ବ୍ରେନ ମ୍ୟାଲେରିଆର ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ପରୀକ୍ଷା କରାଇବା ସହ ଡାକ୍ତର ଦେଇଥିବା ଔଷଧକୁ ଠିକ୍ ସମୟରେ ଖାଇବା ଦ୍ଵାରା ଏଥିରୁ ଉପଶମ ମିଳିପାରିବ ବୋଲି ଡାକ୍ତର କୁହନ୍ତି।

ମଶାଠାରୁ ଦୂରେଇ ରହିବାକୁ ଯଥା ସମ୍ଭବ ଚେଷ୍ଟା କରିବା, ଜ୍ଵର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶରେ ପରୀକ୍ଷା କରାଇବା, ଘରେ ମଶାରୀ ବ୍ୟବହାର କରିବା, ଡାକ୍ତରଙ୍କ ପରାମର୍ଶ ଅନୁସାରେ ମଶା ମରା ଔଷଧ ବ୍ୟବହାର କରିବା ସହ ଘର ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖି ମଶା ବଂଶ ବିସ୍ତାରକୁ ରୋକିବା ପାଇଁ ଡାକ୍ତର ମେଘନାଦ ମେହେର ପରାମର୍ଶ ଦେଇଛନ୍ତି।

Tags: #WorldMosquitoDay2022 #MosquitoCountdown #Malaria #BrainMalaria #EndMalaria

Comment