ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପାଖେଇ ଆସିଲାଣି ଝାରସୁଗୁଡ଼ା ଉପନିର୍ବାଚନ। ସରଗରମ ହୋଇ ଉଠିଛି ଝାରସୁଗୁଡ଼ାର ରାଜନୈତିକ ପାଣିପାଗ। ଭୋଟରଙ୍କୁ ମନେଇବା ପାଇଁ ଚାଲିଛି ପ୍ରାର୍ଥୀମାନଙ୍କ କସରତ। କିଏ କିଣିବ ଭୋଟରଙ୍କ ମନ? କାହାକୁ ମିଳିବ ଫାଇଦା?

ପାଖେଇ ଆସିଲାଣି ଝାରସୁଗୁଡ଼ା ଉପନିର୍ବାଚନ। ସରଗରମ ହୋଇଉଠିଛି ଝାରସୁଗୁଡ଼ାର ରାଜନୈତିକ ମାହୋଲ। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସବୁ ପ୍ରାର୍ଥୀ ନୂଆ। କାହା ପାଖରେ ବି ନିର୍ବାଚନ ଅଭିଜ୍ଞତା ନାହିଁ। ଅନୁକମ୍ପା ଯଦି କାମ କରେ ତେବେ ଦୀପାଳି ଫାଇଦା ନେବେ। କିନ୍ତୁ ଅନୁକମ୍ପା ଫ୍ୟାକ୍ଟରକୁ ଭଣ୍ଡୁର କରିବାକୁ ଉଦ୍ୟମ ଚଳାଇଛନ୍ତି ବିଜେପି ଓ କଂଗ୍ରେସ ପ୍ରାର୍ଥୀ।

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ୩ ପ୍ରାର୍ଥୀ ଦୀପାଳି ଦାସ, ଟଙ୍କଧର ତ୍ରିପାଠୀ ଓ ତରୁଣ ପାଣ୍ଡେ ସମସ୍ତେ ଯୁବଗୋଷ୍ଠୀର। ସଂଗଠନ ଓ ଅନୁକମ୍ପା ଦୃଷ୍ଟିରୁ ବିଜେଡି ଆଗୁଆ ଥିବାବେଳେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବି ବିଭିନ୍ନ ପ୍ରସଂଗରେ ସରକାରଙ୍କୁ ଟାର୍ଗେଟ କରିବା ସହ ନିଜ ସପକ୍ଷରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି।

ନବ ଦାସଙ୍କ ଲିଗାସି

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଖରେ ବିଜେଡିର ଶକ୍ତିଶାଳୀ ସଂଗଠନ ସହ ବାପା ନବ ଦାସଙ୍କ ଲିଗାସି ରହିଛି। ପ୍ରତ୍ୟକ୍ଷ ରାଜନୀତିରେ ଦୀପାଳି ସକ୍ରିୟ ନଥିଲେ ମଧ୍ୟ ବାପାଙ୍କ ପୃଷ୍ଠପୋଷକତାରେ ତାଙ୍କର ସାମାଜିକ ସଂଗଠନ ସମାନ୍ତରାଳ ଭାବେ କାମ କରୁଥିଲା। ନବ ଦାସ ଦୀପାଳିଙ୍କ ରାଜନୈତିକ କ୍ୟାରିଅରକୁ ନେଇ ଯୋଜନା କରିଥିଲେ। କିନ୍ତୁ ନବ ଦାସଙ୍କ ଅକାଳ ବିୟୋଗ ପାଇଁ ଦୀପାଳିଙ୍କୁ ଭବ୍ୟ ରାଜନୈତିକ ପ୍ରବେଶ ମିଳିପାରି ନଥିଲେ ମଧ୍ୟ ନିର୍ବାଚନ ଲଢ଼ିବାର ବଡ଼ ସୁଯୋଗ ମିଳିଛି।

ନବଙ୍କ ଅବର୍ତ୍ତମାନରେ ଅପ୍ରତ୍ୟାଶିତ ନିର୍ବାଚନ ଲଢ଼େଇ ବିଜେଡି ଅପେକ୍ଷା ଦୀପାଳିଙ୍କ ପାଇଁ ବହୁତ ଅଧିକ ପ୍ରାସଂଗିକ। ବାପାଙ୍କ ମଜଭୁତ ସମର୍ଥକ ଗୋଷ୍ଠୀ, ଅକାଳ ବିୟୋଗର ଅନୁକମ୍ପା ସମେତ ବିଜେଡିର ଶକ୍ତିଶାଳୀ ସଂଗଠନ ପାଇଁ ଦୀପାଳି ସହଜରେ ନିର୍ବାଚନ ଜିତିବାକୁ ଆଶା ରଖିଛନ୍ତି। ୨୦୨୪ରେ ଏହି ସବୁ ଫ୍ୟାକ୍ଟର ହୁଏତ କାମ କରିବ ନାହିଁ। କିନ୍ତୁ ଏହି ନିର୍ବାଚନରୁ ମିଳିଥିବା ଅଭିଜ୍ଞତା ଦୀପାଳିଙ୍କ ପାଇଁ ବେଶ କାମ ଦେବ।

ରାଜନୈତିକ ଉତ୍ତରାଧିକାରୀ ଦୀପାଳି

ପୁଅ ଥିଲେ ମଧ୍ୟ ଝିଅ ଦୀପାଳିଙ୍କୁ ନବ ଦାସଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା। ଭୋଟର, କର୍ମୀ ଦୀପାଳିଙ୍କୁ ନବଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି କେବେଠାରୁ ଭାବି ସାରିଥିଲେ। ନିଜେ ନବ ବି ଅଣଆନୁଷ୍ଠାନିକ ଭାବେ ଦୀପାଳିଙ୍କ ରାଜନୈତିକ ପ୍ରବେଶ କଥା ବାରମ୍ବାର କହୁଥିଲେ। ତେଣୁ ନିର୍ବାଚନ ରଣକ୍ଷେତ୍ରରେ ତାଙ୍କୁ ନୂଆ ବୋଲି କେହି ଭାବୁ ନାହାନ୍ତି। କର୍ମୀ ସମର୍ଥକଙ୍କୁ ନିଜ ପକ୍ଷରେ ନବ ଦାସ ଦୀର୍ଘ ସମୟ ଧରି ରଖିଥିଲେ। ତେଣୁ ସେହି ଆନୁଗତ୍ୟ ଦୀପାଳିଙ୍କୁ ବଳ ଦେବ ବୋଲି ରାଜନୀତି ସମୀକ୍ଷକ ମତ ଦେଉଛନ୍ତି।

ଗୋଟିଏ ପଟେ ଦୀପାଳି ବାପାଙ୍କ ରାଜନୈତିକ ସମର୍ଥକଙ୍କୁ ଏକାଠି କରୁଥିବାବେଳେ ବିଜେଡି ମଧ୍ୟ ଦଳର ସଂଗଠନକୁ ନିର୍ବାଚନ ପରିଚାଳନା ପାଇଁ ଲଗେଇ ଦେଇଛି। ଗଣ୍ଡାଗଣ୍ଡା ମନ୍ତ୍ରୀ, ବିଧାୟକମାନଙ୍କୁ ବ୍ଲକ ପରିଚାଳନା ଦାୟିତ୍ଵ ଦିଆଯାଇଛି। ଓ୍ଵାର୍ଡସ୍ତରରୁ ବିଜେଡି ନିର୍ବାଚନ ପରିଚାଳନା କରୁଛି। ମିଶ୍ରଣ ପର୍ବ ମାଧ୍ୟମରେ ବିଭିନ୍ନ ଦଳର ନେତାଙ୍କୁ ମଧ୍ୟ ମିଶାଇ ଭୋଟ୍ ମିଶାଣ କରାଯାଉଛି।

ଝାରସୁଗୁଡ଼ା ବ୍ଲକ, ଝାରସୁଗୁଡ଼ା ମ୍ୟୁନିସିପାଲିଟି, କିର୍ମିରା, ଲଇକେରା ଓ କୋଲାବିରା ବ୍ଲକକୁ ନେଇ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ। ଏହି ଅସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ୧୮ ହଜାରରୁ ଅଧିକ। ଅଘରିଆ ଭୋଟ୍ ବ୍ୟାଙ୍କ ମଧ୍ୟ ରହିଛି। ଏହା ସହିତ ବିଭିନ୍ନ ସାମାଜିକ ସଂଗଠନ ଦ୍ଵାରା ନିର୍ଦ୍ଦିଷ୍ଟ ଗୋଷ୍ଠୀ, ସମ୍ପ୍ରଦାୟର ଭୋଟ୍ ବି ସଂଗଠିତ। କିନ୍ତୁ ଏସବୁ ଗୋଷ୍ଠୀ, ସମ୍ପ୍ରଦାୟ ଓ ଜାତି ଆଧାରରେ ଭୋଟ୍ ବିଭାଜନ କେବେ ହୋଇଥିବାର ନଜିର ନାହିଁ। କାରଣ ଗତ ଥରର କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକ ନିଜେ ଆଦିବାସୀ ହୋଇଥିଲେ ମଧ୍ୟ ଆଦିବାସୀଙ୍କ ସମର୍ଥନ ପାଇବାରେ ସଫଳ ହୋଇନଥିଲେ। ବରଂ କଂଗ୍ରେସ ଶୋଚନୀୟ ପରାଜୟର ମୁହଁ ଦେଖିଥିଲା ଏବଂ ମହେନ୍ଦ୍ର ନାୟକ ଅମାନତ ହରାଇଥିଲେ।

କେବେ କଂଗ୍ରେସ କେବେ ବିଜେଡି

ଦିନେ କଂଗ୍ରେସର ଗଡ଼ ଥିଲା ଝାରସୁଗୁଡ଼ା। ୧୯୯୦ରେ କଂଗ୍ରେସର ଗଡ଼କୁ ପ୍ରଥମ ଥର ପାଇଁ ଭାଙ୍ଗିବାକୁ ସଫଳ ହୋଇଥିଲେ ଦିବଙ୍ଗତ ବିଜେଡି ନେତା କିଶୋର ମହାନ୍ତି। ସେତେବେଳେ ସେ ଜନତା ଦଳ ଟିକଟରେ ନିର୍ବାଚନ ଲଢ଼ିବା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇଥିଲେ। କିନ୍ତୁ ତା’ ପର ନିର୍ବାଚନରେ ଜନତା ଦଳ ଅପ୍ରତ୍ୟାଶିତ ଭାବେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା। ଝାରସୁଗୁଡ଼ା ଆସନ ମଧ୍ୟ ଜନତା ଦଳ ଖାତାରୁ କଂଗ୍ରେସ ଖାତାକୁ ଚାଲିଯାଇଥିଲା। ଉପନିର୍ବାଚନର ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ବାପା ବୀରେନ୍ଦ୍ର ପାଣ୍ଡେ ବିଧାୟକ ନିର୍ବାଚିତ ହୋଇଥିଲେ।

ସ୍ରୋତର ପ୍ରତିକୂଳରେ ବି ସଫଳତା

୨୦୦୦ ମସିହାରେ ବିଜେଡି ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲା। ଏଥର କିଶୋର ମହାନ୍ତି ବିଜେଡି ଟିକଟରୁ ନିର୍ବାଚନ ଜିତିଥିଲେ। ୨୦୦୦ ଓ ୨୦୦୪ ନିର୍ବାଚନରେ କିଶୋର ମହାନ୍ତି ଜିତିଥିଲେ। କିନ୍ତୁ ୨୦୦୯ରେ ଏହି ଆସନରୁ କଂଗ୍ରେସ ଟିକଟରେ ନବ ଦାସ ବିଜୟୀ ହୋଇଥିଲେ। ନବ ଦାସ ଏଠାରୁ ଜିତିବା ପରେ କଂଗ୍ରେସ ସଂଗଠନ ଅପେକ୍ଷା ନିଜ ସଂଗଠନ ବେଶୀ ମଜବୁତ୍ କରିବାରେ ସଫଳ ହୋଇଥିଲେ। କଂଗ୍ରେସର ସମର୍ଥକମାନଙ୍କୁ ନିଜ ସମର୍ଥକରେ ପରିଣତ କରିବାରେ ସଫଳ ହୋଇଥିଲେ ନବ। ତେଣୁ ୨୦୧୪ ନିର୍ବାଚନରେ ବି ନବ ଦାସ ଭଲ ବ୍ୟବଧାନରେ ନିଜ ଆସନ ରଖିବାରେ ସଫଳ ହୋଇଥିଲେ। ସାରା ରାଜ୍ୟରେ ବିଜେଡି ସପକ୍ଷରେ ସ୍ରୋତ ବହୁଥିଲେ ମଧ୍ୟ ନବ ଦାସ ସ୍ରୋତର ପ୍ରତିକୂଳରେ ଯାଇ ସଫଳ ହୋଇଥିଲେ।

୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ନବ ଦାସଙ୍କୁ ନିଜ ଦଳକୁ ଆଣିବାରେ ସଫଳ ହୋଇଥିଲା। ବିଜେଡି ଟିକଟରୁ ବିପୁଳ ଭୋଟରେ ନବ ଦାସ ବିଜୟୀ ହୋଇଥିଲେ। ଝାରସୁଗୁଡ଼ା ସମେତ ସୁନ୍ଦରଗଡ଼ ଜିଲ୍ଲା ଓ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ନବ ଦାସଙ୍କ ପ୍ରଭାବ ଅଧିକ ଥିବାରୁ ନବ ଦାସଙ୍କର ଦଳରେ ଗୁରୁତ୍ଵ ବଢ଼ିବାରେ ଲାଗିଥିଲା। ନବସ ଦାସ ଧୀରେ ଧୀରେ ବିଜେଡି ପାଇଁ ବଡ଼ ସମ୍ପତ୍ତି ପାଲଟିଯାଇଥିଲେ। କିନ୍ତୁ ନବଙ୍କ ଅକସ୍ମାତ ବିୟୋଗ ବିଜେଡି ଓ ନବଙ୍କ ପରିବାରକୁ ଝଟ୍‌କା ଦେଇଥିଲା। ନବ ଥିଲେ ଅପରାଜେୟ। ତେଣୁ ତାଙ୍କ ଅକାଳ ବିୟୋଗରେ ବିଜେଡି ତାଙ୍କ ଝିଅକୁ ଟିକଟ ଦେବାକୁ ସ୍ଥିର କରିଥିଲା।

ନିର୍ବାଚନ ଘୋଷଣା ହେବା ପରେ ବିଜେଡି ଗତ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକଙ୍କୁ ଦଳରେ ସାମିଲ କରାଇବାରେ ସଫଳ ହୋଇଛି। ଗୋଣ୍ଡଓ୍ଵାନା ଭୋଟର ଧ୍ରୂବୀକରଣ ଯୋଜନାରେ ବିଜେଡି ଏହି ନେତାଙ୍କୁ ଦଳରେ ସାମିଲ କରାଇଛି। ନବ ଦାସ ବିଜେଡିରେ ମିଶିବା ପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା ତ୍ରିନାଥ ଗୋଏଲ ମଧ୍ୟ ବିଜେଡିକୁ ପୁଣି ଫେରି ଆସିଛନ୍ତି। ଏମାନଙ୍କ ମିଶ୍ରଣ ବିଜେଡିର ବିଜୟ ବ୍ୟବଧାନକୁ ଆହୁରି ବଢ଼ାଇବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ସଂଗଠନର ନେତାମାନେ ଦଳର ଭୋଟକୁ ଏକତ୍ରିତ କରି ରଖିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଦୀପାଳି ମଧ୍ୟ ବିଭିନ୍ନ ଅଞ୍ଚଳରେ ଭୋଟରଙ୍କୁ ନିୟମିତ ଭେଟୁଛନ୍ତି ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। କ୍ରିକେଟ ମ୍ୟାଚ, ଅଷ୍ଟପ୍ରହରୀ ସବୁଠି ଯୋଗ ଦେଉଛନ୍ତି। ଅନ୍ୟପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ନିଜ ଦଳୀୟ ସଂଗଠନର ପୁରୁଣା ନେତା ଓ ଯୁବଗୋଷ୍ଠୀଙ୍କୁ ଭେଟି ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା ଚଳାଇଛନ୍ତି।

ତରୁଣ ପାଣ୍ଡେ ନିଜ ମାଆ, ପତ୍ନୀ, ଭଉଣୀ ଓ ଭାଇଙ୍କୁ ନେଇ ନିର୍ବାଚନୀ ପ୍ରଚାରକୁ ଓହ୍ଲାଇଛନ୍ତି। ପିସିସି ସଭାପତି ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ତରୁଣଙ୍କ ପାଇଁ ଭୋଟ ମାଗୁଛନ୍ତି। ଜଣେ ମହିଳା ପ୍ରତିଦ୍ଵନ୍ଦ୍ଵୀଙ୍କ ପ୍ରତି ଜନତାଙ୍କ ସହାନୁଭୂତି କାଟିବା ପାଇଁ ତରୁଣଙ୍କ ମା’, ପତ୍ନୀ ଓ ଭଉଣୀ ଜୋରଦାର ଉଦ୍ୟମ ଚଳାଇଛନ୍ତି। ବିଶେଷ କରି ମହିଳା ଭୋଟରଙ୍କୁ ବୁଝାଇବା ପାଇଁ ତରୁଣଙ୍କ ପତ୍ନୀ ମୋର୍ଚ୍ଚା ସମ୍ଭାଳିଛନ୍ତି।

ବିଗତ ବର୍ଷ ତୁଳନାରେ ବିଜେପି ଭୋଟ ଧୀରେ ଧୀରେ ବଢ଼ିଛି। ନବ ଦାସ କଂଗ୍ରସରେ ଥିବାବେଳେ ବିଜେପି ସବୁବେଳେ ତୃତୀୟ ସ୍ଥାନରେ ହିଁ ରହୁଥିଲା। କିନ୍ତୁ ନବ ଦାସ ବିଜେଡିରେ ମିଶିବା ପରେ ବିଜେପି ଦ୍ଵିତୀୟ ସ୍ଥାନରେ ରହୁଥିଲେ ମଧ୍ୟ ପରାଜୟର ବ୍ୟବଧାନ ବହୁତ ଥିଲା। ନିର୍ବାଚନଗୁଡ଼ିକରେ ବିଜେପି ଭୋଟ୍ ଅଂଶ ଧୀରେ ଧୀରେ ବଢୁଥିବାରୁ ଚଳିତ ଉପନିର୍ବାଚନ ପାଇଁ ବିଜେପି ଉତ୍ସାହିତ ଅଛି। ଟଙ୍କଧର ନିଜେ ଓ୍ଵାର୍ଡକୁ ଓ୍ଵାର୍ଡ ବୁଲି ପ୍ରଚାର କରୁଛନ୍ତି। ବିଜେପି କର୍ମୀମାନଙ୍କୁ ସଂଗଠିତ କରିବାରେ ଲାଗିଛନ୍ତି। ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବହୁ ବରିଷ୍ଠ ନେତା ପ୍ରଚାରର ମଙ୍ଗ ଧରିଛନ୍ତି।

ପ୍ରଚାର ମଇଦାନରେ ରାଜ୍ୟର ୩ ପ୍ରମୁଖ ଦଳର ପ୍ରାର୍ଥୀ। ଜୋରସୋର ଚାଲିଛି ପ୍ରଚାର କାର୍ଯ୍ୟ। ତେବେ ସମସ୍ତଙ୍କର ନଜର କାହା ଉପରେ ଭରସା କରିବେ ଝାରସୁଗୁଡ଼ା ଭୋଟର।

Tags: #Politics #OdishaPolitics #JharsugudaAssemblyByelection #BJD #BJP #Congress #PoliticalFight

Comment