ଓଡ଼ିଶାଲାଇଭ୍ ବ୍ୟୁରୋ

ଇଡି କାର୍ଯ୍ୟାଳୟରେ ହାଜର ହେଲେନି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା। ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି ଟଙ୍କା ମାଗିବା ଘଟଣାରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ହୋଇଥିଲା। କିନ୍ତୁ ଅସୁସ୍ଥତା କାରଣରୁ ଆଜି ସେ ଇଡିରେ ହାଜର ହୋଇ ପାରିନାହାନ୍ତି ବୋଲି ଅକ୍ଷୟ ପରିଜାଙ୍କ ଓକିଲ ଆକାଶ ଭୂୟାଁ କହିଛନ୍ତି।

କିଛି ଦିନ ପୂର୍ବେ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା ଅର୍ଚ୍ଚନା ନାଗ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ବ୍ଲାକମେଲିଂ କରି ତାଙ୍କୁ ଟଙ୍କା ମଗାଯାଉଥିବା ସେ ଏତଲାରେ ଦର୍ଶାଇ ଥିଲେ। ଏହି ମାମଲାରେ ଶୁକ୍ରବାର ଦିନ ହାଜର ହେବାକୁ ଅକ୍ଷୟ ପରିଜାଙ୍କୁ ସମନ ଜାରି କରିଥିଲା ଇଡି।

ଅକ୍ଷୟ ପରିଜାଙ୍କ ଅଭିଯୋଗ ପରେ ବଦଳି ଯାଇଥିଲା ପୁରା ଘଟଣା। ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଗିରଫ ହୋଇଥିଲେ ଅର୍ଚ୍ଚନା ନାଗ। ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗରେ ଛନ୍ଧି ହୋଇଥିଲେ ଅର୍ଚ୍ଚନା। ଅନେକ ନେତା, ବ୍ୟବସାୟୀ ଏବଂ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ବ୍ଲାକମେଲିଂ କରି ଟଙ୍କା ହଡପ କରୁଥିବା ଜଣାପଡ଼ିଥିଲା। ଇଡି ଏବେ ଅର୍ଚ୍ଚନାଙ୍କ ସମ୍ପତ୍ତି ମାପୁ ଥିବାବେଳେ ଅକ୍ଷୟ ପରିଜାଙ୍କଠାରୁ ବ୍ଲାକମେଲିଂ କରି କେତେ ଟଙ୍କା ନେଇଥିଲେ, ସେମ୍ପର୍କରେ ଖୋଳତାଡ଼ କରିବା ପାଇଁ ଆଜି ଇଡିରୁ ଡକରା ଆସିଥିଲା।

ବର୍ତ୍ତମାନ ଅକ୍ଷୟ ପରିଜାଙ୍କ ଦେହ ଅସୁସ୍ଥ ରହିଛି। ତେଣୁ ସେ ଇଡି କାର୍ଯ୍ୟାଳୟରେ ଆଜି ହାଜର ହୋଇପାରି ନାହାନ୍ତି। ଇଡି ପରବର୍ତ୍ତୀ ତାରିଖ ଧାର୍ଯ୍ୟ କଲେ ଅକ୍ଷୟ ପରିଜା ହାଜର ହୋଇ ନିଜ ପକ୍ଷ ରଖିବେ ବୋଲି କହିଛନ୍ତି ଅକ୍ଷୟଙ୍କ ଓକିଲ।

Tags: #AkhayaParija #FilmMaker #ED #ArchanaNaag #EnforcementDirectorate #Blackmail

Comment