ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଦିନ କେରଳ ଉପକୂଳରେ ପହଞ୍ଚିଛି। ଚଳିତବର୍ଷ ପ୍ରାୟ ସପ୍ତାହେ ବିଳମ୍ବରେ ମୌସୁମୀ ବାୟୁ କେରଳ ଛୁଇଁଛି। ଏବେ ଏହା ଓଡ଼ିଶା ପହଞ୍ଚିବାରେ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତବର୍ଷ ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ମୌସୁମୀ ବାୟୁକୁ ପ୍ରଭାବିତ କରିଛି। ଏହି ବାତ୍ୟା ଯୋଗୁଁ ସକ୍ରିୟ ଥିବା ମୌସୁମୀ ବାୟୁ କେରଳ ପହଞ୍ଚିବାରେ ସପ୍ତାହେ ବିଳମ୍ବ ହୋଇଛି। ସାଧାରଣତଃ ପ୍ରତିବର୍ଷ ଜୁନ୍ ୧ ତାରିଖ ବେଳକୁ ମୌସୁମୀ ବାୟୁ କେରଳ ପହଞ୍ଚିଥାଏ।

ସେହିପରି ୨୦୨୩ ମସିହାରେ ମୌସୁମୀ ବାୟୁର ଆଗମନକୁ ନେଇ ପାଣିପାଗ ବିଭାଗର ଆକଳନ ଭୁଲ ସାବ୍ୟସ୍ତ ହୋଇଛି। ମୌସୁମୀ ବାୟୁ ଜୁନ ୪ ତାରିଖରେ କେରଳ ଉପକୂଳରେ ପହଞ୍ଚିବାକୁ ପୂର୍ବରୁ ଅନୁମାନ କରଯାଇଥିଲା।

ଅନ୍ୟପଟେ ଏବେ ମୌସୁମୀ କେରଳ ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ଏହା ଓଡ଼ିଶା ଆସିବାରେ ବିଳମ୍ବ ହେବ। କେରଳ ପହଞ୍ଚିବାର ଗୋଟେ ସପ୍ତାହ ପରେ ମୌସୁମୀ ବାୟୁ ଓଡ଼ିଶାକୁ ଆସିଥାଏ। ଚଳିତବର୍ଷ ଜୁନ୍ ୧୬ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଜୁନ୍ ଶେଷ ସପ୍ତାହବେଳକୁ ମୌସୁମୀ ପ୍ରଭାବରେ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Tags: #MonsoonSeason #South-westMonsoon #KeralaCoast #Rain #IndianMeteorologicalDept

 

Comment