ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ମଙ୍ଗଳବାର ହେବାକୁ ଯାଉଛି ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ। ଦୀର୍ଘ ସାଢ଼େ ୩ ମାସ ପରେ ଏକାଠି ହେଉଛନ୍ତି ବିରୋଧୀ ଦଳର ପ୍ରମୁଖ ନେତା। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ଓ ଅନ୍ୟାନ୍ୟ ରଣନୀତିକୁ ନେଇ ଏଠାରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଏହି ବୈଠକରେ ଇଣ୍ଡିଆ ମେଣ୍ଟରେ ସାମିଲଥିବା ୨୭ଟି ଦଳର ନେତା ଯୋଗ ଦେବେ। ଏଥିରେ କଂଗ୍ରେସରୁ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଯୋଗ ଦେବେ। ସେହିପରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଅଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ କେ ଷ୍ଟାଲିନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପ୍ରମୁଖ ଯୋଗ ଦେବେ।

ଏହାସହ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଓ ତେଜସ୍ୱୀ ଯାଦବ, ସିପିଏମ ନେତା ସୀତାରାମ ୟେଚୁରୀ, ସିପିଆଇରୁ ଡି ରାଜା, ସିପିଆଇଏମଏଲରୁ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ପିଡିପିରୁ ମେହବୁବା ମୁଫ୍ତି ପ୍ରମୁଖ ଯୋଗ ଦେବାର ସମ୍ଭାବନା ରହିଛି।

ନିକଟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ବୈଠକରେ ସମୀକ୍ଷା ହେବ ବୋଲି ଚର୍ଚ୍ଚା ହେଉଛି। ଏହିସବୁ ରାଜ୍ୟରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ସିଟ ଭାଗ ବଣ୍ଟା ନହେବା ମାମଲାକୁ ବୈଠକରେ ଅନେକ ଦଳ ଉଠାଇବାର ସମ୍ଭାବନା ରହିଛି।

ବୈଠକରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ସହ ପ୍ରତିଦ୍ଵନ୍ଦ୍ଵିତା କରିବା ପାଇଁ ହେବାକୁ ଥିବା ରଣନୀତି ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଏଥିରେ କ୍ଷେତ୍ରୀୟ ଦଳଗୁଡ଼ିକରେ ଭୂମିକା ସମ୍ବନ୍ଧରେ ଚର୍ଚ୍ଚା ହେବ ବୋଲି ଆଶା କରାଯାଉଛି।  

ଏହାପୂର୍ବରୁ ଚଳିତ ବର୍ଷ ଜୁନ ୨୩ ତାରିଖରେ ବିହାରର ପାଟନା, ଜୁଲାଇ ୧୭ ଓ ୧୮ ତାରିଖରେ ବେଙ୍ଗାଳୁରୁ ଏବଂ ଅଗଷ୍ଟ ୩୧ ତାରିଖରେ ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ୩ଟି ବୈଠକ ହୋଇସାରିଛି। ତେବେ ମେଣ୍ଟର ମୁଖ୍ୟ କିଏ ହେବ ସେ ନେଇ ଦଳଗୁଡ଼ିକ ଏକମତ ହୋଇନଥିବାବେଳେ ମଙ୍ଗଳବାର ବୈଠକରେ ଏ ବାବଦରେ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି।     

Tags: #INDIAAlliance #OppositionParties #2024GeneralElections #Politics #India

Comment