ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ବୁଧବାର ପ୍ରସବ ସମୟରେ ଜଣେ ମା’ ଓ ଗର୍ଭସ୍ଥ ଶିଶୁର ଶୋଚନୀୟ ମୃତ୍ୟୁ ସାଧାରଣରେ ଚିନ୍ତା ଓ ଉଦବେଗର କାରଣ ପାଲଟିଛି। ରକ୍ତହୀନତାର ଶିକାର ହୋଇ ଗର୍ଭବତୀ ମହିଳା ଗୁହ୍ନେଇ ନାୟକଙ୍କର ପ୍ରସବ ଅବସ୍ଥାରେ ମୃତ୍ୟୁ କେବଳ ତାଙ୍କ ପରିବାର ନୁହେଁ ବରଂ ଦେଖଣାହାରି ଓ ସଚେତନ ନାଗରିକଙ୍କୁ ବିଚଳିତ କରିଛି। ଏପରି ଦୁଃଖଦ ଚିତ୍ର ନୟାଗଡ଼ରେ ମାତୃ ଓ ଶିଶୁ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମୀ ଗାଁର ବିପିନ ନାୟକଙ୍କ ଗର୍ଭବତୀ ପତ୍ନୀ ଗୁହ୍ନେଇ ନାୟକ ଗର୍ଭବତୀ ଥିବାବେଳେ ରକ୍ତହୀନତା ସମସ୍ୟାରେ ପୀଡ଼ିତଥିଲେ। ପ୍ରସବ ବ୍ୟଦନା ଅବସ୍ଥାରେ ବୁଧବାର ଦିନ ସଂପୃକ୍ତ ମହିଳାଙ୍କୁ ପରିବାର ଲୋକେ ବୁଧବାର ଗାଁ ନିକଟସ୍ଥ ବାହାଡ଼ାଝୋଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଥିଲା।

ନୟାଗଡ଼ ହସ୍ପିଟାଲ ସିଏମଓ ଡାକ୍ତର ସୁଧାଂଶୁ ଶେଖର ଷଢ଼ଙ୍ଗୀଙ୍କ ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ଗୁହ୍ନେଇ ନାୟକଙ୍କର ମୃତ୍ୟୁ ଘଟିଥିଲା।

“ଗର୍ଭବତୀ ଗୁହ୍ନେଇ ନାୟକଙ୍କ ଠାରେ ଚିକିତ୍ସା ସମୟରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା। ସେତବେଳକୁ ତାଙ୍କ ଶରୀରରେ ରକ୍ତମାତ୍ରା ମାତ୍ର ୩.୨ ରହିଥିଲା। ଉଚ୍ଚ ରକ୍ତଚାପ ଏବଂ ଶାରିରୀକ ଦୁର୍ବଳ ଅବସ୍ଥା ଆଦି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଗର୍ଭବତୀ ଜଣାଙ୍କର ମୃତ୍ୟୁ ହୋଇଛି”, କହିଛନ୍ତି ଡାକ୍ତର ସୁଧାଂଶୁ ଶେଖର ଷଢ଼ଙ୍ଗୀ।

ଏବେ ପ୍ରସାବ ସମୟରେ ଗୁହ୍ନେଇ ନାୟକ ଓ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ନୟାଗଡ଼ ଜିଲ୍ଲା ମାତୃ ଓ ଶିଶୁ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନିରାପଦ ମାତୃତ୍ୱ ଓ ଶିଶୁ ଯତ୍ନ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା କାର୍ଯ୍ୟ କରୁଛି। ସେଥିରେ ଗର୍ଭବତୀ ମହିଳାଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକୀୟ ଚିକିତ୍ସା, ପ୍ରତିଶେଧକ ଟିକା ଓ ଭିଟାମିନ୍ ବଟିକା ଦିଆଯିବାର ବ୍ୟବସ୍ଥା ରହିଛି। ଏସବୁ କାର୍ଯ୍ୟ ପରିଚଳନା ଦାୟିତ୍ୱରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥିତ ମାତୃ ଓ ଶିଶୁ ମଙ୍ଗଳ ଅଧିକାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର ଆଦି ନିୟୋଜିତ ହୋଇଛନ୍ତି।

ସେହିପରି ମାସରେ ୪ ରୁ ୫ ଦିନ ମମତା ଯୋଜନା ଜରିଆରେ ମାତୃ ଓ ଶିଶୁର ଶରିରୀକ ଅବସ୍ଥା ସଂପର୍କରେ ତଥ୍ୟ ଲିପିବଦ୍ଧ କରାଯିବା ବ୍ୟବସ୍ଥା ମଧ୍ୟ ରହିଛି। ଏଡାଛଡ଼ା ଉଭୟ ଗର୍ଭବତୀ ମହିଳା ଓ ଶିଶୁର ଶାରିରୀକ ଅଭିବୃଦ୍ଧି ଲାଗି ଛତୁଆ, ବାଦାମ ଲଡ଼ୁ, ଅଣ୍ଡା ଆଦି ବିଭିନ୍ନ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି।

ଏତେ ସବୁ ବ୍ୟବସ୍ଥା ଯଦି ସଠିକ ରୂପେ କାର୍ଯ୍ୟ କରୁଛି, ତାହାହେଲେ ଗୁହ୍ନେଇ ଓ ତାଙ୍କ ଗର୍ଭସ୍ଥ ଶିଶୁର ଏପରି ଶୋଚନୀୟ ମୃତ୍ୟୁ ପଛର କ’ଣ କାରଣ ରହିଛି। ଏଥିପାଇଁ  ଦାୟୀ କିଏ ? ଅପପୁଷ୍ଟି, ଗର୍ଭାବସ୍ଥାରେ ଉପଯୁକ୍ତ ଯତ୍ନର ଅଭାବ ଓ କର୍ମଚାରୀଙ୍କ ଅବହେଳା ଆଦି କାରଣକୁ ଦାୟୀ କରାଯିବ ନାହିଁ ତ ଆଉ କ’ଣ କୁହାଯିବ ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି।

ଏହାର ଉତ୍ତରରେ ନୟାଗଡ଼ ହସ୍ପିଟାଲର ସିଏମଓ ଡାକ୍ତର ଷଢ଼ଙ୍ଗୀ କହିଛନ୍ତି, “ଗୁହ୍ନେଇଙ୍କ ମୃତ୍ୟୁକୁ ନେଇ କେଉଁଠି ନା କେଉଁଠି ସମସ୍ୟା ରହିଛି। ଏହାର ଯେପରି ପୁନରାବୃତି ନହେବା ଏଥିପାଇଁ ଆମେ ପଦକ୍ଷେପ ନେବୁ। ଏ ବିଷୟରେ ଆମେ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କୁ ପରାମର୍ଶ ଦେବୁ।”

ଅନ୍ୟପଟେ ଗର୍ଭବତୀ ମହିଳା ଗୁହ୍ନେଇ ନାୟକଙ୍କ ପ୍ରସବ ସମୟରେ ମୃତ୍ୟୁ ଘଟଣା ଜିଲ୍ଲାରେ ମାତୃ ଓ ଶିଶୁ କଲ୍ୟାଣ ଯୋଜନାର ଅସଲ ଚିତ୍ର ପଦାରେ ପକାଇଛି। ଗ୍ରାମାଞ୍ଚଳର ଅସହାୟ, ଅଶିକ୍ଷିତ ତଥା ଗରୀବ ପରିବାର ମଧ୍ୟରେ ରହିଥିବା ଗର୍ଭବତୀ ମହିଳାଙ୍କ ଲାଗି ଏପରି ଅଭାବନୀୟ ଘଟଣା ନିଶ୍ଚିତ ବିଡ଼ମ୍ବନା ଓ ଦୁର୍ଭାଗ୍ୟଜନକ ବିଷୟ।

Tags: #Nayagarh #MotherChildDeath #DeliveryDeath #InfantMortality #MotherandChildDevelopment

 

Comment