ଓଡ଼ିଶାଲାଇଭ୍ ବ୍ୟୁରୋ

ଚାରିବର୍ଷ ପରେ ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ। ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ନୟାଗଡ଼ ଜିଲ୍ଲା ସ୍ଵତନ୍ତ୍ର ଶିଶୁ ଅଦାଲତ। ଏହା ସହ ଦୋଷୀକୁ ୬ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ରହିଛି। ୨୦୨୦ ମସିହାରେ ପରୀ ମାମଲା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା।

ପରୀ ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ ହୋଇଥିବା ସରୋଜ ସେଠୀ ନାବାଳକ ହୋଇଥିବାରୁ ତାକୁ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଯଦି ଦୋଷୀ ସାବାଳକ ହୋଇଥାନ୍ତା ତାକୁ ସର୍ବାଧିକ ଫାଶୀ ଦଣ୍ଡ ଦିଆଯାଇଥାନ୍ତା ବୋଲି ସରକାରୀ ଓକିଲ ଚିତ୍ତରଞ୍ଜନ କାନୁନଗୋ କହିଛନ୍ତି। ବର୍ତ୍ତମାନ ଦୋଷୀକୁ ୨୧ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସୁଧାର ଗୃହରେ ରଖାଯିବ। ୨୧ ବର୍ଷ ପୂର୍ଣ୍ଣ ହେବା ପରେ ତାକୁ ଜେଲକୁ ପଠାଯିବ ବୋଲି ଚିତ୍ତରଞ୍ଜନ କାନୁନଗୋ କହିଛନ୍ତି।

୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଗାଁର ୫ ବର୍ଷର ପରୀ ନିଜ ଘର ସାମ୍ନାରେ ଖେଳୁଥିଲା। କିଛି ସମୟ ପରେ ପରୀକୁ ଦେଖିବାକୁ ପାଇନଥିଲେ ପରିବାର ଲୋକେ। ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପରୀର କୌଣସି ସନ୍ଧାନ ମିଳିପାରି ନଥିଲା। ପରୀ ନିଖୋଜ ହେବା ନେଇ ପରିବାର ଲୋକ ନୟାଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହି ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେବା ପରେ କ୍ରାଇମ ବ୍ରାଞ୍ଚକୁ ଏହାର ତଦନ୍ତ ଭାର ଦିଆଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ ତଦନ୍ତ ଆରମ୍ଭ ହୋଇଥିଲା। ପରୀ ନିଖୋଜ ଘଟଣାର ୧୦ ଦିନ ପରେ ଏକ ଅଖା ବସ୍ତାରୁ ପରୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସରୋଜ ସେଠୀକୁ ଗିରଫ କରାଯାଇଥିଲା।

Tags: #PariMurderCase #Nayagarh #ChildrenCourt #Judgement Odisha

LEAVE A REPLY

Please enter your comment!
Please enter your name here