ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିପାରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ୩ ବର୍ଷର ଅପେକ୍ଷା ପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଗଡ଼ିବାର ସମ୍ଭାବନା ରହିଛି। ଏହାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରାଳୟର ଚୟନ କମିଟି ପକ୍ଷରୁ ତାଲିକାଭୁକ୍ତ କରାଯାଇଛି ବୋଲି ସୂଚନା ମିଳିଛି।

ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ରଘୁରାଜପୁର ପଟ୍ଟଚିତ୍ର ମାଧ୍ୟମରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରଦର୍ଶିତ ହେବ। ସମ୍ବଲପୁରୀ ଗୀତର ତାଳେତାଳେ ଏହି ମେଢ଼ ଗଡ଼ିବ।

ସାଧାରଣତନ୍ତ୍ର ଦିବସ ପ୍ୟାରେଡ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଓ ପ୍ରତିରକ୍ଷା ମନ୍ତ୍ରାଳୟର ମିଳିତ ସର୍ଭେରୁ ବିଭିନ୍ନ ରାଜ୍ୟରୁ ଆସିଥିବା ୩୩୧ଟି ମଡେଲରୁ ୨୦ଟି ମଡେଲ୍ ତାଲିକାଭୁକ୍ତ ହୋଇଛି। ଏଥିରେ ପ୍ରଜ୍ଞାପନ ମେଢ଼ ପାଇଁ ଓଡିଶାରୁ ଯାଇଥିବା ମଡେଲର ପ୍ରସ୍ତାବ ୩ ନମ୍ବର ସ୍ଥାନରେ ରହିଛି। ଏବେ ସବୁ ପ୍ରଜ୍ଞାପନ ମେଢ଼ର ଚୂଡ଼ାନ୍ତ ତାଲିକା ଆଗକୁ ପ୍ରକାଶ ପାଇବ।  

ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଜ୍ଞାପନ ମେଢ଼ ପାଇଁ ଓଡ଼ିଶାରୁ ୩ଟି ବିଷୟର ପ୍ରସ୍ତାବକୁ ଚୟନ କମିଟି ନିକଟରେ ଦାଖଲ କରାଯାଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଥିଲା। ଏଥିରେ ରଘୁରାଜପୁର ପଟ୍ଟଚିତ୍ର ବ୍ୟତୀତ ଡ୍ରିଙ୍କ ଫ୍ରମ୍ ଟ୍ୟାପ ଓ ମିଲେଟ୍ ମିଶନର ବିଷୟବସ୍ତୁ ରଖାଯାଇଥିଲା।  

ମେଢ଼ର ଚୂଡ଼ାନ୍ତ ତାଲିକା ବାହାରିବା ପରେ ଜାନୁୟାରୀ ୪ ତାରିଖରୁ ଏହି ପ୍ରଜ୍ଞାପନ ମେଢ଼ ନିର୍ମାଣ କାମ ଆରମ୍ଭ ହେବ। ଏହା ସଂପୂର୍ଣ୍ଣ ଭାବେ ନିର୍ମାଣ ହେବା ଲାଗି ୧୬ ଦିନ ସମୟ ଲାଗିବ। ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପୂର୍ବରୁ ହେବାକୁଥିବା ରିହରସଲରେ ପ୍ରଥମେ ଏହି ପ୍ରଜ୍ଞାପନ ମେଢ଼ ଗଡ଼ିବ।

Tags: #RepublicDay2024 #KartavyaPathParade #Tableau #Odisha   

Comment