ଓଡ଼ିଶାଲାଇଭ୍ ବ୍ୟୁରୋ

  • ପ୍ରଗତି ମଇଦାନରେ ବଢ଼ଲା ଜନଗହଳି, ସମସ୍ତଙ୍କ ପ୍ରଥମ ପସନ୍ଦ ଓଡ଼ିଶା ପାଭିଲିୟନ
  • ସାଜସଜ୍ଜା ଓ ଆୟୋଜନରେ ବିମୁଗ୍ଧ ହେଲେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ
  • ଡ଼ିଶା ପାଭିଲିୟନର ପ୍ରତ୍ୟେକ ଅଂଶ ପାଲଟିଲା ସେଲଫି ପଏଣ୍ଟ

(ନୂଆଦିଲ୍ଲୀ): ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ନଭେମ୍ବର ୧୪ ତାରିଖଠାରେ ଉଦଘାଟିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ସୋମବାର ଥିଲା ସପ୍ତମ ଦିବସ। ବାଣିଜ୍ୟିକ ଦିବସ ପରେ ରବିବାରଠାରୁ ସର୍ବସାଧାରଣଙ୍କ ପାଇଁ ଏହି ମେଳା ଉନ୍ମୁକ୍ତ ହୋଇଥିବାରୁ ପ୍ରଗତି ମଇଦାନ ପରିସର ସମେତ ଓଡ଼ିଶା ପାଭିଲିୟନରେ ପ୍ରବଳ ଜନଗହଳି ଦେଖିବାକୁ ମିଳୁଛି।

ଓଡ଼ିଶା ମଣ୍ଡପର ସୁଦୃଶ୍ୟ ସାଜସଜ୍ଜା ପାଇଁ ଏହା ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି। ଓଡ଼ିଶା ପାଭିଲିୟନ ନିର୍ମାଣର ସୂକ୍ଷ୍ମ ଓ ସୁଦୃଶ୍ୟ କାରୁକାର୍ଯ୍ୟ ସମସ୍ତଙ୍କୁ ବିମୋହିତ କରୁଛି। ବିଶେଷ କରି ପାଭିଲିୟନର ମଧ୍ୟସ୍ଥଳରେ କଳିଙ୍ଗର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ଗୌରବମୟ ସ୍ମୃତି ବହନ କରୁଥିବା ବୋଇତ ଓ ସିନ୍ଦୁକ ସମେତ ପାଭିଲିୟନ ମଧ୍ୟରେ ସ୍ଥାପିତ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତୀ ଏବଂ ବାହ୍ୟ ପାର୍ଶ୍ଵରେ ନିର୍ମିତ କୋଣାର୍କ ଚକ ଓ କୋଣାର୍କ ମନ୍ଦିର ପ୍ରତ୍ୟେକଙ୍କ ପାଇଁ ଗୋଟିଏ ଗୋଟିଏ ସେଲଫି ପଏଣ୍ଟରେ ପରିଣତ ହୋଇଛି।

ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ସୋମବାର ଦିନ ଓଡ଼ିଶା ପାଭିଲିୟନ ପରିଦର୍ଶନରେ ଆସି ଷ୍ଟଲ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏଥରର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟବସ୍ତୁ ସହିତ ଓଡ଼ିଶା ପାଭିଲିୟନର ସୁସାମଞ୍ଜସ୍ୟ ଥିବାରୁ ଏହାର ଡିଜାଇନର ଓ ଫାବ୍ରିକେଟରଙ୍କୁ ସେ ଧନ୍ୟବାଦ ଦେଇଥିଲେ।

ପାଭିଲିୟନର ଓରମାସ ଏବଂ ମିଶନ ଶକ୍ତିର ଷ୍ଟଲରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମୀଣ କାରିଗରମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଏବଂ ଟସର ବସ୍ତ୍ର ମିଳୁଥିବା ବେଳେ, ବୟନିକା ଷ୍ଟଲରେ ଓଡ଼ିଶାର ବୁଣାକାରମାନଙ୍କ ଦ୍ଵାରା ହସ୍ତତନ୍ତ ସାମଗ୍ରୀ ଏବଂ ଉତ୍କଳିକାର ଷ୍ଟଲରେ ରଘୁରାଜପୁରର ପଟ୍ଟଚିତ୍ର, କଟକର ରୂପା ତାରକସୀ, ପିପିଲି ଚାନ୍ଦୁଆ, କାଠ ଓ ପଥର ନିର୍ମିତ କାରୁକାର୍ଯ୍ୟ ମିଳୁଛି।

ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଷ୍ଟଲରେ ମିଲେଟ ଓ କନ୍ଧମାଳର ଜୈବ କୃଷିଜାତ ପଦାର୍ଥ, ଏମଏସଏମଇ ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସମେତ ତାଳ ରସରୁ ଉତ୍ପନ୍ନ ଗୁଡ଼ ଓ ଚିନି ମିଳୁଛି। କେବଳ ସେତିକି ନୁହେଁ ଜନଜାତି ଉନ୍ନୟନ ବିଭାଗ ଷ୍ଟଲରେ ଲାଞ୍ଜିଆ ସୌରାଙ୍କ ଇଡିତାଳ ଚିତ୍ର ଓ ଧାନରେ ନିର୍ମିତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ମଧ୍ୟ ରହିଛି। ଦେଶ ବିଦେଶର ବହୁ ପର୍ଯ୍ୟଟକ ପର୍ଯ୍ୟଟନ ବିଭାଗ ଷ୍ଟଲକୁ ଆସି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଇକୋ ରିଟ୍ରିଟ ସମ୍ପର୍କରେ ଜ୍ଞାନ ଆହରଣ କରୁଛନ୍ତି।

ପାଭିଲିୟନର ମଧ୍ୟଭାଗରେ ଥିବା ଓଡ଼ିଆ ସାଧବପୁଅଙ୍କ ସୁଶୋଭିତ ବୋଇତର ଡେକ ଉପରେ ନିର୍ମିତ ଦୋଳବେଦୀ ମଣ୍ଡପରେ ନିଷ୍ଠୁରତା ମୁକ୍ତ କରୁଣା ସିଲ୍କରେ ଶ୍ରୀଜଗନ୍ନାଥଙ୍କ ପାଇଁ ବୁଣା ଯାଉଥିବା ପାଟଲୁଗା ପ୍ରସ୍ତୁତିର ଲାଇଭ ଡେମୋ ସହିତ ଉତ୍କଳୀୟ ହସ୍ତକଳାର ଲାଇଭ ଡେମୋ ମଧ୍ୟ ପ୍ରଦର୍ଶନ କରାଯାଉଛି। ପାଭିଲିୟନର ଭିତର ପାର୍ଶ୍ଵ ପରି ବାହ୍ୟ ପାର୍ଶ୍ଵକୁ କୋଣାର୍କ ମନ୍ଦିର ଭାସ୍କର୍ଯ୍ୟ ଶୈଳୀରେ ନିର୍ମିତ କରାଯାଇ ସେଠାରେ ଓଡ଼ିଶାରେ ପ୍ରସ୍ତୁତ ସମସ୍ତ ହସ୍ତତନ୍ତ ବସ୍ତ୍ରର ଚିତ୍ର ଓ ପୁରୀ ସାହିଯାତରେ ବ୍ୟବହୃତ ମୁଖା ଶୋଭା ପାଉଛି। ପାଭିଲିୟନର ସମସ୍ତ ଷ୍ଟଲକୁ ଓଡ଼ିଶାର ମନ୍ଦିରରେ ଶୋଭା ପାଉଥିବା ରଘୁରାଜପୁର ପଟ୍ଟଚିତ୍ର କଳାରେ ଚିତ୍ରିତ କରାଯାଇଛି।

ନଭେମ୍ବର ୧୪ ତାରିଖରେ ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ସାର୍ବଜନୀନ ଉଦ୍ୟୋଗ ଏବଂ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୁଦୃଶ୍ୟ ଓଡ଼ିଶା ପାଭିଲିୟନ୍ ଉଦଘାଟନ କରିଥିଲେ। ନଭେମ୍ବର ୧୯ ତାରିଖରେ ଆୟୋଜିତ ଓଡ଼ିଶା ରାଜ୍ୟ ଦିବସ ଉତ୍ସବରେ ଓଡ଼ିଶା ପଞ୍ଚାୟତି ରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀକ୍ତ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଓଡ଼ିଶା ରାଜ୍ୟ ଦିବସ ଉତ୍ସବ ଅବସରରେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସ୍ଵତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା। ପରେ ଭୁବନେଶ୍ଵର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ, କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ଆଦର୍ଶ ଆଦିବାସୀ ନୃତ୍ୟକଳା ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଧରୁଆ ଜନଜାତି ସଂପ୍ରଦାୟର ବିର୍ଲି ନୃତ୍ୟ ଏବଂ ବରଗଡ଼ ବଉଳ ଝୁପା ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ଵାରା ଡାଲଖାଇ ନୃତ୍ୟ ପରିବେଷିତ ହୋଇଥିଲା। ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ଅଭିଲିପ୍ସା ପଣ୍ଡାଙ୍କ ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଓଡ଼ିଶା ପାଭିଲିୟନକୁ ଆଜି ସୁଦ୍ଧା ୭୦ ହଜାରରୁ ଊର୍ଦ୍ଧ୍ଵ ଦର୍ଶକ ଆସି ସେମାନଙ୍କ ମନପସନ୍ଦର ସାମଗ୍ରୀ କିଣିଥିବା ବେଳେ ପାଖାପାଖି ୩୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି।

Tags: #IndiaInternationalTradeFair 2023 #Odishapavilion #CultureandTraditionofOdisha #NewDelhi

Comment