ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ବୁଧବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟର୍ସ ମିଟକୁ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଦେଶରେ ପୁଞ୍ଜି ନିବେଶ କରିବା ପାଇଁ ଓଡ଼ିଶା ଉତ୍କୃଷ୍ଟ ସ୍ଥାନ ବୋଲି ମନ୍ତବ୍ୟ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିସହ ଓଡ଼ିଶାରେ କିପରି ଅଧିକରୁ ଅଧିକ ପୁଞ୍ଜି ନିବେଶ କରାଯାଇପାରିବ ସେ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ମେକ୍ ଇନ୍ କନକ୍ଲେଭର ୩ୟ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି।

ଏହି ଅବସରରେ ସେ ଉପସ୍ଥିତ ଥିବା ପୁଞ୍ଜି ନିବେଶକ ଓ ରାଷ୍ଟ୍ରଦୂତଙ୍କୁ ଏହି କନକ୍ଲେଭରେ ଯୋଗ ଦେବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, “ଆମେ କନକ୍ଲେଭ୍ ସ୍ଥାନରେ ଅନ୍ତର୍ଜାତୀୟସ୍ତରର ପୁଞ୍ଜି ନିବେଶକଙ୍କ ଉପସ୍ଥିତି ଚାହୁଁଛୁ।” ପୁଞ୍ଜି ନିବେଶକମାନେ ଏହି କନକ୍ଲେଭରେ ଯୋଗ ଦେଇ ସେମାନଙ୍କ କାର୍ଯ୍ୟାଳୟ ଓ ଷ୍ଟଲ୍ ଖୋଲିବାକୁ ନିବେଦନ କରିବା ସହ ଏନେଇ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି କନକ୍ଲେଭରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରାଷ୍ଟ୍ରଦୂତଙ୍କ ସହିତ ଭାବ ବିନିମୟ କରିଥିଲେ। ସେ କହିଥିଲେ, ଓଡ଼ିଶା ଏବେ ବିକାଶ କ୍ଷେତ୍ରରେ ଅଗ୍ରସର ହେବାରେ ଲାଗିଛି। ଏ କ୍ଷେତ୍ରରେ ଶିଳ୍ପାୟନର ଖୁବ୍ ଆବଶ୍ୟକତା ରହିଛି।

Tags: #MakeInConclaveodisha2020 #CMNaveenPatanaik #investersmeet

Comment