ଓଡ଼ିଶାଲାଇଭ୍ ବ୍ୟୁରୋ
ଯୋଡ଼ା ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଡାକ୍ତର ଶୁଭଶ୍ରୀ କରଙ୍କର ସନ୍ଦେହଜନକ ମୃତ୍ୟୁକୁ ଏବେ ବି ଅନେକ ଚର୍ଚ୍ଚା ହେଉଛନ୍ତି। ଏହାରି ମଧ୍ୟରେ ଶନିବାର ଦିନ ଆସିଛି ଭିସେରା ରିପୋର୍ଟ। ମଦ୍ୟପାନ ଏବଂ ନିଶା ଔଷଧ ସେବନ କାରଣରୁ ଶୁଭଶ୍ରୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଗତ ୨୦୨୨ ମସିହା ଡିସେମ୍ବର ମାସ ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ କରିବା ପରେ ଜାନୁଆରି ୧ ତାରିଖରେ ସନ୍ଦେହଜନକ ଭାବେ ଡାକ୍ତର ଶୁଭଶ୍ରୀଙ୍କର ମୃତ୍ୟୁ ହୋଇଥିଲା। ବିଷ ଯୋଗୁଁ ଶୁଭଶ୍ରୀଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶା ଯାଇଥିଲା। ଆଜି ଭିସେରା ରିପୋର୍ଟ ଆସିବା ପରେ ମୃତ ଶୁଭଶ୍ରୀଙ୍କ ବାପା ଆଣିଛନ୍ତି ୪ ଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ।
ମୋ ଝିଅକୁ ହତ୍ୟା କରାଯାଇଛି – ଶୁଭଶ୍ରୀଙ୍କ ବାପା
ଝିଅକୁ ଷଡ଼ଯନ୍ତ୍ର କରି ବିଷ ଦିଆଯାଇଥିବା ଡାକ୍ତର ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଅଭିଯୋଗ କରିଛନ୍ତି। ସେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝି ଓ ସହ ତାଙ୍କର ତିନି ଡାକ୍ତର ସାଙ୍ଗଙ୍କ ବିରୋଧରେ ଏତଲା ଦେଇଛନ୍ତି। ତୁରନ୍ତ ଘଟଣା ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ମନୋରଞ୍ଜନ କର।
ଆଗୁଆ ଜାମିନ ମାଗିଲେ ଡାକ୍ତର ଦିବ୍ୟରଞ୍ଜନ
ମହିଳା ଡାକ୍ତର ଶୁଭ୍ରଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଡ଼ୁଆରେ ପଡ଼ିଥିବା ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ଶୁଭଶ୍ରୀଙ୍କ ମୃତ୍ୟୁ ପରଠାରୁ ଦିବ୍ୟରଞ୍ଜନ କେଉଁଠି ଲୁଚି ରହିଥିବା କୁହାଯାଉଛି।
ଡାକ୍ତରୀ ପାଠ ପଢ଼ିବା ସମୟରେ ଉଭୟ ଡାକ୍ତର ଶୁଭଶ୍ରୀ ଏବଂ ଡାକ୍ତର ଦିବ୍ୟରଞ୍ଜନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ବର୍ଷର ସମ୍ପର୍କ ପରେ ଦିବ୍ୟରଞ୍ଜନ ବିବାହ କରିବାକୁ ଶୁଭଶ୍ରୀଙ୍କୁ ମନା କରିଦେଇଥିଲେ। ଏ ନେଇ ଡାକ୍ତର ଶୁଭଶ୍ରୀ ଗତ ୨୦୨୨ ମସିହା ଡିସମ୍ବେର ମାସରେ ଡାକ୍ତର ଦିବରଞ୍ଜନଙ୍କ ବିରୋଧରେ ଥାନାର ଦ୍ଵାରସ୍ଥ ହୋଇଥିଲେ।
Tags: #DrSubhashreeKar #UnnaturalDeath #VisceraReport