ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ୟୁସନ ସାରି ଘରକୁ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ଅଧାବାଟରୁ ନିଖୋଜ ହୋଇଯାଇଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଗାଁର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର। ୩ ଦିନ ହେଲା ଅମ୍ରିତଙ୍କର କୌଣସି ଖୋଜଖବର ମିଳୁନାହିଁ। ଅମ୍ରିତଙ୍କୁ ଖୋଜିବା ପାଇଁ ଲାଗି ପଡ଼ିଛନ୍ତି ପୋଲିସ ଟିମ୍।

ଗୁରୁବାର ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ସାଇକେଲ ନେଇ ପାଖ ଗାଁକୁ ଟ୍ୟୁସନ ପାଇଁ ଯାଇ ଘରକୁ ଫେରୁଥିଲେ। ପୁଅ ଘରକୁ ଫେରିବା ସମୟ ବିଳମ୍ବ ହେବାରୁ ବ୍ୟସ୍ତ ହୋଇପଡ଼ିଥିଲେ ପରିବାର ଲୋକେ। କିଛି ସମୟ ପରେ ରାସ୍ତା ନିକଟରେ ଅମ୍ରିତଙ୍କ ସାଇକେଲ ପଡ଼ିଥିବା ଅନ୍ୟ ଜଣେ ଛାତ୍ର ଅମ୍ରିତଙ୍କ ପରିବାରକୁ କହିଥିଲେ।

ଏହା ପରେ ଅମ୍ରିତଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପରିବାର ଲୋକେ ପାଇନଥିଲେ। ପରେ ପୁଅ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ ଅମ୍ରିତଙ୍କ ବାପା। ଅଭିଯୋଗ ପରେ ଏବେ ଓଡ଼ଗାଁ ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି।

୩ ଦିନ ହେଲା ଅମ୍ରିତଙ୍କର ସନ୍ଧାନ ମିଳିପାରୁ ନାହିଁ। ଶନିବାର ଦିନ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି କୁରାଳ ଗାଁରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ଭୁବନେଶ୍ୱରରୁ ସ୍ୱତନ୍ତ୍ର ଡଗ୍ ସ୍କ୍ୱାର୍ଡ ମଧ୍ୟ ଅନୁସନ୍ଧାନ କାର୍ଯ୍ୟରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ପୋଲିସକୁ କୌଣସି ସୁରାକ୍ ମିଳିପାରି ନାହିଁ।

ଛାତ୍ର ଅମ୍ରିତ ନିଖୋଜ ହେବା ଦିନ ସନ୍ଧ୍ୟାରେ ଗାଁ ନିକଟସ୍ଥ ରାସ୍ତାରେ ଏକ ପିକଅପ୍ ଭ୍ୟାନ ଦ୍ରୁତ ବେଗରେ ଯାଉଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ଅମ୍ରିତ ନିଖୋଜ ହେବାର ୩/୪ ଦିନ ପୂର୍ବରୁ ମଧ୍ୟ କୁରାଳ ଗାଁ ନିକଟରେ ସମାନ ଭାବେ ଏକ ପିକଅପ୍ ଭ୍ୟାନ ଯିବା ଆସିବା କରୁଥିବା ଲୋକେ ଦେଖିଛନ୍ତି। ଅମ୍ରିତ ନିଖୋଜ ହେବା ପଛରେ ଏହି  ପିକଅପ୍ ଭ୍ୟାନ ସମ୍ପର୍କ ରହିଥିବା ସନ୍ଦେହ କରାଯାଉଛି।

Tags: #Nayagarh #AmritPatra #KuralVillage #Missing

Comment