ଓଡ଼ିଶାଲାଇଭ୍ ବ୍ୟୁରୋ

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ଦିନ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି କଂଗ୍ରେସ। ଏହି ୪୦ ଜଣିଆ ତାଲିକାରେ କଂଗ୍ରେସ ନିଜର ଜାତୀୟ ଓ ରାଜ୍ୟସ୍ତରୀୟ ବହୁ ନେତାଙ୍କୁ ସାମିଲ କରିଛି। ଏହି ନେତାମାନେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରଚାର କରିବେ।

କଂଗ୍ରେସର ଏହି ଷ୍ଟାର ପ୍ରଚାରକ ତାଲିକାରେ ପ୍ରଥମରେ ଅଛନ୍ତି ଓଡ଼ିଶାରେ କଂଗ୍ରେସର ପ୍ରଭାରି ସାଂସଦ ଡକ୍ଟର ଏ ଚେଲ୍ଲାକୁମାର। ଏଥିସହ ତାଲିକାରେ ଅନ୍ୟତମ ଜାତୀୟ ଚେହେରା ଭାବେ କହ୍ନେୟା କୁମାର ସାମିଲ ହୋଇଛନ୍ତି। ସେହିପରି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକଙ୍କ ଭଳି ପ୍ରମୁଖ କଂଗ୍ରେସ ନେତା ଏହି ତାଲିକାରେ ସାମିଲ ହୋଇଛନ୍ତି।

ସେହିପରି ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ, ଓଡ଼ିଶା ମହିଳା କଂଗ୍ରେସ ସଭାପତି ବନ୍ଦିତା ପାତ୍ର, ବିଜୟ କୁମାର ପଟ୍ଟନାୟକ, ତାରାପ୍ରସାଦ ବାହିନୀପତି, ସପ୍ତଗିରି ଉଲ୍ଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା ଓ ଅନ୍ୟାନ୍ୟ କଂଗ୍ରେସ ନେତା ସାମିଲ ଅଛନ୍ତି।

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି। ସେ ଏପ୍ରିଲ ୧୫ ତାରିଖ ଦିନ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତରୁଣଙ୍କ ପ୍ରାର୍ଥିପତ୍ର ଦାଖଲବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ଅନ୍ୟପଟେ ଉପନିର୍ବାଚନ ପାଇଁ ବିଜେଡିର ଦୀପାଳି ଦାସ ଓ ବିଜେପିର ଟଙ୍କଧର ତ୍ରିପାଠୀ ମଧ୍ୟ ନିଜନିଜର ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ଏବେ ଉପନିର୍ବାଚନର ମଇଦାନ ସଫା ହୋଇଥିବାବେଳେ ଆଗକୁ ସବୁ ଦଳ ଜୋରଦାର ପ୍ରଚାର ଆରମ୍ଭ କରିବେ।

ଝାରସୁଗୁଡ଼ାରେ ମେ’ ମାସ ୧୦ ତାରିଖରେ ବିଧାନସଭା ଉପନିର୍ବାଚନ ହେବ। ଏହାପରେ ମେ’ ୧୩ ତାରିଖରେ ଭୋଟ ଗଣତି ସହ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Tags: #JharsugudaByElection #Congress #StarCampaigners #ElectionCampaign

Comment