ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିଷ ଶରୀରର ଆଖି ଗୋଟିଏ ମୁଖ୍ୟ ଅଙ୍ଗ। ବିନା ଆଖିରେ ମଣିଷ ସାଧାରଣ ଜୀବନରେ ବଞ୍ଚିବା ବଡ଼ ମୁସ୍କିଲ ହୋଇଯାଇଥାଏ। ତେବେ ବର୍ତ୍ତମାନ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ବିଭିନ୍ନ ପ୍ରକାର ଚକ୍ଷୁ ସମସ୍ୟା ଦେଖିବାକୁ ମିଳୁଛି। ବିଶେଷକରି ବୟସ୍କ ଲୋକମାନଙ୍କ ପାଖରେ ଚକ୍ଷୁ ସମସ୍ୟା ଅଧିକ ଦେଖାଦିଏ। ଏହାର କେମିତି ନିରାକରଣ କରାଯିବ ସେ ସମ୍ପର୍କରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ ବିଭିନ୍ନ ପରାମର୍ଶ ଦେଇଛନ୍ତି।
‘‘ବର୍ତ୍ତମାନ ବୟସ୍କ ଲୋକମାନଙ୍କ ପାଖରେ ଚକ୍ଷୁ ସମସ୍ୟା ଦେଖିବାକୁ ମିଳୁଛି। ଯଦି ସଠିକ୍ ସମୟରେ ଚିକିତ୍ସା କରାଯିବ ତେବେ ଜଣେ ଲୋକ ସାରାଜୀବନ ପାଇଁ ନିଜର ଦୃଷ୍ଟିଶକ୍ତି ହରାଇବାରୁ ବଞ୍ଚିତ ହେବ’’, ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବୟସ୍କ ଲୋକମାନେ ଆଜିକାଲି ମୋତିଆବିନ୍ଦୁ ଯୋଗୁଁ ନିଜର ଦୃଷ୍ଟିଶକ୍ତି ହରାଇବାକୁ ଲାଗିଛନ୍ତି। ଏହାସହ ମଧୁମେହ ରୋଗ କାରଣରୁ ମଧ୍ୟ ଲୋକମାନେ ଦୃଷ୍ଟିହୀନ ଜନିତ ସମସ୍ୟା ଭୋଗୁଛନ୍ତି। ତେଣୁ ଏସବୁ ସମସ୍ୟାର ସଠିକ୍ ସମୟରେ ଚିକିତ୍ସା ହେବା ଉଚିତ। ଯଦି ଚିକିତ୍ସା ନହୁଏ ତେବେ ଜଣେ ଲୋକ ସବୁଦିନ ପାଇଁ ନିଜର ଦୃଷ୍ଟିଶକ୍ତି ହରାଇଥାଏ। ତେଣୁ ଏସବୁ ପ୍ରତି ଲୋକମାନେ ବେଶ୍ ସଚେତନ ହେବା ଦରକାର।
ଚକ୍ଷୁର ଶୁଷ୍କତା ରୋଗ କ’ଣ?
ଯେଉଁ ଲୋକମାନଙ୍କ ଆଖିରେ ହଠାତ ବାଲି ପଡିଲା ଭଳି ଲାଗୁଛି, ଆଖିରେ ଜଳାପୋଡ଼ା ହେଉଛି କିମ୍ବା ଆଖିରେ ପାଣି ଜମିଲା ଭଳି ଲାଗୁଛି ତେବେ ଏସୁବ ଚକ୍ଷୁର ଶୁଷ୍କତା ହୋଇପାରେ। ଚକ୍ଷୁର ଶୁଷ୍କତା ମଧ୍ୟ ଗୋଟିଏ ପ୍ରକାରର ଚକ୍ଷୁରୋଗ। ବର୍ତ୍ତମାନ ଯୁବବର୍ଗ ଅଧିକ ମାତ୍ରାରେ ଲାପଟପ୍, ମୋବାଇଲ୍ ଆଦି ଦେଖିବା ଦ୍ୱାରା ଚକ୍ଷୁରେ ଏହି ସମସ୍ୟା ଦେଖାଦେଉଛି ବୋଲି ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ କହିଛନ୍ତି।
ଏହାସହ ବର୍ତ୍ତମାନର ଦୂଷିତ ପରିବେଶ ଏବଂ ଏସି ରୁମ୍ରେ ଲାପଟପ୍କୁ ଅଧିକ ସମୟ ଚାହିଁ ରହିବା ମଧ୍ୟ ଶୁଷ୍କତା ରୋଗର ଆଉ ଏକ କାରଣ ବୋଲି କହିଛନ୍ତି ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟନାରାୟଣ।
ଦୃଷ୍ଟିଶକ୍ତି କମିବାର ଲକ୍ଷଣ ଓ ଚିକିତ୍ସା
୫୦ ବର୍ଷ ପରେ ଅଧିକାଂଶ ବୟସ୍କ ଲୋକଙ୍କ ଆଖିକୁ ଧୁଆଁଳିଆ, ମେଘୁଆ କିମ୍ବା କୁହୁଡ଼ିଆ ଦେଖାଯାଇଥାଏ। ଏହା ଦୃଷ୍ଟିଶକ୍ତି କମିବା ବା ମୋତିଆ ବିନ୍ଦୁର ପ୍ରଥମ ଲକ୍ଷଣ। ଏହାସହ ଆଖିରେ ଲାଇଟ୍ ପଡ଼ି ଆଖିକୁ ହଠାତ୍ ନଦେଖାଯିବା ମଧ୍ୟ ମୋତିଆ ବିନ୍ଦୁର ଆଉ ଏକ କାରଣ।
ସେହିପରି ଯଦି ପରିବାରର କୌଣସି ବୟସ୍କ ଲୋକଙ୍କ ଆଖିରେ ଯନ୍ତ୍ରଣା ହେଉଛି, ଆଖିରେ ପାଣି ପାଣି ବାହାରୁଛି କିମ୍ବା ଆଖି ହଠାତ୍ ଲାଲ୍ ପଡୁଛି ଏସବୁ ଦୃଷ୍ଟିଶକ୍ତି କମ୍ ହେବା ଜନିତ ଗୋଟିଏ ଗୋଟିଏ ଲକ୍ଷଣ ବୋଲି କହିଛନ୍ତି ଚକ୍ଷୁ ରୋଗ ବିଶେଷଜ୍ଞ। ଏଥିପାଇଁ ପରିବାର ଲୋକ ସଚେତନ୍ ହେବା ଦରକାର। ତୁରନ୍ତ ସେମାନଙ୍କୁ ଚକ୍ଷୁ ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇ ଚିକିତ୍ସା କରିବା ଦରକାର। ଆଜିକାଲି ମେଡିକାଲରେ ଲେଜର ଚିକିତ୍ସା ତଥା ଅନ୍ୟ ଅତ୍ୟାଧୁନିକ ଚିକିତ୍ସା ସାହାଯ୍ୟରେ ବୟସ୍କ ଲୋକମାନଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ସୁସ୍ଥ ଆଖି ଦିଆଯାଇପାରିବ ବୋଲି କହିଛନ୍ତି ଡାକ୍ତର ସୂର୍ଯ୍ୟନାରାୟଣ ପଟ୍ଟନାୟକ।
୬ ମାସରେ ବଦଳାନ୍ତୁ ଚଷମା
୫୦ବର୍ଷ ବୟସ ପର୍ଯ୍ୟନ୍ତ ଲୋକମାନେ ସାଧାରଣତ ତିନି କିମ୍ବା ଚାରି ବର୍ଷ ଅନ୍ତରରେ ଚଷମା ବଦଳାଇଥାନ୍ତି। ତେବେ ଏହାପରେ ଯଦି ବୟସ୍କ ଲୋକଙ୍କ ଆଖିରେ ମୋତିଆବିନ୍ଦୁ ହୁଏ, ତେବେ ସେମାନଙ୍କୁ ୬ ମାସ ବ୍ୟବଧାନରେ ଥରେ ଚଷମା ବଦଳାଇବା ଦରକାର। ଯଦି ଠିକ୍ ସମୟରେ ଚଷମା ନବଦଳାଯାଏ ତେବେ ସେମାନଙ୍କର ଆଖି ଜନିତ ଆହୁରି ଅନେକ ସମସ୍ୟା ଦେଖିବାକୁ ମିଳିବ।
ଖାଆନ୍ତୁ ସବୁଜ ପନିପରିବା
ଚକ୍ଷୁ ସମସ୍ୟାର ସମାଧାନ ପାଇଁ ଡାକ୍ତର ସୂର୍ଯ୍ୟନାରାୟଣ ପଟ୍ଟନାୟକ ବିଭିନ୍ନ ପ୍ରକାର ସୁବଜ ପନିପରିବା ଖାଇବାକୁ ପରାମର୍ଶ ଦେଇଛନ୍ତି। ଏହାସହ ଆଖିକୁ ଶକ୍ତି ଯୋଗାଉଥିବା ଖାଦ୍ୟପଦାର୍ଥ ବହୁଳଭାବେ ଖାଇବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।