ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁରରେ ପହଞ୍ଚିଛନ୍ତି ଇ-ଣ୍ଡି-ଆ ମେଣ୍ଟର ସାଂସଦ। ୧୬ଟି ବିରୋଧୀ ଦଳର ୨୧ ଜଣ ସାଂସଦ ମଣିପୁର ଗସ୍ତ କରିଛନ୍ତି। ସେମାନେ ମଣିପୁରର ଚୁରାଚାନ୍ଦପୁର ସ୍ଥିତ ରିଲିଫ କ୍ୟାମ୍ପକୁ ଯାଇ ହିଂସା ପ୍ରଭାବିତ ଲୋକଙ୍କ ସହ କଥାବାର୍ତ୍ତା କରିଛନ୍ତି। ସାଂସଦମାନେ ଶନିବାର ଓ ରବିବାର ଦୁଇ ଦିନ ହିଂସାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବେ।

ଶନିବାର କଂଗ୍ରେସ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ନେତୃତ୍ୱରେ ବିରୋଧୀ ଦଳର ସାଂସଦମାନେ ଇମ୍ଫାଲ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରେ ସେମାନେ ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓକ୍ରାମ ଇବୋବି ସିଂହଙ୍କ ସହ ବୈଠକ କରିଥିଲେ। ଏହାପରେ ସାଂସଦମାନେ ସବୁଠାରୁ ଅଧିକ ହିଂସା ହୋଇଥିବା ଚୁରାଚାନ୍ଦପୁର ଜିଲ୍ଲାର ଏକ ରିଲିଫ କ୍ୟାମ୍ପକୁ ଯାତ୍ରା କରିଥିଲେ।

“ଆମେ ମଣିପୁର ହିଂସାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଭେଟିଲୁ। ଏହି ହିଂସା ସେମାନଙ୍କୁ ଅତ୍ୟନ୍ତ ଭୟଭୀତ କରିଦେଇଛି। ସେମାନେ ହିଂସା ବବାଦରେ କଥା ହେବାକୁ ବି ଡରୁଛନ୍ତି। ରାଜ୍ୟ ସରକାର ଏମାନଙ୍କର କିଛି ବିଶେଷ ସହାୟତା କରୁନାହାନ୍ତି। ମଣିପୁରରେ ଶୀଘ୍ର ଶାନ୍ତି ଫେରାଇ ଆଣିବା ପାଇଁ ଆମେ ସମସ୍ତଙ୍କୁ ନିବେଦନ କରୁଛୁ”, କହିଛନ୍ତି ଅଧୀର ରଞ୍ଜନ ଚୌଧୁରୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଆମ ଦଳ ଏବେ ଦୁଇ ଭାଗରେ ବିଭକ୍ତ ହୋଇ ମଣିପୁରର ବିଭିନ୍ନ ହିଂସାଗ୍ରସ୍ତ ଅଞ୍ଚଳକୁ ଯିବ। ଆମେ ସେ ଅଞ୍ଚଳର ପ୍ରଭାବିତ ଲୋକଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ବିଭିନ୍ନ ଅସୁବିଧା ଓ ଦାବିକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜଣାଇବୁ। ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଆମ ପକ୍ଷେ ଯାହା ସମ୍ଭବ ତାହା କରିବୁ।”

ମଣିପୁର ଗସ୍ତରେ ଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସର ଗୌରବ ଗୋଗୋଇ, ଜେଡିୟୁର ଲଲନ ସିଂହ, ଶିବସେନାର ଅରବିନ୍ଦ ସାୱନ୍ତ, ଟିଏମସିର ସୁସ୍ମିତା ଦେବ, ଡିଏମକେର କନିମୋଝୀ, ଆରଏଲଡିର ଜୟନ୍ତ ଚୌଧୁରୀ, ଆରଜେଡିର ମନୋଜ କୁମାର ଝାଙ୍କ ଭଳି ପ୍ରମୁଖ ନେତା ସାମିଲ ଅଛନ୍ତି।

ଇ-ଣ୍ଡି-ଆ ମେଣ୍ଟର ସାଂସଦମାନେ ନିଜର ଦୁଇ ଦିନିଆ ଯାତ୍ରାରେ ମଣିପୁରର ଅନ୍ୟ ରିଲିଫ କ୍ୟାମ୍ପକୁ ମଧ୍ୟ ଯିବେ। ରବିବାର ସେମାନେ ମଣିପୁରର ରାଜ୍ୟପାଳ ଅନୁସୂୟା ଉକିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Tags: #ManipurViolence #OppositionLeaders #ManipurVisit #I-N-D-I-Aalliance

 

Comment