ଓଡ଼ିଶାଲାଇଭ୍ ବ୍ୟୁରୋ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ୧୨ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଚିନ୍ମୟୀଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ଚିନ୍ମୟୀ ଆତ୍ମହତ୍ୟା କରିବାକୁ ବ୍ରିଜ ଉପରୁ ଡେଇଁ ପଡ଼ିଥିବା କୁହାଯାଉଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

ମଙ୍ଗଳବାର ଦିନ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ। ଉତ୍ସବ ସରିବା ପରେ କିଛି ସାଙ୍ଗଙ୍କ ସହ ସନ୍ଧ୍ୟାରେ ବିଶ୍ଵବିଦ୍ୟାଳୟ ପରିସରରୁ ବାହାରି ଥିଲେ ଚିନ୍ମୟୀ। ବିଶ୍ଵବିଦ୍ୟାଳୟ ବାହାରେ ଚିନ୍ମୟୀଙ୍କର କାହା ସହ ପାଟିତୁଣ୍ଡ ହୋଇଥିଲା। ପରେ ବୁର୍ଲାସ୍ଥିତ ପିସି ବ୍ରିଜରୁ ଚିନ୍ମୟୀ ଡେଇଁ ପଡ଼ିଥିବା ନେଇ ବିଶ୍ଵବିଦ୍ୟାଳୟ କୁଳପତି ଖବର ପାଇଥିଲେ। ଏହା ପରେ ସେ ଅଗ୍ନିଶମ ବିଭଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଚିନ୍ମୟୀଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ମଙ୍ଗଳବାର ପାଇନଥିଲେ। ପୁନର୍ବାର ଖୋଜାଖୋଜି ପରେ ବୁଧବାର ଦିନ ଚିନ୍ମୟୀଙ୍କ ମୃତଦେହ ଠାବ କରାଯାଇଥିଲା।

ଚିନ୍ମୟୀଙ୍କ ମା’ କହିଛନ୍ତି, ମଙ୍ଗବାର ଦିନ ସନ୍ଧ୍ୟାରେ ଚିନ୍ମୟୀ ତାଙ୍କୁ ଫୋନ କରି ବୁର୍ଲାରୁ ଭୁବନେଶ୍ଵର ଯିବେ ବୋଲି ଜଣାଇଥିଲେ। ପୁନର୍ବାର ରାତି ପ୍ରାୟ ସାଢ଼େ ୯ଟାରେ ଚିନ୍ମୟୀଙ୍କ ଫୋନରୁ ତାଙ୍କ ପାଖକୁ କଲ୍ ଆସିଥିଲା। ଫୋନରେ ଚିନ୍ମୟୀଙ୍କ ସ୍ଵର ଠିକ୍ ଭାବେ ଶୁଭୁ ନଥିବାବେଳେ ସେ ବିପଦରେ ଥିବା ଭଳି ତାଙ୍କ ମା’ ଅନୁଭବ କରିଥିଲେ। ଏହା ପରେ ପିସି ବ୍ରିଜରୁ ଚିନ୍ମୟୀ ଡେଇଁ ପଡ଼ିଥିବା ତାଙ୍କ ପାଖକୁ ବିଶ୍ଵବିଦ୍ୟାଳୟରୁ ଫୋନ ଆସିଥିଲା।

ଆଜି ଚିନ୍ମୟୀଙ୍କ ଶବ ଉଦ୍ଧାର କରାଯିବା ପରେ ତାଙ୍କ ଭଉଣୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ କହିଛନ୍ତି ଚିନ୍ମୟୀଙ୍କ ବେକରେ ଅନେକ ଦାଗ ରହିଛି। ଏପରିକି ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ଚିନ୍ମୟୀଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ସେ ଅଭିଯୋଗ କରିବା ସହ ଏଥିରେ ଚିନ୍ମୟୀଙ୍କର ଜଣେ ସାଙ୍ଗର ହାତ ଥିବା କହିଛନ୍ତି। ଚିନ୍ମୟୀଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ମାମଲାରେ ପୋଲିସ ଜଣେ ଯୁବକଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି।

Tags: #VSSUT #ChinmayeePriyadarshiniSahoo #UnnaturalDeath

Comment