ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୧ରୁ ପୁଣିଥରେ ଆରମ୍ଭ ହେବ ଟ୍ରାଫିକ ଧରପଗଡ଼। ଏହା ଶୁଣିବା ପରେ ରାଜଧାନୀରେ ଥିବା ଦୁଇଟି ଆରଟିଓ ଅଫିସରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଡିସେମ୍ଵର ୧ରୁ ପୂର୍ବ ଭଳି ପୁଣି ଗାଡ଼ି କାଗଜ ପତ୍ର ସହ ବେପରୁଆ ଗାଡ଼ି ଚାଳକଙ୍କ ପ୍ରତି କଠୋର ହେବ ଟ୍ରାଫିକ।
ତିନି ମାସର ବ୍ୟବଧାନ ପରେ ଟ୍ରାଫିକ୍ ନିୟମ ପୁଣି କଡ଼ାକଡ଼ି ପାଳନ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଥିଲେ। ଏହାପରେ ଯେଉଁ ଲୋକ ନିଜ କାଗଜପତ୍ର ଠିକ୍ କରିନାହାନ୍ତି ସେମାନେ ଛାନିଆ ହୋଇ ତାଙ୍କର କାଗଜପତ୍ର ଠିକ୍ କରିବାକୁ ଆରଟିଓରେ ଲାଇନ୍ ଲଗାଇଛନ୍ତି। ଯେଉଁ ଲୋକମାନେ ନିଜର ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ୍ ନମ୍ବର କରିନାହାନ୍ତି ସେମାନେ ଆରଟିଓ ଅଫିସରେ ଲମ୍ବା ଲାଇନ୍ ଲଗାଇଥିବା ଦେଖିବାକୁ ମିଳିଛି।
ଗତ ସେପ୍ଟେମ୍ବର ୧ ତାରିଖରେ ସାରା ଭାରତରେ ନୂଆ ମୋଟର ଯାନ ଆଇନ୍ ଲାଗୁ ହୋଇଥିଲା। ଏହାପରେ ଲୋକମାନେ ଟ୍ରାଫିକ୍ ନିୟମ ଉଲଂଘନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଥିଲା। ଯାହାକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ମୁଖ୍ୟମନ୍ତ୍ରୀ ଏଥିପାଇଁ ୩ ମାସ ଟ୍ରାଫିକ୍ ନିୟମ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ତିନି ମାସର ମହଲତ ନଭେମ୍ବର ୩୦ରେ ଶେଷ ହେଉଛି। ଏହାପରେ ଡିସେମ୍ବର ୧ରୁ ପୁଣିଥରେ କଡ଼ାକଡ଼ି ଭାବେ ଟ୍ରାଫିକ୍ ନିୟମ ପାଳନ କରାଯିବ।