ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଷାକ ପରିଧାନକୁ ନେଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି (ଭିସୁଟ) ପକ୍ଷରୁ ଲାଗିଲା କଟକଣା। ଆଗାମୀ ଟେକ୍ନୋ କଲଚରାଲ ଫେଷ୍ଟିଭାଲ ୨୦୨୪ରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକ ପରିଧାନ କରି ସାମିଲ ହେବା ଲାଗି ଭିସୁଟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି। ଆପତ୍ତିଜନକ କିମ୍ବା ସର୍ଟ ଡ୍ରେସ ପିନ୍ଧି ଫେଷ୍ଟିଭାଲରେ ସାମିଲ ହୋଇପାରିବେ ନାହିଁ ଛାତ୍ରଛାତ୍ରୀ।

ଆପତ୍ତିଜନକ ପୋଷାକ, ପାଶ୍ଚାତ୍ୟ ପୋଷାକ କିମ୍ବା ସର୍ଟ ଡ୍ରେସ ପିନ୍ଧିବା ଉପରେ କଟକଣା ଲାଗୁ ହୋଇଛି। ନିୟମ ନମାନିଲେ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଏହାକୁ ସ୍ଵାଗତ କରିଥିବାବେଳେ ଅନ୍ୟ କିଛି ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି।

ଏ ସମ୍ପର୍କରେ ଭିସୁଟ କୁଳପତି ବଂଶୀଧର ମାଝି ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଯେତେ ଆଧୁନିକ ହେଲେ ମଧ୍ୟ ଆମେ ଆମର ସଂସ୍କୃତିକୁ ଭୁଲିଯିବା ଉଚିତ ନୁହେଁ। ଆମ ସଂସ୍କୃତିର ସ୍ଵତନ୍ତ୍ରତା ରହିଛି। ବିଭିନ୍ନ କାର୍ଯ୍ୟକ୍ରମ ତଥା ଉତ୍ସବରେ ଆମ ବେଶ ପୋଷାକକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଏହାଦ୍ଵାରା ଆମ ସଂସ୍କୃତିର ପ୍ରଚାର ଏବଂ ପ୍ରସାର ହୋଇପାରିବ।”

ବର୍ତ୍ତମାନ ଏହି କଟକଣା କେବଳ ଟେକ୍ନୋ-କଲଚରାଳ ଫେଷ୍ଟସଭାଲ ପାଇଁ ଲାଗୁ କରାଯାଇଛି। ଆଗାମୀ ଦିନରେ ଏହାକୁ ନିୟମିତ ଭାବେ ଲାଗୁ କରାଯିବା ଉପରେ ବିଚାର କରାଯିବ ବୋଲି କୁଳପତି ବଂଶୀଧର ମାଝି କହିଛନ୍ତି।

Tags: #VSSUT #RestrictionOnSortDress #TechnoCulturalFestival #Burla

Comment