ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଆଗକୁ ‘ଡାଇରେକ୍ଟ ଟୁ ହୋମ୍’ (ଡିଟିଏଚ୍‌) ଭଳି ‘ଡାଇରେକ୍ଟ ଟୁ ମୋବାଇଲ୍‌’ (ଡିଟୁଏମ୍‌) ଟେକ୍ନୋଲୋଜି ଲଞ୍ଚ ହେବ।

ନିକଟ ଭବିଷ୍ୟତରେ ଭାରତର ଲୋକମାନଙ୍କୁ ମୋବାଇଲରେ ଲାଇଭ ଟିଭି ଦେଖିବା ପାଇଁ ଇଣ୍ଟରନେଟର ଆବଶ୍ୟକତା ପଡ଼ିବନାହିଁ। ଦେଶରେ ‘ଡାଇରେକ୍ଟ ଟୁ ହୋମ୍’ (ଡିଟିଏଚ୍‌) ଭଳି ‘ଡାଇରେକ୍ଟ ଟୁ ମୋବାଇଲ୍‌’ (ଡିଟୁଏମ୍‌) ଟେକ୍ନୋଲୋଜି ଆସିବ। ଏଭଳି ଟେକ୍ନୋଲୋଜିର ବିକାଶ କରିବାରେ ଭାରତ ବିଶ୍ଵର ପ୍ରଥମ ଦେଶ ହେବ।

ଏହି ଡିଟୁଏମ୍‌ ଟେକ୍ନୋଲୋଜି ବ୍ରଡବ୍ୟାଣ୍ଡ୍‌ ଓ ସାଧାରଣ ପ୍ରସାରଣର ମିଳିତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବ। ଯେଉଁଭଳି ଭାବେ ମୋବାଇଲରେ ଏଫଏମ୍‌ ରେଡିଓ ବାଜୁଛି, ସେହିଭଳି ମୋବାଇଲରେ ଇଣ୍ଟରନେଟର ସଂଯୋଗ ବିନା ଟିଭି ଚାଲିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ଆଇଆଇଟି କାନପୁର ମିଳିତ ଭାବେ ଏହା ଉପରେ କାମ କରୁଛନ୍ତି।

ଏହି ଟେକ୍ନୋଲୋଜି ମାଧ୍ୟମରେ ଫୋନରେ ଥିବା ରିସିଭର ଟିଭିର ରେଡିଓ ତରଙ୍ଗକୁ ଗ୍ରହଣ କରିବ। ଏଥିପାଇଁ ୫୨୬ ରୁ ୫୮୨ ମେଗାହର୍ଜ ବ୍ୟାଣ୍ଡକୁ ବ୍ୟବହାର କରାଯିବ। ବର୍ତ୍ତମାନ ଟିଭି ପ୍ରସାରଣରେ ଏହି ବ୍ୟାଣ୍ଡର ବ୍ୟବହାର କରାଯାଉଛି।

ଅନ୍ୟପଟେ ଡିଟୁଏମ୍‌ ମଧ୍ୟମରେ ଲୋକମାନେ ନିଜ ମନ ପସନ୍ଦର ଟିଭି ଧାରାବାହିକ, ସିନେମା, ଖେଳ ଆଦି ଲାଇଭ ଦେଖିବାସହ ଜରୁରୀକାଳୀନ ସମୟରେ ସରକାରୀ ସୂଚନାର ପ୍ରସାରଣ ମଧ୍ୟ ଦେଖିପାରିବେ। ଦେଶର କୋଣ ଅନୁକୋଣରେ ତଥା ଦୁର୍ଗମ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହେବ। ଏଥିପାଇଁ ମୋବାଇଲ ନେଟୱାର୍କର ଆବଶ୍ୟକତା ରହିବ ନାହିଁ।

ବର୍ତ୍ତମାନ ଭାରତରେ କେବଳ ୨୦ରୁ ୨୨ କୋଟି ପରିବାରଙ୍କ ପାଖରେ ଟେଲିଭିଜନ ସୁବିଧା ରହିଛି। ଅନ୍ୟପଟେ ଦେଶରେ ୮୦ କୋଟିରୁ ଅଧିକ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ୨୦୨୬ ବେଳକୁ ଏହି ସଂଖ୍ୟା ୧୦୦ କୋଟି ଟପିବ। ତେଣୁ ଲୋକଙ୍କ ପାଖରେ ଶୀଘ୍ର ପାଖରେ ସୂଚନା ପହଞ୍ଚାଇବା ପାଇଁ ଡିଟୁଏମ୍‌ ବଡ଼ ମାଧ୍ୟମ ହେବ ବୋଲି ଆଶା କରାଯାଉଛି।

ପ୍ରାଥମିକପର୍ଯ୍ୟାୟରେ ଏହି ଟେକ୍ନୋଲୋଜି ମାଧ୍ୟମରେ ଦୂରଦର୍ଶନର ବିଭିନ୍ନ ଚ୍ୟାନେଲ ଓ ଅନ୍ୟାନ୍ୟ ସରକାରୀ ପ୍ରସାରଣ ଦେଖିବାକୁ ମିଳିବ। ତେବେ କେବେଠୁ ଏହି ସୁବିଧା ଉପଲବ୍ଧ ହେବ, ଏଥିପାଇଁ କେତେ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ ଏବଂ ଏଥିରେ ଅନ୍ୟ କେଉଁ ପେଡ୍ ଚ୍ୟାନେଲ ଓ ଲାଇଭ ପ୍ରସାରଣ ଦେଖିହେବ ସେ ବାବଦରେ ଏବେ କିଛି ବିଶେଷ ସୂଚନା ମିଳିନାହିଁ।

 

ତେବେ ଏହି ଟେକ୍ନୋଲୋଜି ବାବଦରେ ଆସନ୍ତା ସପ୍ତାହରେ ଟେଲିକମ୍ ଅପରେଟରମାନଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରିବେ। ସବୁଆଡ଼ୁ ବିଚାର ବିମର୍ଶ କରି ଏନେଇ ଆଗକୁ ପଦକ୍ଷେପ ନିଆଯିବ।

Tags: #DirectToMobile #D2Mtechnology #LiveTV #TVBroadcast #Mobiles

 

Comment