ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବିଦ୍ୟୁତ୍‌ ଦରକୁ ପୁଣି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛି ଗ୍ରିଡ୍‌କୋ। ଭାରତର ଅନେକ ରାଜ୍ୟ ତୁଳନାରେ ଓଡ଼ିଶାର ବିଦ୍ୟୁତ୍‌ ଦର ଅଧିକ ଥିବା ବେଳେ, ୨୦୨୩-୨୪ ବର୍ଷରେ ଏହାକୁ ପୁଣି ମହଙ୍ଗା କରିବା ପ୍ରସ୍ତାବ ବିଜୁଳି ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି। ୨୦୨୨-୨୩ ବର୍ଷରେ ୟୁନିଟ୍ ପିଛା ହାରହାରି ବଲ୍‌କ ସପ୍ଲାଇ ମୂଲ୍ୟ (ବିଏସ୍‌ପି) ୩୧୨.୩୪ ପଇସା ରହିଛି। ଏଥିରେ ୟୁନିଟ୍ ପିଛା ଆଉ ୭୭ ପଇସା ବଢାଇବା ଲାଗି ଗ୍ରିଡ୍‌କୋ ପକ୍ଷରୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗକୁ ଆବେଦନ କରାଯାଇଛି।

ଅନ୍ୟପଟରେ କେଉଁ କାରଣ ପାଇଁ ବିଦ୍ୟୁତ୍ କିଣାବିକା ପ୍ରକ୍ରିୟାରେ ମଧ୍ୟସ୍ଥତା ଦାୟିତ୍ଵ ତୁଲାଉଥିବା ଗ୍ରିଡ୍‌କୋ ନିଜର ବାର୍ଷିକ ରାଜସ୍ଵ ଆବଶ୍ୟକତାର ବୋଝକୁ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରକୁ ଛାଡିଦେଉଛି, ତାହାକୁ ନେଇ ବିତର୍କ ମୁଣ୍ଡଟେକିଛି। ରାଜ୍ୟରେ ବିଦ୍ୟୁତ୍ ପରିଚାଳନାର ମାନ ଏବେବି ଠିକ ହୋଇ ନାହିଁ, ଅନେକ ସମୟରେ ବିଦ୍ୟୁତ୍ କାଟ ହେଉଛି। ଯଦି ଏହି ସମୟରେ ଦର ଆହୁରି ବୃଦ୍ଧି କରାଯିବ ତାହେଲେ ଏହା ଗ୍ରାହକଙ୍କ ପକ୍ଷେ ସହଜରେ ଗ୍ରହଣୀୟ ହେବ ନାହିଁ।

୨୦୨୩-୨୪ ବିଦ୍ୟୁତ୍ ଦର ନିର୍ଧାରଣ ଲାଗି ଇତିମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତାବର୍ଷ ୧୪ ହଜାର ୧୯୩ କୋଟି ୭୧ଲକ୍ଷ ଟଙ୍କା ବିଦ୍ୟୁତ୍‌ କିଣିବା ପାଇଁ ଆବଶ୍ୟକ ହେବ ବୋଲି ଗ୍ରିଡ୍‌କୋ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ ନିକଟରେ ଦରଖାସ୍ତ କରିଛି। ବିଭିନ୍ନ ବଣ୍ଟନ କଂପାନିମାନେ ଦାବି କରିଛନ୍ତି ଯେ ସେମାନଙ୍କର ୩୬ ହଜାର ୪୨୮ ନିୟୁତ ୟୁନିଟ୍ ବିଦ୍ୟୁତ୍‌ ଆବଶ୍ୟକ। ଆନ୍ତଃ ରାଜ୍ୟ ବିଦ୍ୟୁତ୍ ପରିବହନ କ୍ଷତି ଓ ଅନ୍ୟାନ୍ୟ ଆବଶ୍ୟକତାକୁ ମିଶାଇଲେ ମୋଟ ୩୭ ହଜାର ୫୫୪ ନିୟୁତ ୟୁନିଟ୍ ବିଦ୍ୟୁତ୍ ଦରକାର। ୨୦୨୨-୨୩ ବର୍ଷରେ ଆମେ ପୂର୍ବ ବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ ବିଦ୍ୟୁତ୍ ଆବଶ୍ୟକତା ପଡିଛି ଏହା ଆସନ୍ତା ବର୍ଷ ଆହୁରି ବଢିବ ବୋଲି ଗ୍ରିଡ୍‌କୋ ଯୁକ୍ତି ବାଢିଛି।

କେତେକ ସମୀକ୍ଷକଙ୍କ ମତରେ ବିଦ୍ୟୁତ୍‌ ଆଇନ-୨୦୦୩ର ଧାରା ୮୬ (୧) (କ) ଓ (ଖ) ରେ ସ୍ପଷ୍ଟ ନିର୍ଦେଶ ଅଛି ଯେ, ରାଜ୍ୟ ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ବିଦ୍ୟୁତ୍‌ କ୍ରୟ ବାବଦ ଖର୍ଚ୍ଚ ବିଚାରକୁ ନେଇ ଏକ ପାଇକାରୀ ଦର ନିର୍ଣ୍ଣୟ କରିବେ। ଆୟୋଗ ଚାହିଁଲେ ରାଜ୍ୟ ଭିତରେ ବିଦ୍ୟୁତ୍‌ ବ୍ୟବସାୟ ପାଇଁ ଏକ ଟ୍ରେଡିଂ ମାର୍ଜିନ ନିର୍ଣ୍ଣୟ କରିପାରିବେ। କିନ୍ତୁ ଓଇଆରସି କେବଳ ଗୋଟିଏ ପଟକୁ ଢଳି ଗ୍ରିଡ୍‌କୋର ସମୁଦାୟ ରାଜସ୍ୱ ଆବଶ୍ୟକତା ଦରଖାସ୍ତକୁ ବିଚାରକୁ ନେଇ ଅନ୍ୟାୟ ଭାବେ ପାଇକାରୀ ଦର ନିର୍ଣ୍ଣୟ କରୁଛନ୍ତି। ଏହା ଦ୍ବାରା ଗ୍ରିଡ୍‌କୋର ବିଦ୍ୟୁତ୍‌ କାରବାର ଜନିତ କ୍ଷତି, ସୁଧ ପରିଶୋଧ, ଦୀର୍ଘସ୍ଥାୟୀ ବିଦ୍ୟୁତ୍‌ କ୍ରୟ ଚୁକ୍ତିର ପରିଚାଳନା ଖର୍ଚ୍ଚ ଓ ଅନ୍ୟାନ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଭାର ବିଦ୍ୟୁତ୍ ଉପଭୋକ୍ତା ମୁଣ୍ଡାଉଛନ୍ତି।

Tags: #GRIDCO #electricity #supply #pricerise #state #electricityconsumer #OERC #Odisha

LEAVE A REPLY

Please enter your comment!
Please enter your name here