ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପରିବହନ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବ ଅନ୍ତର୍ଦେଶୀୟ ଜଳମାର୍ଗ।

ଓଡ଼ିଶାରେ ପରିବହନ ବ୍ୟବସ୍ଥାର ଆହୁରି ବିକାଶ ପାଇଁ ଏକ ବଡ଼ ଯୋଜନା ଆରମ୍ଭ ହୋଇଛି। କେବଳ ସଡ଼କ କିମ୍ବା ରେଳପଥ ନୁହେଁ, ଜଳପଥ ବି ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବଳ ଯୋଗାଇବ। ଏହା ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ଓ ବନ୍ଦର ମଧ୍ୟରେ ସେତୁ ଭଳି କାମ କରିବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ନ୍ୟାସନାଲ ଇନଲ୍ୟାଣ୍ଡ ୱାଟରୱେଜ୍‌ ୫ ଓ ୬୪ର କାମକୁ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିପାଇଁ ଭାରତ ସରକାରଙ୍କ ଅନୁମୋଦନ ମଧ୍ୟ  ମିଳିସାରିଛି।

ଏହି ପ୍ରକଳ୍ପ ଅଧୀନରେ ଏବେ ନ୍ୟାସନାଲ ୱାଟରୱେଜ୍‌ ୫ର କାମ ଜୋରସୋରରେ ଚାଲିଛି। ମୋଟ ୬୨୩ କିଲୋମିଟରର ଏହି ଜାତୀୟ ଜଳମାର୍ଗର ୫୩୨ କିଲୋମିଟର ଭାଗ ଓଡ଼ିଶାରେ ରହିଛି। ଏହା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ତାଳଚେରରୁ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ଯାଏଁ ୨୬୫ କିଲୋମିଟର ଜଳମାର୍ଗର ଏବେ ବିକାଶ କରାଯାଉଛି। ଏହାଦ୍ଵାରା ଧାମରା ବନ୍ଦରକୁ ଖଣିଜ ପଦାର୍ଥ ଓ ଅନ୍ୟାନ୍ୟ ମାଲ ପରିବହନ ଶୀଘ୍ର ଓ ସୁଲଭ ହେବ।

ଅନ୍ୟପଟେ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଧାମରା ପଟୁ କାମ ଆରମ୍ଭ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟରେ ବ୍ରାହ୍ମଣୀ ନଦୀରେ ଏହି ଜଳମାର୍ଗର ୧୩୧ କିଲୋମିଟର ଭାଗକୁ ଯାଜପୁର ଜିଲ୍ଲାର ଜୋକଡ଼ିଆ ଓ ପଙ୍କପାଳ ଦେଇ ତାଳଚେର ସହିତ ସଂଯୋଗ କରାଯିବ।

ଦୁଇଟି ପର୍ଯ୍ୟାୟରେ ବିକାଶ ହେବାକୁଥିବା ଏହି ଜଳମାର୍ଗ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗଳଗଡ଼ିରୁ ଧାମରା ଯାଏଁ ୨୮ କିଲୋମିଟର ଓ ମଙ୍ଗଳଗଡ଼ିରୁ ଯାଜପୁର ଜିଲ୍ଲାର ଜୋକଡ଼ିଆ ମଧ୍ୟରେ ୧୧୭ କିଲୋମିଟର ଜଳପଥର ବିକାଶ କରାଯିବ। ସେହିପରି ମଙ୍ଗଳଗଡ଼ିରୁ ପାରାଦ୍ୱୀପ ମଧ୍ୟରେ ୬୭ କିଲୋମିଟର ଜଳପଥର ବିକାଶ କରାଯାଇ ଉଭୟ ପାରାଦୀପ ଓ ଧାମରା ବନ୍ଦରକୁ ଯୋଡ଼ା ଯିବ।

ପ୍ରଥମ ପର୍ଯ୍ୟାୟ କାମ ଶେଷ ପରେ ତାଳଚେର-ଜୋକଡ଼ିଆ (୧୩୧ କିଲୋମିଟର) ମଧ୍ୟରେ ଜଳମାର୍ଗ କାମ ଆରମ୍ଭ ହେବ। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨ ହଜାର କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି। ଅନ୍ୟପଟେ ନ୍ୟାନସାଲ ୱାଟର‌ୱେଜ୍‌ ୬୪ ଅଧୀନରେ ସମ୍ବଲପୁର ଓ ପାରାଦୀପ ମଧ୍ୟରେ ଜଳପଥରେ ପରିବହନ ପାଇଁ ଆଗକୁ ପଦକ୍ଷେପ ନିଆଯିବ ବୋଲି ଯୋଜନା କରାଯାଇଛି।

କେନ୍ଦ୍ର ସରକାରଙ୍କ ପୋର୍ଟ୍ସ, ସିପିଂ ଏବଂ ୱାଟରୱେଜ୍‌ ମନ୍ତ୍ରାଳୟ ପକ୍ଷରୁ ସାଗରମାଳା ପ୍ରକଳ୍ପ ଅନ୍ତର୍ଗତ ଦେଶରେ ଅନେକ ଅନ୍ତର୍ଦେଶୀୟ ଜଳମାର୍ଗର ବିକାଶ କରାଯାଉଛି। ଏଥିରେ ଭାରତର ବିଭିନ୍ନ ରାଜ୍ୟରେ ଥିବା ନଦୀଗୁଡ଼ିକରେ ମାଲ ପରିବହନ ପାଇଁ ଜଳପଥର ନିର୍ମାଣ କରାଯାଉଛି।

ଓଡ଼ିଶାରେ ଜଳମାର୍ଗର ବିକାଶ ପାଇଁ ଇନଲ୍ୟାଣ୍ଡ ୱାଟରୱେଜ୍‌‌ ଅଥରିଟି ଅଫ୍‌‌ ଇଣ୍ଡିଆ ଆନୁକୂଲ୍ୟରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଏହି ପ୍ରକଳ୍ପ ହାତକୁ ନେବ। ଜଳପଥ ସଂଯୋଗ ହେବା ଦ୍ୱାରା କେବଳ ଶିଳ୍ପ କିମ୍ବା ଖଣି କ୍ଷେତ୍ର ନୁହେଁ, ବରଂ ପର୍ଯ୍ୟଟନ ଓ ପରିବହନ କ୍ଷେତ୍ର ମଧ୍ୟ ଲାଭଦାୟୀ ହୋଇପାରିବ।

ବିଶେଷଜ୍ଞଙ୍କ ମତରେ, ବିଶ୍ୱରେ ୭୦ ପ୍ରତିଶତ ପଣ୍ୟ ଜଳପଥରେ ପରିବହନ ହୋଇଥାଏ। ଅତୀତରେ ନୌବାଣିଜ୍ୟ ଉତ୍କଳୀୟ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ ଥିବାବେଳେ ଏବେ ପୁନର୍ବାର ସେହି ବାଣିଜ୍ୟ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାର ଶିଳ୍ପାୟନ ଜରିଆରେ ଅର୍ଥନୈତିକ ଓ ସାମାଜିକ ସମୃଦ୍ଧି ଆଣିବା ଦିଗରେ କାମ କରୁଥିବାରୁ ସୁଗମ ଜଳ ପରିବହନ ବ୍ୟବସ୍ଥା ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବ।

Tags: #InlandWaterways #WaterTransport #NationalWaterways #BrahmaniRiver #Odisha

Comment