ପୁଷ୍ପମିତ୍ର ମହାନ୍ତି

ଆଦାନୀ ଗ୍ରୁପକୁ ପୁଣି ଲାଗିଛି ବଡ଼ ଝଟକା। ହିଣ୍ଡେନବର୍ଗ ଅଭିଯୋଗର ନିଆଁ ଲିଭିନଥିବାବେଳେ ଏବେ ଆଉ ଏକ ସମସ୍ୟା ମଧ୍ୟକୁ ଟାଣି ହୋଇଛି ଗ୍ରୁପ୍। ୨୬୫ ନିୟୁତ ଡଲାର ଲାଞ୍ଚ କାରବାର ଅଭିଯୋଗରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଓ ଅନ୍ୟ ୬ ଜଣ ବ୍ୟକ୍ତିଙ୍କ ବିରୋଧରେ ଆମେରିକାର ନ୍ୟୁୟର୍କ ସ୍ଥିତ ଫେଡେରାଲ ଅଦାଲତରେ ମାମଲା ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଦାନୀ ଗ୍ରୁପର ଏକାଧିକ କମ୍ପାନିର ଷ୍ଟକ୍ ମୂଲ୍ୟ ବହୁ ମାତ୍ରାରେ ତଳକୁ ଖସି ଯାଇଛି।   

ଭାରତରେ ରାଷ୍ଟ୍ରାୟତ୍ତ କମ୍ପାନି ସୋଲାର ଏନର୍ଜି କର୍ପୋରେସନ ଅଫ୍ ଇଣ୍ଡିଆ (ଏସଇସିଆଇ) ସହ ସୌର ଶକ୍ତି ଚୁକ୍ତି ହାସଲ କରିବା ଉଦ୍ଦେଶ୍ୟରେ ଆଦାନୀ ଗ୍ରୁପ୍ ୨୬୫ ମିଲିୟନ ଡଲାର ବା ପ୍ରାୟ ୨୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଆଦାନୀ ଗ୍ରୁପ୍ ଏବଂ ଏହାର ଅଂଶୀଦାର କମ୍ପାନି ଆଜୁର ପାୱାର ପକ୍ଷରୁ ୨୦୨୦ରୁ ୨୦୨୪ ମଧ୍ୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କୁ ଏହି ଲାଞ୍ଚ ଦିଆଯାଇଥିବା କୁହାଯାଇଛି।

ଅଭିଯୋଗରେ ଦର୍ଶାଯାଇଛି ଯେ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକ ସହିତ ବିଦ୍ୟୁତ କ୍ରୟ ଚୁକ୍ତି (ପିପିଏ) ସୁରକ୍ଷିତ ରଖିବା ପାଇଁ ଏହି ଲାଞ୍ଚ କାରବାର ହୋଇଥିଲା। ଯାହାକି କମ୍ପାନିଗୁଡ଼ିକର ସୌର ଶକ୍ତି ପ୍ରକଳ୍ପର ସଫଳତା ପାଇଁ ଜରୁରୀ ଥିଲା। ଏହି ପ୍ରକଳ୍ପଗୁଡ଼ିକରୁ ଆନୁମାନିକ ମୂଲ୍ୟ ୨ ବିଲିୟନ ଡଲାର ହେବ। ଏହି ପ୍ରକଳ୍ପ ବଳରେ ଆମେରିକୀୟ ନିବେଶକଙ୍କଠାରୁ କମ୍ପାନୀ ନିବେଶ ହାସଲ କରିଥିବା ମାମଲାରେ କୁହାଯାଇଛି।  

ଏହି ମାମଲାରେ ଗୌତମ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କ ବ୍ୟତୀତ ଆଜୁର ପାୱାରର ପୂର୍ବତନ ସିଇଓ ରଣଜିତ ଗୁପ୍ତା ଏବଂ କମ୍ପାନୀର ପୂର୍ବତନ ସିଇଓ ରୂପେଶ ଅଗ୍ରୱାଲଙ୍କ ନାମ ମଧ୍ୟ ରହିଛି। ଏହାସହ ଗ୍ରୁପ୍ ସହ ଜଡ଼ିତ ବିନୀତ ଜୈନ, ସୌରଭ ଅଗ୍ରୱାଲ ଓ ଦୀପକ ଅଗ୍ରୱାଲଙ୍କ ବିରୋଧରେ ମଧ୍ୟ ମାମଲାରେ ନାଁ ଉଲ୍ଲେଖ ରହିଛି।  

ଅଭିଯୋଗ ଅନୁସାରେ ପ୍ରଥମେ ଏସଇସିଆଇ ନିଜେ ଉତ୍ପାଦନ କରିବାକୁ ଥିବା ସୌର ଶକ୍ତି ପାଇଁ କ୍ରେତା ଖୋଜିବାକୁ ସଂଘର୍ଷ କରୁଥିଲା। ଫଳରେ ଆଦାନୀ ଗ୍ରୁପ୍ ଓ ଆଜୁର ପାୱାର ବିଭିନ୍ନ ରାଜ୍ୟର ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକୁ ‘ଏସଇସିଆଇ’ଠାରୁ ବିଦ୍ୟୁତ୍ କିଣିବାକୁ ବାଧ୍ୟ କରିବା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି।

ଆମେରିକୀୟ ପ୍ରସିକ୍ୟୁଟରଙ୍କ କହିବା ଅନୁଯାୟୀ, ଏକ ଜଟିଳ ନେଟୱାର୍କ ଜରିଆରେ ଏହି ଲାଞ୍ଚ ଦିଆଯାଉଥିଲା। ଆଦାନୀ ଗ୍ରୁପ୍ ଏବଂ ଆଜୁର ପାୱାର ଏହି ଲାଞ୍ଚ ଦେୟକୁ ପରସ୍ପର ମଧ୍ୟରେ ବିଭାଜିତ କରିଥିଲେ। ଲାଞ୍ଚ ରାଶିର ପରିମାଣ ପ୍ରାୟ ୨୬୫ ନିୟୁତ ଡଲାର ରହିଥିଲା। ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆନ୍ଧ୍ରପ୍ରଦେଶର ଅଧିକାରୀମାନଙ୍କୁ ଦିଆଯାଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି।

ଏହି ଦୁଇ କମ୍ପାନି ସେମାନଙ୍କ କାର୍ଯ୍ୟକଳାପକୁ ଲୁଚାଇବା ପାଇଁ କୋଡ୍ ନାମ ଏବଂ ଏନକ୍ରିପ୍ଟେଡ୍ ମେସେଜିଂ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଉଦାହରଣ ସ୍ୱରୂପ ଗୌତମ ଆଦାନୀଙ୍କୁ ‘ନୁମେରୋ ୟୁନୋ’ ବା ‘ଦି ବିଗ୍ ମ୍ୟାନ୍’ ବୋଲି କୁହାଯାଉଥିଲା।

ଏହି ଦୁର୍ନୀତି କାରବାର ଉଭୟ ଭାରତୀୟ ଏବଂ ଆମେରିକାର ସ୍ୱାର୍ଥସହିତ ଜଡ଼ିତ। ଆମେରିକୀୟ ଆଇନ ଅନୁସାରେ ଗ୍ରୁପ୍ ସହ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାଏର କରାଯାଇପାରିବ।  

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୌର ଶକ୍ତି ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇବାରେ ସାହାଯ୍ୟ କରିଥିବା ଆମେରିକୀୟ ବ୍ୟାଙ୍କ ଏବଂ ନିବେଶକଙ୍କ ସହ ଆଦାନୀ ଗ୍ରୁପର ସମ୍ପର୍କ ଏହି ମାମଲାର କେନ୍ଦ୍ରବିନ୍ଦୁ ଥିଲା। ଅଭିଯୋଗରେ ଆଜୁର ପାୱାର ସହ ଜଡିତ ଏକ କମ୍ପାନି ବୋଲି ଦର୍ଶାଯାଇଥିବା ‘ୟୁଏସ ଇସ୍ୟୁଅର’ ଏହି ଲାଞ୍ଚ ଯୋଜନା ବିଷୟରେ ଅବଗତ ନଥିଲେ, ଯାହାକୁ ଏହାର ନିର୍ଦ୍ଦେଶକ ମଣ୍ଡଳୀଠାରୁ ଲୁଚାଇ ରଖାଯାଇଥିଲା।

ଆଦାନୀ ଗ୍ରୁପ୍ ସହ ଜଡ଼ିତ ଅନ୍ୟ ଏକ ଦୁର୍ନୀତି ପରେ ଏହି ମାମଲା ଏବେ ସାମ୍ନାକୁ ଆସିଛି। ଉଲ୍ଲେଖଯୋଗ୍ୟ, ୨୦୨୩ ମସିହାରେ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଏକ ରିପୋର୍ଟ ପ୍ରକାଶ କରି କମ୍ପାନି ଉପରେ ଷ୍ଟକ ହେରଫେର ଓ ଆକାଉଣ୍ଟିଂ ଠକେଇ ଅଭିଯୋଗ ଆଣିଥିଲା। ଏହି ରିପୋର୍ଟ ସେୟାର  ବଜାରରେ ଝଡ଼ ସୃଷ୍ଟି କରିଥିଲା ଏବଂ ଆଦାନୀ ଗ୍ରୁପର ବଜାର ମୂଲ୍ୟରୁ ୧୫୦ ବିଲିୟନ ଡଲାର ଉଡ଼ି ଯାଇଥିଲା।  

ଏହି ନୂତନ ଆଇନଗତ ଲଢ଼େଇ ଆରମ୍ଭ ହେବା ପରେ ଆଦାନୀ ଗ୍ରୁପ୍ ବିପଦର ସମ୍ମୁଖୀନ ହୋଇଛି। ଏହି ମାମଲା ପରେ ବିଭିନ୍ନ ବିଶ୍ୱ ନିୟାମକ ସଂସ୍ଥା ଆଦାନୀ କମ୍ପାନୀର ବ୍ୟବସାୟିକ ଅଭ୍ୟାସକୁ ଯାଞ୍ଚ କରିବାର ସମ୍ଭାବନା ରହିଛି।

Also read

ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ସାମ୍ରାଜ୍ୟ ଟଳମଳ (odisha.live)

ଆଦାନୀଙ୍କ ପାଇଁ ସଂସଦରେ ହଙ୍ଗମା, ଯୁଗ୍ମ ସଂସଦୀୟ କମିଟି ଦାବି କଲେ ବିରୋଧୀ (odisha.live)

Tags: #AdaniGroup #BriberyCase #USStateDept #India #USA

LEAVE A REPLY

Please enter your comment!
Please enter your name here