ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ସୂର୍ଯ୍ୟକୁମାର ଯାଦବ ଆଇସିସି ଟି-୨୦ ରାଙ୍କିଂରେ ଏକ ନମ୍ବର ବ୍ୟାଟର ହେବାର ଗୌରବ ହାସଲ କରିଛନ୍ତି। ସେ ପାକିସ୍ତାନର ମହମ୍ମଦ ରିଜଓ୍ଵାନଙ୍କୁ ପଛରେ ପକାଇ ଏହି ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ଵକପ୍‌ର ନେଦରଲ୍ୟାଣ୍ଡ୍ ବିପକ୍ଷ ମୁକାବିଲାରେ ୨୫ ବଲ୍‌ରେ ଅପରାଜିତ ୫୧ ରନ୍ କରିବା ପରେ ଏହି ସଫଳତା ପାଇଛନ୍ତି। ଏହି ଇନିଂସ ପରେ ସୂର୍ଯ୍ୟକୁମାରଙ୍କ ରେଟିଂ ପଏଣ୍ଟ ସଂଖ୍ୟା ୮୬୩ ହୋଇଥିବାବେଳେ ରିଜଓ୍ଵାନ ୮୪୨ରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଡେଭନ କନଓ୍ଵେ ୭୯୨ ପଏଣ୍ଟ ସହ ତୃତୀୟ ଓ ପାକିସ୍ତାନର ବାବର ଆଜମ ୭୮୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ଦଶ ମଧ୍ୟରେ ଭାରତର ଆଉ ଜଣେ ମାତ୍ର ବ୍ୟାଟର ବିରାଟ କୋହଲି ରହିଛନ୍ତି।

ଆଇସିସି ପକ୍ଷରୁ  ଯେ କୌଣସି ବ୍ୟକ୍ତିଗତ ରାଙ୍କିଂରେ ଏକ ନମ୍ବର ବ୍ୟାଟର ହେବାରେ କୋହଲିଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଦ୍ଵିତୀୟ ଭାରତୀୟ ଖେଳାଳି। ତାଙ୍କ ପୂର୍ବରୁ ବିରାଟ କୋହଲି ଏହି ରାଙ୍କିଂରେ ୧୧୦୩ ଧରି ବିଭିନ୍ନ ଫର୍ମାଟରେ ଏକ ନମ୍ବର ବ୍ୟାଟର ରହିଥିଲେ।

ଆଇଆଇସି ସର୍ବଶ୍ରେଷ୍ଠ ରାଙ୍କ୍ ତାଲିକା ପ୍ରକାଶ ପାଇଲା ପର୍ଯ୍ୟନ୍ତ ସୂର୍ଯ୍ୟକୁମାର ଭାରତ ପକ୍ଷରୁ ୩୭ଟି ମ୍ୟାଚ୍ ଖେଳିସାରିଛନ୍ତି। ଏହା ମଧ୍ୟରେ ସେ ନିଜକୁ ଜଣେ ଶ୍ରେଷ୍ଠ ବ୍ୟାଟର ଭାବେ ପ୍ରତିଷ୍ଠା ମଧ୍ୟ କରିସାରିଛନ୍ତି। ଟି-୨୦ ବ୍ୟତୀତ ଭାରତ ପକ୍ଷରୁ ସେ ୧୩ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ସମର୍ଥ ହେଇଛନ୍ତି।

Tags: #SuryakumarYadav #ICCT20WorldCup #NoOneBatsman #India #ViratKohli #IndianCricketTeam

Comment