ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରରେ ଅଧାରୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସ୍କୁଲକୁ ପଠାଇବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା)। ଏହି ପରିପ୍ରେକ୍ଷୀରେ ଅଧାରୁ ପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍କୁଲରେ ନାମ ଲେଖାଇବା ପାଇଁ ଓସେପା ପକ୍ଷରୁ କୁହାଯାଇଛି। ଏନେଇ ଓସେପାର ନିର୍ଦେଶକ ଅନୁପମ ଶାହା ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ଦିଆଯାଇଥିବା ନିର୍ଦେଶ ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାଥମିକଠାରୁ ଉଚ୍ଚ ମାଧ୍ୟମିକ ସ୍ତର ଯାଏଁ ଅଧାରୁ ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଓସେପାକୁ ଦେବାକୁ କୁହାଯାଇଛି। ଏହା ବ୍ୟତୀତ ସେହି ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସ୍କୁଲକୁ ପଠାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା’ ଅନ୍ତର୍ଗତ କରାଯାଇଥିବା ଏକ ସର୍ଭେ ଅନୁସାରେ ସାରା ଭାରତର ଗ୍ରାମାଞ୍ଚଳରେ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତରରେ ମୋଟ ୧ ଲକ୍ଷ ୮୩ ହଜାର ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାରେ ୭ ହଜାର ୬୮୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଭାରତର ସବୁ ଜିଲ୍ଲାର ୫ ହଜାର ୧୧୮ଟି ଗାଁରେ ଏହି ସର୍ଭେ କରାଯାଇଥିଲା। ଏଥିରେ ଓଡ଼ିଶାର ପ୍ରାୟ ୩୦୦ରୁ ଅଧିକ ଗାଁ ସାମିଲ ଥିଲା।

କେନ୍ଦ୍ର ସରକାରଙ୍କ ସର୍ଭେ ମୁତାବିକ ଓଡ଼ିଶାର ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ତରରେ ୨ ହଜାର ୨୯୯ ଜଣ, ଉଚ୍ଚ ପ୍ରାଥମିକ ସ୍ତରରେ ୧ ହାଜର ୧୯୮ ଜଣ, ମାଧ୍ୟମିକ ସ୍ତରରେ ୧ ହଜାର ୪୪୬ ଜଣ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ୨ ହଜାର ୭୩୯ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜାର ୫୯୬ ଜଣ ଛାତ୍ରଛାତ୍ରୀ ପୁଣିଥରେ ସ୍କୁଲକୁ ଫେରିଥିବାବେଳେ ଏବେବି ୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହିଛି।

ସେହିପରି ଏହି ସର୍ଭେ କରାଯିବା ପରେ ଗତ ଜୁନ ମାସରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସ୍କୁଲ ପଠାଇ ସେମାନଙ୍କ ଶିକ୍ଷା ପୂରା କରିବା ପାଇଁ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟର ଶିକ୍ଷା ବିଭାଗଗୁଡ଼ିକୁ ଚିଠି ଲେଖାଯାଇଥିଲା।

ଏବେ ଓସେପା ପକ୍ଷରୁ ମଧ୍ୟ ଏହି ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ପଠାଇବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହାଫଳରେ ସେମାନେ ନିଜର ଶିକ୍ଷା ପୂରା କରିବାକୁ ସୁଯୋଗ ପାଇବେ।

Tags: #SchoolEducation #DropOutStudents #OSEPA #SMEOdisha

Comment