ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରର ଭିସୁଟରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ଭୁଲ ଅଛି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। କିଟ୍‌ରେ ତ୍ରୁଟି ଥିବା କାରଣରୁ ରିପୋର୍ଟ ପଜିଟିଭ୍‌ ଆସିଥିବା ଦର୍ଶାଇଛନ୍ତି ସଚିବ।

ଫେବ୍ରୁଆରି ୨୭ରେ ଭିସୁଟର ୨୫ଜଣ ଛାତ୍ରଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। କିନ୍ତୁ ଏହିସବୁ ଛାତ୍ର କରୋନା ପଜିଟିଭ୍‌ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଛାତ୍ରମାନଙ୍କର ଆଣ୍ଟିଜେନ ଟେଷ୍ଟରେ ରିପୋର୍ଟ ପଜିଟିଭ୍‌ ଆସିଥିବାବେଳେ, ଆରଟି ପିସିଆର ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଆସିଛି। ତେଣୁ ଆଣ୍ଟିଜେନ ଟେଷ୍ଟ କିଟ୍ ଭୁଲ ଥିବା ଦର୍ଶାଇଛି ସ୍ୱାସ୍ଥ୍ୟ ବିଭାଗ।

ଅନ୍ୟପକ୍ଷରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ କଲେଜ ଯିବାକୁ ବାରଣ କରାଯାଇଥିଲା। ଭିସୁଟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର ହେବାକୁ ଥିବା ଅଫଲାଇନ ପରୀକ୍ଷାକୁ ବାତିଲ କରାଯାଇଥିଲା। ଅଫଲାଇନ କ୍ଲାସ ନକରି ଅନଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଭିସୁଟ କୁଳପତି ବିଭୂତି ଭୂଷଣ ପତି। ଭିସୁଟକୁ ସଟ୍‌ଡାଉନ ଘୋଷଣା କରାଯିବା ସହ ଛାତ୍ରମାନଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଥିଲା। କରୋନା ପାଇଁ ଭିସୁଟର ୧୧ଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା।

Comment