ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ପହଞ୍ଚିଲେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ। ଗୁରୁବାର ଅପରାହ୍ଣରେ ତାଙ୍କ ବିମାନ ରାଜସ୍ଥାନର ଜୟପୁର ବିମାନବନ୍ଦରରେ ଅବତରଣ କରିଥିଲା। ଆସନ୍ତାକାଲି ସେ ନୂଆଦିଲ୍ଲୀରେ ୭୫ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ପୂର୍ବରୁ ସେ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ।

ଇମାନୁଏଲ ମାକ୍ରୋନ ଜୟପୁରରେ ପହଞ୍ଚିବାପରେ ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ତାଙ୍କର ସ୍ଵାଗତ କରିଥିଲେ। ଏହି ସମୟରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ।  

ଗୁରୁବାର ସନ୍ଧ୍ୟାରେ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଓ ଅନ୍ୟ ବିଦେଶୀ ଅତିଥିମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ଵାଗତ କରିବେ। ଏହାପରେ ଉଭୟ ନେତା ଜୟପୁର ସହରର ଏକାଧିକ ସ୍ଥାନ ପରିଭ୍ରମଣ କରିବେ।

ଏହାପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ। ଏଥିରେ ଭାରତ-ଫ୍ରାନ୍ସ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ସବୁଜ ଶକ୍ତି ତଥା ଅନ୍ୟାନ୍ୟ ପୁଞ୍ଜିନିବେଶ କ୍ଷେତ୍ରରେ ଚୁକ୍ତି ସ୍ଵାକ୍ଷର ହେବାର ସମ୍ଭାବନା ରହିଛି।   

ତେବେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବାରେ ଇମାନୁଏଲ୍ ମାକ୍ରୋନ ଫ୍ରାନ୍ସର ଷଷ୍ଠ ନେତା ହେବେ। ମାକ୍ରୋନଙ୍କ ପୂର୍ବରୁ ଫ୍ରାନ୍ସର ଅନ୍ୟ ୫ ଜଣ ରାଜନେତା ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇଛନ୍ତି।

Tags: #RepublicDay2024 #EmmanuelMacron #PresidentofFrance #France-IndiaRelations #NewDelhi

LEAVE A REPLY

Please enter your comment!
Please enter your name here