ଓଡ଼ିଶାଲାଇଭ୍ ବ୍ୟୁରୋ

ଇଡି କାର୍ଯ୍ୟାଳୟରେ ମଙ୍ଗଳବାର ଦିନ ହାଜର ହୋଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା। ଅର୍ଚ୍ଚନା ନାଗ ବ୍ଲାକମେଲିଂ କରି ଟଙ୍କା ମାଗିବା ଘଟଣାରେ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏହା ପୂର୍ବରୁ ଗତ ୧୯ ତାରିଖରେ ଅକ୍ଷୟ ପରିଜାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବା ନିମନ୍ତେ ସମନ ଜାରି କରାଯାଇଥିଲା। କିନ୍ତୁ ଅସୁସ୍ଥତା କାରଣରୁ ସେ ଇଡିରେ ହାଜର ହୋଇ ପାରିନଥିଲେ। କିନ୍ତୁ ତାଙ୍କ ଓକିଲ ଆକାଶ ଭୂୟାଁ ଇଡି କାର୍ଯ୍ୟାଳୟରେ ପହଞ୍ଚି ଅକ୍ଷୟ ପରିଜାଙ୍କ ପକ୍ଷରୁ ପକ୍ଷ ରଖିଥିଲେ।

କିଛି ଦିନ ପୂର୍ବେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନା ନାଗ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ବ୍ଲାକମେଲିଂ କରି ତାଙ୍କୁ ୩ କୋଟି ଟଙ୍କା ମାଗିବା ସହ ହତ୍ୟା ଧମକ୍ ଦିଆଯାଇଥିବା ସେ ଏତଲାରେ ଦର୍ଶାଇ ଥିଲେ। ଏହି ମାମଲାରେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଅକ୍ଷୟ ପରିଜା। ସେ ନିଜର ପକ୍ଷ ରଖିବେ।

ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ବଦଳି ଯାଇଥିଲା ପୁରା ଘଟଣା। ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଗିରଫ ହୋଇଥିଲେ ଅର୍ଚ୍ଚନା ନାଗ। ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗରେ ଛନ୍ଧି ହୋଇଥିଲେ ଅର୍ଚ୍ଚନା। ଅନେକ ନେତା, ବ୍ୟବସାୟୀ ଏବଂ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ବ୍ଲାକମେଲିଂ କରି ଟଙ୍କା ହଡପ କରୁଥିବା ଜଣାପଡ଼ିଥିଲା। ଇଡି ଏବେ ଅର୍ଚ୍ଚନାଙ୍କ ସମ୍ପତ୍ତି ମାପୁ ଥିବାବେଳେ ଅକ୍ଷୟ ପରିଜାଙ୍କଠାରୁ ବ୍ଲାକମେଲିଂ କରି କେତେ ଟଙ୍କା ନେଇଥିଲେ, ସେମ୍ପର୍କରେ ଖୋଳତାଡ଼ କରିବା ପାଇଁ ଇଡିରୁ ଡକରା ଆସିଛି।

ଅକ୍ଷୟ ପରିଜାଙ୍କ ସହ ଅନ୍ୟ ଜଣେ ବ୍ୟବସାୟୀ ଅମିୟକାନ୍ତ ଦାସଙ୍କୁ ମଧ୍ୟ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ ହୋଇଛି। ଅର୍ଚ୍ଚନା ନାଗଙ୍କ ଆକାଉଣ୍ଟକୁ ଅମିୟ ଦାସଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିଲା। ଏହା ଖୋଳତାଡ଼ କରିବାକୁ ତାଙ୍କୁ ଇଡିରେ ହାଜର ହେବାକୁ କୁହାଯାଇଛି।

Tags: #EnforcementDirectorate #AkhayaParija #EDOffice #Blackmail #ArchanaNaag

Comment