ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ଟ୍ରେନ ଦୁର୍ଘଟଣା, ସାରା ବିଶ୍ଵକୁ ଦୋହଲାଇ ଦେଲା। ଦୁର୍ଘଟଣା ପରର ଦୃଶ୍ୟ ଥିଲା ଅତ୍ୟନ୍ତ ଅସହ୍ୟ, ଯାହାକୁ ଦେଖି ଦେଖଣାହାରୀଙ୍କ ହୃଦୟ ମଧ୍ୟ କାନ୍ଦି ଉଠୁଥିଲା। ଏହି ସମୟରେ ସହାୟତାର ହାତ ବଢ଼ାଇବାକୁ ଧାଇଁ ଆସିଥିଲେ ଓଡ଼ିଶାର ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ସାମାଜ ସେବୀ।

ଜୁନ ୨ ତାରିଖ, ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଲା ସିରିଜ ରେଳ ଦୁର୍ଘଟଣା। ଏହି ଦୁର୍ଘଣା ଅନେକ ହସଖୁସିର ସଂସାର ଉଜାଡ଼ି ଦେଲା। ଅନେକ ଜୀବନ ନେଇ ଗଲା କରମଣ୍ଡଳ ଦୁର୍ଘଟଣା। ଏହି ଦୁର୍ଘଟଣା ସମୟରେ ଦେବଦୂତ ଭଳି ଲୋକଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ ସ୍ଥାନୀୟ ଲୋକ। ବାହାନଗା ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକ ବହୁତ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି କହିଛନ୍ତି ସମାଜ ସେବୀ ଡାକ୍ତର ମମତା ପ୍ରଧାନ।

“ଟ୍ରେନ ଦୁର୍ଘଟଣା ଖବର ପାଇଲା ପରେ ଆମେ ତୁରନ୍ତ ବାହାନଗାରେ ପହଁଚିଥିଲୁ। ଆମ ସ୍ଵେଚ୍ଛାସେବୀମାନେ ବାଲେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ସାହାଯ୍ୟ କରିଥିଲେ। ମୃତଦେହ ଚିହ୍ନଟଠାରୁ ଆରମ୍ଭ କରି ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର ପର୍ଯ୍ୟନ୍ତ ବଡ଼ ଭୂମିକା ନେଇଥିଲେ ସ୍ଵେଚ୍ଛାସେବୀ”, କହିଛନ୍ତି ସମାଜସେବୀ ଡାକ୍ତର ମମତା ପ୍ରଧାନ।

ରେଳ ଦୁର୍ଘଟଣାରେ ମୃତ ଏବଂ ଆହତମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ ସ୍ଵେଚ୍ଛାସେବୀମାନେ। ଆହତମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାଠାରୁ ନିଜର ଲୋକଙ୍କ ପରି ଟିକିନିଖ କଥା ବୁଝିଥିଲେ ଏମାନେ।

ମୃତଦେହ ନେବାକୁ ପହଞ୍ଚିଥିବା ପରିବାର ଲୋକଙ୍କ କାଉନସେଲିଂ କରିବା ସହ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସେମାନଙ୍କ ଖାଇବା ଏବଂ ରହିବା ବ୍ୟବସ୍ଥା କରାଯାଇଥିଲା।

ଅନେକ ମୃତଦେହ ଚିହ୍ନଟ ହୋଇପାରୁ ନଥିବାରୁ ଏହାକୁ ନେଇ ବହୁ ସମସ୍ୟା ସୃଷ୍ଟି ହୋଇଥିଲା। ଶବାଗାର ନିକଟରେ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ସହଯୋଗ କରିବାକୁ ପହଞ୍ଚିଥିଲେ ସ୍ଵେଚ୍ଛାସେବୀମାନେ। ମୃତଦେହ ଚିହ୍ନଟଠାରୁ ପରିବାର ଲୋକଙ୍କୁ ହସ୍ତାନ୍ତର ପର୍ଯ୍ୟନ୍ତ ସ୍ଵେଚ୍ଛାସେବୀମାନେ ସମସ୍ତ ଦାୟିତ୍ଵ ତୁଲାଇଥିଲେ।

Tags: #BahanagaTrainTragedy #TrainAccidentInOdisha #TrainTragedy #Volunteer

Comment