ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବିଗତ ବର୍ଷଠାରୁ ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାରେ ବଢ଼ିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା। ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ପରେ ଏହି ସୂଚନା ମିଳିଛି।
ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ ଏବଂ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସାଲକୋ ମୁର୍ମୁଙ୍କ ସୂଚନା ଅନୁସାରେ ଗତ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଦ୍ରୁତଗତିରେ ଗାଡ଼ି ଚାଳନା ପାଇଁ ୪,୪୭୨ଟି ମାମଲା ରୁଜୁ ହୋଇଥିବାବେଳେ ବିନା ହେଲମେଟରେ ଗାଡ଼ିଚାଳନା ଜନିତ ୧,୮୬୩ଟି, ବିନା ସିଟବେଲ୍ଟରେ ଗାଡ଼ି ଚାଳନା ଜନିତ ୬୦୯ଟି, ମୋବାଇଲ ଫୋନ ବ୍ୟବହାର କରି ଗାଡ଼ି ଚାଳନା ଜନିତ ୧୨୬ଟି, ମଦ୍ୟପାନ କରି ଗାଡ଼ି ଚାଳନା ୧୧୩ଟି ଏବଂ ଓଭରଲୋଡିଂ ଜନିତ ୪୬ଟି ମାମଲା ଆଞ୍ଚଳିକ ପରିବହନ ପକ୍ଷରୁ ରୁଜୁ କରାଯାଇଛି ଏବଂ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସେହିପରି ପୋଲିସ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ବିନା ହେଲମେଟରେ ଗାଡ଼ି ଚାଳନା ଜନିତ ୨୫୭୯ଟି, ଭୁଲ ପାର୍କିଙ୍ଗ ଜନିତ ୫୩୯ଟି, ବିନା ସିଟବେଲ୍ଟ ପିନ୍ଧି ଗାଡ଼ି ଚାଳନା ଜନିତ ୩୪୫ଟି, ମୋବାଇଲ ଫୋନ ବ୍ୟବହାର କରି ଗାଡ଼ି ଚାଳନା ଜନିତ ୩୪୬ଟି, ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ୧୬୪ଟି ମାମଲା ରୁଜୁ ହୋଇଥିବାବେଳେ ୪୯୪ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି।
ଜିଲ୍ଲାରେ ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ଅଧିକ ରହିଛି। ୨୦୨୩ ମସିହାରେ ୧୬୨ଟି ଦୁର୍ଘଟଣା ମାମଲା ଥିବାବେଳେ ୮୨ ଜଣଙ୍କର ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇଛି। ଚଳିତ ବର୍ଷ ଦୁର୍ଘଟଣା ମାମଲା ୧୩୩କୁ ଖସି ଆସିଥିଲେ ମୃତ୍ୟୁ ସଂଖ୍ୟା ବଢ଼ିଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସଡ଼କ ଦୁର୍ଘଟଣା ଯୋଗୁଁ ୯୫ ଜଣଙ୍କର ମୃତ୍ୟୁ ହୋଇଛି।
ବୈଠକରେ ଆଞ୍ଚଳିକ ପରିବହନ ଏବଂ ଜିଲ୍ଲା ପୋଲିସ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟର ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଜିଲ୍ଲାରେ ମଦ୍ୟପାନ କରି ଗାଡ଼ି ଚଳନାକୁ ରୋକିବା ପାଇଁ ସ୍ପେସାଲ ଡ୍ରାଇଭି, ସପ୍ରାଇଜ ଚେକଂ ଏବଂ ପୋଲିସ-ଆରଟିଓ ଜଏଣ୍ଟ ଏନଫୋର୍ସମେଣ୍ଟ ଗଠନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ମଧୁସ୍ମିତା ସାମନ୍ତରାୟ ଯୋଗ ଦେଇଥିଲେ।
Tags: #RoadAccident #AccidentalDeath #Mayurbhanj #Odisha