ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋଟିଆ ଓଡ଼ିଶାର, ଏହା ପ୍ରମାଣ ଦେଉଛି ଭାରତ ସରକାରଙ୍କ ଦ୍ଵାରା ସ୍ଥାପିତ ହୋଇଥିବା କୋଟିଆ ପୋଷ୍ଟ ଅଫିସ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାରେ ରହିଥିବା କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳର ମାନଚିତ୍ର ସ୍ପଷ୍ଟ। କୋଟିଆ ପୋଷ୍ଟ ଅଫିସ୍ ଏହାର ପ୍ରମାଣ ମଧ୍ୟ ଦେଉଛି। ଓଡ଼ିଶା ସରକାର ନିଜ ଦାବିକୁ ସଠିକ୍ ଭାବେ ଉପସ୍ଥାପନ କରି ପାରିଲେ ସମଗ୍ର କୋଟିଆ ଅଞ୍ଚଳ ଓଡ଼ିଶା ସୀମା ମଧ୍ୟରେ ରହିଥିବା ସ୍ପଷ୍ଟ ଭାବେ ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରମାଣ କରିହେବ ବୋଲି ଇଷ୍ଟର୍ଣ୍ଣ ଇଣ୍ଡିଆ ଫିଲାଟେଲିକ୍ ଆସୋସିଏସନ ଓ ଇପିଏ ପକ୍ଷରୁ କୁହାଯାଇଛି।

କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ରହିଆସିଛି। ଏହି ସଂଗ୍ରାମରେ ଓଡ଼ିଶାକୁ ବଳ ଦେବା ପାଇଁ କୋଟିଆ ସଂଗଠନ ସହ ସ୍ଥାନୀୟ ତଥା ରାଜ୍ୟସ୍ତରୀୟ ଅନୁଷ୍ଠାନ ଓ ସଂଗଠନ ବିଭିନ୍ନ ସମୟରେ ନୂତନ ତଥ୍ୟ ଓ ପ୍ରମାଣ ଯୋଗାଇ ଆସୁଛନ୍ତି।

ବୁଧବାର ଦିନ ଏହି ସଂଗ୍ରାମ ଯାତ୍ରାରେ ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ, ଇପିଏର ବରିଷ୍ଠ କର୍ମକର୍ତ୍ତା ଅନୀଲ ଧୀର ଓ ବିଶ୍ୱଜିତ ମହାନ୍ତିଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସଞ୍ଜୀବ ହୋତା କୋଟିଆ ପୋଷ୍ଟ ଅଫିସ ଯାଇ ସ୍ୱତନ୍ତ୍ର କୋଟିଆ ନାଁ ମୁଦ୍ରିତ ଲଫାଫାର ଉନ୍ମୋଚନ କରିଥିଲେ। ସେହି ପୋଷ୍ଟ ଅଫିସରୁ ଦେଶର ବିଭିନ୍ନ ସ୍ଥାନକୁ ଶତାଧିକ ଲଫାଫା କୋଟିଆ ପୋଷ୍ଟ ଅଫିସ ମୁଦ୍ରା ସହ ପ୍ରେରଣ କରାଯାଇଥିବା ଦେଖିବାକୁ ମିଳିଛି।

କୋଟିଆର ପୋଷ୍ଟାଲ ଇଣ୍ଡେକ୍ସ କୋଡ ୭୬୪୦୩୯ ଓଡ଼ିଶା ପୋଷ୍ଟାଲ ଡିଭିଜନ ଅଧିକୃତ ହୋଇଥିବା ଯୋଗୁଁ କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆକୁ ଓଡ଼ିଶାର ବୋଲି ସ୍ୱୀକୃତି ପ୍ରଦାନ କରିଥିବା ଅନୀଲ ଧୀର କହିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଜର ବୋଲି ଦାବି କରି ଓଡ଼ିଶା ସରକାର ବିଭିନ୍ନ ଦଲିଲ ଉପସ୍ଥାପନ କରିଛନ୍ତି। ଏହା ସହ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଡାକ ବିଭାଗ କୋଟିଆକୁ ଓଡ଼ିଶାର ପିନ କୋଡ଼ ପ୍ରଦାନ କରିଥିବା ତଥ୍ୟ ରାଜ୍ୟ ସରକାରଙ୍କ ସମକ୍ଷରେ ଯିବ ବୋଲି ବିଶ୍ୱଜିତ ମହାନ୍ତି କହିଛନ୍ତି।

କୋଟିଆ ଓଡ଼ିଶାର ବୋଲି ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ବୁଧବାର ଦିନଠାରୁ କୋଟିଆରୁ କୋଟିଆର ସ୍ୱତନ୍ତ୍ର ଲଫାଫାରେ ଚିଠି ପ୍ରେରଣ କରିବା ଅଭିଯାନ ଆରମ୍ଭ ହୋଇଥିବା ସଞ୍ଜୀବ ହୋତା ସୂଚନା ଦେଇଛନ୍ତି।

ସ୍ଵାଧୀନତା ପୂର୍ବରୁ ବ୍ରିଟିଶ ସରକାରଙ୍କ ଦ୍ୱାରା ୧୯୪୫ ମସିହାରେ ପାଟଣାଠାରେ ପ୍ରସ୍ତୁତ କରାଯାଇଥିବା ମାନଚିତ୍ରରେ କୋଟିଆ ପଞ୍ଚାଚାୟତ ଅନ୍ତର୍ଗତ ପଟ୍ଟାଙ୍ଗି-ତାଡ଼ିବାଲାସା ହେରିଟେଜ ରୋଡ ଓଡ଼ିଶାର ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏଥିରୁ ସ୍ପଷ୍ଟ ହେଉଛି ସମଗ୍ର କୋଟିଆ ଅଞ୍ଚଳ ଓଡ଼ିଶା ସୀମା ମଧ୍ୟରେ ରହିଛି। କୋଟିଆ ପଞ୍ଚାୟତର ନେରେଡିବାଲାସା, ତାଡ଼ିବାଲାସା, ଏଲାଙ୍ଗାବାଲାସା ଭଳି ଗ୍ରାମଗୁଡ଼ିକରେ ଜୟପୁର ଜମିଦାରୀରେ ଖଜଣା ବାନ୍ଧିଥିବା କାଗଜପତ୍ର, ଛୋଟ ବଡ଼ ମାନଚିତ୍ର ଭଳି ପ୍ରମାଣ ଓଡ଼ିଶା ସପକ୍ଷରେ ବାରମ୍ବାର ଉପସ୍ଥାପନା କରାଯାଇ କୋଟିଆ ଓଡ଼ିଶାର ବୋଲି ଜାହିର କରାଯାଇଛି।

ତେଣୁ ଆନ୍ଧ୍ର ସରକାରଙ୍କ ନିକଟରେ ଭାରତୀୟ ଡାକ ବିଭାଗ ଦ୍ଵାରା ସ୍ୱୀକୃତ କୋଟିଆର ପିନ କୋଡ଼ ଭଳି ବଳିଷ୍ଠ ତଥା ସ୍ପଷ୍ଟ ପ୍ରମାଣକୁ ଉପସ୍ଥାପନ କରି କୋଟିଆରେ ଆନ୍ଧ୍ରର ଅନଧିକାର ପ୍ରବେଶକୁ ରୋକିବା ଦିଗରେ ଓଡ଼ିଶା ସରକାର ସକ୍ଷମ ହେବେ ବୋଲି ସଞ୍ଜୀବ ହୋତା ଆଶାବାଦୀ ଥିବା କହିଛନ୍ତି।

Tags: #Kotia #KotiaConflict #OdishaAndhraPradesh #KotiaPostOffice

Comment