ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନିଖୋଜ ହେବାର ୫ ଦିନ ପରେ ନାଟକୀୟ ଢଙ୍ଗରେ ନିଜ ଗାଁରୁ ସୋମବାର ଦିନ ଉଦ୍ଧାର ହୋଇଥିଲେ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର। କୁରାଳ ଗାଁର ଏକ ଘରୁ ହାତଗୋଡ଼ ବନ୍ଧ ହୋଇଥିବା ଅବସ୍ଥାରେ ଅମ୍ରିତଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ ଅମ୍ରିତଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ଆଜି ଏହି ଘଟଣାରେ ଓଡ଼ଗାଁ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ କୁରାଳ ଗାଁର ବୋଲି ଜଣାପଡ଼ିଛି।

ଗୁରୁବାର ସନ୍ଧ୍ୟାରେ ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ ଏକ ପିକଅପ ଭ୍ୟାନରେ ଆସିଥିବା ୩ ଜଣ ଅଚିହ୍ନା ଯୁବକ ତାଙ୍କୁ ଉଠାଇ ନେଇଥିଲେ। ଘଟଣା ଦିନ ରାତିରେ ଏକ କାର ଯୋଗେ ଅମ୍ରିତଙ୍କୁ କୁରାଳ ଗାଁକୁ ଅଣାଯାଇଥିଲା। ସେହି ଗାଁର ସୁବୁଦ୍ଧି ସାହିରେ ଦୀର୍ଘ ଦିନରୁ ତାଲା ପଡ଼ିରହିଥିବା ଗୋଟିଏ ଘରେ ହାତଗୋଡ଼ ବାନ୍ଧି ଅମ୍ରିତଙ୍କୁ ରଖାଯାଇଥିଲା ବୋଲି ଅମ୍ରିତ ପୋଲିସକୁ ସୂଚନା ଦେଇଛି।

ସୋମବାର ଦିନ ସକାଳେ ଦୀର୍ଘ ଦିନରୁ ବନ୍ଦ ପଡ଼ିଥିବା ଘରୁ କୌଣସି ବାଳକର ଚିତ୍କାର ଶୁଣିଥିଲେ ସେହି ସାହିର ଜଣେ ମହିଳା। ଏହା ପରେ ସେ ଗ୍ରାମବାସୀ ଏବଂ ସରପଞ୍ଚଙ୍କୁ ଜଣାଇଥିଲେ। ଘରର ତାଲା ଭାଙ୍ଗିବା ପରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଅମ୍ରିତଙ୍କୁ ଦେଖିଥିଲେ। ଗ୍ରାମବାସୀ ଅମ୍ରିତଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଅମ୍ରିତଙ୍କୁ ନେଇ ଥାନାରେ ପଚରା ଉଚରା କରିବା ପରେ ସେ ଘରକୁ ଫେରିଥିଲେ।

ଏହି ଘଟଣାରେ ପୋଲିସ କିଛି ସ୍ଥାନୀୟ ଲୋକ ଏବଂ ଅମ୍ରିତଙ୍କ ବାପା ମା’ଙ୍କୁ ଥାନାକୁ ଡକାଇ ପଚରା ଉଚରା କରୁଛି। କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଅମ୍ରିତଙ୍କୁ ଅପହରଣ କରିଥିଲା ତା’ର ତଦନ୍ତ ଚାଲିଥିବା କହିଛନ୍ତି ସରଣକୁଳ ଏସଡିପିଓ କିରଣ ହେମ୍ବ୍ରମ।

ଗୁରୁବାର ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ସାଇକେଲ ନେଇ ପାଖ ଗାଁକୁ ଟ୍ୟୁସନ ପାଇଁ ଯାଇ ଘରକୁ ଫେରୁଥିଲେ। ପୁଅ ଘରକୁ ଫେରିବା ସମୟ ବିଳମ୍ବ ହେବାରୁ ବ୍ୟସ୍ତ ହୋଇପଡ଼ିଥିଲେ ପରିବାର ଲୋକେ। କିଛି ସମୟ ପରେ ରାସ୍ତା ନିକଟରେ ଅମ୍ରିତଙ୍କ ସାଇକେଲ ପଡ଼ିଥିବା ଅନ୍ୟ ଜଣେ ଛାତ୍ର ଅମ୍ରିତଙ୍କ ପରିବାରକୁ କହିଥିଲେ।

ଏହା ପରେ ଅମ୍ରିତଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପରିବାର ଲୋକେ ପାଇନଥିଲେ। ପରେ ପୁଅ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ ଅମ୍ରିତଙ୍କ ବାପା। ଅଭିଯୋଗ ପରେ ଓଡ଼ଗାଁ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଶନିବାର ଦିନ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି କୁରାଳ ଗାଁରେ ପହଞ୍ଚି ଅନୁସନ୍ଧାନ କରିବା ସହ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଡଗ୍ ସ୍କ୍ୱାର୍ଡ ମଧ୍ୟ ଅନୁସନ୍ଧାନ କାର୍ଯ୍ୟରେ ଲାଗିଥିଲେ।

ଅମ୍ରିତ ନିଖୋଜ ହେବା ଦିନ ସନ୍ଧ୍ୟାରେ ଗାଁ ନିକଟସ୍ଥ ରାସ୍ତାରେ ଏକ ପିକଅପ୍ ଭ୍ୟାନ ଦ୍ରୁତ ବେଗରେ ଯାଉଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ଅମ୍ରିତ ନିଖୋଜ ହେବାର ୩/୪ ଦିନ ପୂର୍ବରୁ ମଧ୍ୟ କୁରାଳ ଗାଁ ନିକଟରେ ସମାନ ଭାବେ ଏକ ପିକଅପ୍ ଭ୍ୟାନ ଯିବା ଆସିବା କରୁଥିବା ଲୋକେ ଦେଖିଥିଲେ। ଅମ୍ରିତ ନିଖୋଜ ହେବା ପଛରେ ଏହି  ପିକଅପ୍ ଭ୍ୟାନ ସମ୍ପର୍କ ରହିଥିବା ସନ୍ଦେହ କରାଯାଉଥିଲା। ବତ୍ତର୍ମାନ ପର୍ଯ୍ୟନ୍ତ ଅମ୍ରିତଙ୍କ ଅପହରଣ ପଛର ଘଟଣା ରହସ୍ୟ ମଧ୍ୟରେ ରହିଛି।

Tags: #Nayagarh #KuralVillageStudent #AmritPatra #AmritMissing #Rescue #ThreeArrest

Comment