ଓଡ଼ିଶାଲାଇଭ୍ ବ୍ୟୁରୋ

ଅତାବିରା ଓ ହିନ୍ଦୋଳନ ଏନ୍ଏସି ନିର୍ବାଚନରେ ବିଜେଡିର ବିଜୟ ଆଗକୁ ହେବାକୁ ଥିବା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଉପରେ ପ୍ରଭାବ ପକାଇବ। ଉଭୟ ଏନ୍ଏସିର ଫଳାଫଳ ବିଜେଡି ପାଇଁ ବଳ ସଦୃଶ ହୋଇଥିବାବେଳେ କଂଗ୍ରେସ ଏବଂ ବିଜେପି ପାଇଁ ଏବେ ଆତ୍ମସମୀକ୍ଷା କରିବାର ବେଳ ଆସିଛି।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟ ହୋଇଛି। ଏହା ସହିତ ଦୁଇଟି ଏନ୍‌ଏସିର ଅଧ୍ୟକ୍ଷ ପଦବୀ ମଧ୍ୟ ହାତେଇଛି ବିଜେଡି। ହିନ୍ଦୋଳରେ ଗତଥର ଅପେକ୍ଷା ବିଜେପି ଭଲ କରିଥିଲେ ମଧ୍ୟ ଏହା ଦଳକୁ ସାନ୍ତ୍ଵନା ଦେବା ପାଇଁ ବି ଯଥେଷ୍ଟ ନୁହେଁ। ଅତାବିରାର ୭ଟି ଓ୍ଵାର୍ଡରୁ ବିଜେଡି ୬ଟି ଜିତିଛି। ହିନ୍ଦୋଳ ଏନ୍‌ଏସିରେ ୧୬ଟି ଓ୍ଵାର୍ଡରୁ ବିଜେପି ୫ଟି ଜିତିଥିବା ବେଳେ ବିଜେଡି ୧୧ଟି ଓ୍ଵାର୍ଡ ଅକ୍ତିଆର କରିଛି।

ଗତ ଏନ୍‌ଏସି ନିର୍ବାଚନରେ ଅତାବିରାରେ ସମସ୍ତ ଓ୍ଵାର୍ଡରେ ବିଜେଡି ଜିତି ଥିବାବେଳେ ଚଳିତ ଥର ଗୋଟିଏ କଂଗ୍ରେସ ଖାତାକୁ ଯାଇଛି। ସେହିପରି ହିନ୍ଦୋଳରେ ବିଜେଡି ୧୩ଟି ଓ୍ଵାର୍ଡରେ ଜିତିଥିବାବେଳେ ସ୍ଵାଧୀନ ପ୍ରାର୍ଥୀ ଦୁଇଟି ଓ୍ଵାର୍ଡରେ ବିଜୟୀ ହୋଇଥିଲେ। ବିଜେପି ଖାତାକୁ ମାତ୍ର ଗୋଟିଏ ଓ୍ଵାର୍ଡ ଯାଇଥିଲା। କିନ୍ତୁ ଚଳିତ ଥର ବିଜେପି ୫ଟି ଓ୍ଵାର୍ଡ ଅକ୍ତିଆର କରିବାରେ ସକ୍ଷମ ହୋଇଛି।

ଦୁଇଟିଯାକ ଏନ୍‌ଏସିର ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ହିନ୍ଦୋଳରେ ମୋଟ ୮,୬୪୬ ଭୋଟ୍ ପଡ଼ିଥିବା ବେଳେ ବିଜେଡି ପ୍ରାର୍ଥୀ ୪,୩୪୭, ବିଜେପି ପ୍ରାର୍ଥୀ ୩୯୨୩ ଓ କଂଗ୍ରେସ ପ୍ରାର୍ଥୀ ୨୧୯ ଖଣ୍ଡ ଏବଂ ନୋଟାରେ ୧୫୧ ଖଣ୍ଡ ଭୋଟ୍ ପଡ଼ିଛି। ସେହିପରି ଅତାବିରା ଏନ୍‌ଏସି ଅଧ୍ୟକ୍ଷ ନିର୍ବାଚନରେ ୧୦,୦୪୯ ଭୋଟ୍ ପଡ଼ିଥିବା ବେଳେ ବିଜେଡି ପ୍ରାର୍ଥୀ ୬,୫୬୫ ଭୋଟ୍‌ ପାଇଛନ୍ତି। କଂଗ୍ରେସ ୧,୭୩୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ୧,୫୩୨ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛି।

ଆସନ୍ତା ମେ’ ୧୦ ତାରିଖରେ ହେବାକୁ ଯାଉଛି ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ। ଅତାବିରା ଏବଂ ହିନ୍ଦୋଳ ଏନ୍ଏସି ନିର୍ବାଚନ ବିଜୟ ବିଜେଡିକୁ ଉତ୍ସାହିତ କରିବ। କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ଦଳ ପାଇଁ ସମସ୍ୟା ସୃଷ୍ଟି କରିବାର ଅଧିକ ସମ୍ଭାବନା ରହିଛି। ଏବେ ଝାରସୁଗୁଡ଼ା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଅଲଗା ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ଅଳ୍ପ କିଛି ଦିନ ତଳେ ବିଜେପି ରାଜ୍ୟ ସଭାପତି ଦାୟିତ୍ଵ ନେଇଥିବା ମନମୋହନ ସାମଲଙ୍କ ପାଇଁ ବୁଧବାର ଖରାପ ଦିନ ବୋଲି ପ୍ରମାଣିତ ହୋଇଛି। କାରଣ ଛୋଟ ହେଉ କିମ୍ବା ବଡ଼ ନିର୍ବାଚନ, ଫଳାଫଳ କିନ୍ତୁ ଗୁରୁତ୍ଵପୂର୍ଣ୍ଣ। କାରଣ ଗୋଟିଏ ବିଜୟ ପରବର୍ତ୍ତୀ ଲଢ଼େଇ ପାଇଁ ଶକ୍ତି ଓ ଉତ୍ସାହ ଦେଇଥାଏ।

ଅତାବିରା ନିର୍ବାଚନର ଭୋଟ ହାରକୁ ଦେଖିଲେ ଫଳାଫଳ ଏକପାଖିଆ ବିଜେଡି ସପକ୍ଷରେ ଯାଇଛି। କାରଣ ଏଠାରେ ବିଜୟ ବ୍ୟବଧାନ ବହୁତ ଅଧିକ ରହିଛି। ହିନ୍ଦୋଳ ନିର୍ବାଚନରେ ଭୋଟ୍‌ ହାରକୁ ଦେଖି ବିଜେପି ଖୁସି ହୋଇପାରେ। ହିନ୍ଦୋଳ ଏନ୍ଏସିରେ ବିଜେପି ଗତଥର ମାତ୍ର ଗୋଟିଏ ଆସନ ଜିତିଥିବା ବେଳେ ଚଳିତଥର ୫ଟି ଆସନ ଜିତିଛି। ଭୋଟ୍ ହାରକୁ ଦେଖିଲେ ଭଲ ଟକ୍କର ଦେଇଛି ବିଜେପି। କିନ୍ତୁ ସାମଗ୍ରିକ ଭାବେ ହାରିଗଲା ପରେ ପୂର୍ବ ନିର୍ବାଚନର ମତଦାନଠାରୁ ଉନ୍ନତ ମତଦାନ ହାର କୌଣସି ଦଳ ପାଇଁ ତତ୍‌କ୍ଷଣାତ କିଛି ଗୁରୁତ୍ଵ ରଖେ ନାହିଁ ବୋଲି ରାଜନୀତି ସମୀକ୍ଷକମାନେ ମତ ଦିଅନ୍ତି।

୨୦୧୭ ମସିହା ପଞ୍ଚାୟତିରାଜ ନିର୍ବାଚନରେ ବିଜେପି ଆଶାତୀତ ସଫଳତା ହାସଲ କରିବା ସହ ବିଜେଡି ପାଇଁ ଏକଦମ ଅଡୁଆ ପରିସ୍ଥିତି ସୃଷ୍ଟି କରିଦେଇଥିଲା। କିନ୍ତୁ ଏହାର ପ୍ରତିଫଳନ ୨୦୧୯ ମସିହା ବିଧାନସଭା ନିର୍ବାଚନରେ ପଡ଼ିନଥିଲା। ଜିଲ୍ଲାପରିଷଦ ଆସନ ଅନୁପାତରେ ବିଧାନସଭା ଆସନ ହାସଲ କରିପାରିନଥିଲା ବିଜେପି। ୨୦୨୨ ମସିହା ପଞ୍ଚାୟତ ନିର୍ବାଚନ ହେଉ କି ୨୦୧୯ ମସିହା ସାଧାରଣ ନିର୍ବାଚନ, ପରବର୍ତ୍ତୀ ଯେତୋଟି ବିଧାନସବା ଉପ ନିର୍ବାଚନ କିମ୍ବା ପୌର ନିର୍ବାଚନ ସବୁଠି ବିଜେଡିର ଦବଦବା ଜାରି ରହିଥିଲା। ୨୦୨୨ ମସିହା ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ଟି ଜିଲ୍ଲା ପରିଷଦ ଅଧିକାର କରିଥିଲା ବିଜେଡି।

କଂଗ୍ରେସ ବାରମ୍ବାର ଶୋଚନୀୟ ପ୍ରଦର୍ଶନ କରି ଆସୁଥିବା ବେଳେ ବିଜେପି ନିଜକୁ ଦ୍ଵିତୀୟ ସ୍ଥାନକୁ ଉଠାଇ ପାରିଛି। ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ ଆସୁଛି। କିନ୍ତୁ ଝାରସୁଗୁଡ଼ା ନିର୍ବାଚନ ପାଇଁ ବିଜେଡିକୁ ଅତାବିରା ଓ ହିନ୍ଦୋଳରୁ ଭିଟାମିନ୍ ମିଳିଛି। କିନ୍ତୁ ବିଜେପି ଓ କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି। ଏହା ଛଡ଼ା ଗତ ଉପ ନିର୍ବାଚନ ଗୁଡ଼ିକରେ ଗୋଟିଏ ଧାମନଗର ଆସନକୁ ଛାଡ଼ିଦେଲେ ସବୁଠି ବିଜେଡି ବିପୁଳ ଭୋଟ୍‌ରେ ବିଜୟୀ ହୋଇଛି। ବିଜେପୁର, ବ୍ରଜରାଜନଗର, ପଦ୍ମପୁର, ବାଲେଶ୍ଵର, ଜଗତସିଂହପୁର, ପିପିଲି ଉପ ନିର୍ବାଚନରେ ବିଜେଡି ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିଲା।

Tags: #Politics #OdishaPolitics #BJD #BJP #Congress #AtabiraAndHindolNACElection

Comment