ଓଡ଼ିଶାଲାଇଭ୍ ବ୍ୟୁରୋ

ଭଙ୍ଗା ଚାଲିଛି ବାହାନଗା ଟ୍ରେନ ଟ୍ରାଜେଡିର ମୁକସାକ୍ଷୀ ବାହାନଗା ଉଚ୍ଚ ବିଦ୍ୟାଳୟ। ଦୁର୍ଘଟଣା ପରେ ଅସ୍ଥାୟୀ ଶବାଗାର ପାଲଟିଥିବା ଏହି ଉଚ୍ଚ ବିଦ୍ୟାଳୟକୁ ନେଇ ଭୟଭୀତ ହୋଇପଡ଼ିଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ। ପିଲାମାଙ୍କ ମାନସିକ ସ୍ଵାସ୍ଥ୍ୟକୁ ଧ୍ୟାନରେ ଏହି ବିଦ୍ୟାଳୟକୁ ଶୁକ୍ରବାର ଦିନ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର।

ସ୍କୁଲ ଗୃହ ଭଙ୍ଗାଯିବା ପରେ ୫ଟି ଉପକ୍ରମରେ ଏଠାରେ ସ୍କୁଲ ଗୃହ ନିର୍ମାଣ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ଶ୍ରେଣୀଗୃହ ନିର୍ମାଣ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ଗତ ଜୁନ ୨ ତାରିଖରେ ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ୨୮୮ ଜୀବନ। ଦୁର୍ଘଟଣାସ୍ଥଳରୁ ମୃତଦେହ ସଂଗ୍ରହ କରି ରଖାଯାଇଥିଲା ବାହାନଗା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପ୍ରାଥମିକ ସ୍କୁଲର ଶ୍ରେଣୀ ଗୃହରେ।

ଖରାଛୁଟି ଶେଷ ହେବାକୁ ଆଉ ମାତ୍ର କିଛି ଦିନ ରହିଥିବାରୁ ସ୍କୁଲ ଯିବାକୁ ମନା କରିଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ। ଏ ନେଇ ସେମାନେ ସ୍କୁଲ ପରିଚାଳନା କମିଟିକୁ ଜଣାଇଥିଲେ। ଏହି ଅଭିଯୋଗ ସମ୍ପର୍କରେ ସ୍କୁଲ ପରିଚାଳନା କମିଟି ଜିଲ୍ଲାପାଳଙ୍କୁ ଜଣାଥିଲେ।

ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଗୁରୁବାର ଦିନ ବାହାନଗା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ଶବ ରଖାଯାଇଥିବା ଶ୍ରେଣୀଗୃହକୁ ଭାଙ୍ଗିବା ପାଇଁ ଅଭିଭାବକ ଦାବି କରିଥିଲେ। ଏ ସମ୍ପର୍କରେ ସ୍କୁଲ କମିଟି ନିଷ୍ପତ୍ତି ନେବାକୁ ଜିଲ୍ଲାପାଳ କହିଥିଲେ।

ପରେ ଏହାକୁ ନେଇ ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା। ବୈଠକରେ ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ସାମିଲ ହୋଇଥିବାବେଳେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଓଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ଆଲୋଚନା କରିଥିଲେ।

ବାହାନଗା ଉଚ୍ଚ ବିଦ୍ୟାଳୟ ପରିସରରେ ମୃତଦେହଗୁଡ଼ିକୁ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ମୃତଦେହ ବିଭିନ୍ନ ଶବାଗାରକୁ ପଠାଇ ସମ୍ପୃକ୍ତ ସ୍ଥାନକୁ ବିଶୋଧନ କରାଯାଇଥିଲା। କିନ୍ତୁ ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ତଥା ଗ୍ରାମବାସୀଙ୍କ ମନରେ ଭୟ ରହିଥିଲା। ଆଲୋଚନା ସମୟରେ ସମସ୍ତଙ୍କ ମତାମତକୁ ଗ୍ରହଣ କରାଯାଇଥିଲା। ଏହି ଘଟଣା ପରେ ପିଲାମାନେ ସ୍କୁଲ ଯିବାକୁ ରାଜି ହେଉନାହାନ୍ତି ବୋଲି ଅଭିଭାବକ କହିଥିଲେ। ପିଲାମାଙ୍କ ମାନସିକ ସ୍ଵାସ୍ଥ୍ୟକୁ ଧ୍ୟାନରେ ରଖାଯାଇ ସମ୍ପୃକ୍ତ ଶ୍ରେଣୀଗୃହ ଭଙ୍ଗାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ବାହାନଗା ରେଳ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟବାସୀଙ୍କୁ ଆତଙ୍କିତ କରିଥିବାବେଳେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ଉଚ୍ଚ ବିଦ୍ୟାଳୟକୁ ନେଇ ଭୟ ମଧ୍ୟ ରହିଛି।

ବାଲେଶ୍ୱର ଜିଲ୍ଲାର ବାହନଗା ଉଚ୍ଚ ବିଦ୍ୟାଳୟ ତଥା ବିଦ୍ୟାଳୟ ପରିସରରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ  ସମ୍ପୂର୍ଣ୍ଣ  ଭଙ୍ଗାଯାଇ ୫-ଟି ଉପକ୍ରମରେ ଏହାର ପୁନଃନିର୍ମାଣ  କରାଯିବା ସହ ଏହାକୁ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଗଢ଼ି ତୋଳିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପିଲାଙ୍କୁ ନୂଆ ପରିବେଶଷରେ ପାଠପଢ଼ିବାର ସୁଯୋଗା ମିଳିବ।

Tags: #BahanagaTrainTragedy #BahanagaHighSchool #Demolish

Comment