ଓଡ଼ିଶାଲାଇଭ୍‍ ବ୍ୟୁରୋ

  • ଲୋକସଭାରେ ଆଲୋଚନା ହେଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ
  • କେନ୍ଦ୍ରକୁ ଘେରିଲେ ବିଜେଡି ଏମ୍‌ପି
  • କେନ୍ଦ୍ର ସରକାର ନିଜ ଆଇନ୍‌କୁ ନିଜେ ଉଲ୍ଲଂଘନ କରୁଛନ୍ତି: ବିଜେଡି
  • ଛତିଶଗଡ-ଓଡ଼ିଶା ସରକାର ଆଲୋଚନା କରିବାକୁ କହିଲେ କେନ୍ଦ୍ରମନ୍ତ୍ରୀ ଗଡକାରୀ
  • ୩ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ହେବାର ଆଶ୍ୱାସନା ଦେଲେ ଗଡକାରୀ

ମହାନଦୀ ଟ୍ରିବ୍ୟୁନାଲ କାହିଁକି ଗଠନ ହେବ ନାହିଁ? କେନ୍ଦ୍ର ସରକାର ଜାଣିଶୁଣି ଓଡ଼ିଶା ପ୍ରତି ଅବିଚାର କରୁଛନ୍ତି। ଆନ୍ତଃରାଜ୍ୟ ଜଳବଣ୍ଟନ ନିୟମକୁ କେନ୍ଦ୍ର ସରକାର ଉଲ୍ଲଂଘନ କରୁଛନ୍ତି। ଏମିତି ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଗୁରୁବାର ଟାର୍ଗେଟ କରିଥିଲେ ବିଜେଡି ଏମ୍‌ପି।

ବିଜେଡି ଏମ୍‌ପିଙ୍କ ଏହି ପ୍ରଶ୍ନବାଣରେ ହୁଲ୍‌ସ୍ତୁଲ୍‌ ହୋଇଥିଲା ଲୋକସଭା। ଜଣକ ପରେ ଜଣେ ଏମ୍‌ପି ପ୍ରଶ୍ନବାଣରେ କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ। ଶେଷରେ କେନ୍ଦ୍ର ସଡ଼କ ପରିବହନ, ଜଳ ସମ୍ପଦ ଏବଂ ନଦୀ ଉନ୍ନୟନ ମନ୍ତ୍ରୀ ନିତୀନ ଗଡକାରୀ ଟ୍ରିବୁନାଲ ଉପରେ ମତ ରଖିଥିଲେ। ୩ ମାସ ମଧ୍ୟରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେବ ବୋଲି ଗଡକାରୀ ଆଶ୍ୱାସନା ଦେଇଛନ୍ତି।

ମହାନଦୀ ଟ୍ରିବ୍ୟୁନାଲ ଗଠନ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତିରେ ଝଡ଼ ଉଠିଥିଲା। ରାଜ୍ୟ ସରକାର ବିସ୍ତୃତ ତଥ୍ୟ ଦେଇ ନପାରିବାରୁ ଟ୍ରିବ୍ୟୁନାଲ ଗଠନ ଅସମ୍ଭବ ବୋଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରାଳୟ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଏହାକୁ ବିଜେଡି ବିରୋଧ କରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଏକ କାଉଣ୍ଟର ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରିଥିଲା।

ସଂସଦର ଶୀତକାଳୀନ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା। ଗୁରୁବାର ଏହି ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ହୋଇଛି। ଆଲୋଚନାରେ ବିଜେଡି ଏମ୍‌ପିମାନେ ଭାଗନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି।

ସାଂସଦ କଳିକେଶନାରାୟଣ ସିଂହଦେଓ କହିଛନ୍ତି, “କେନ୍ଦ୍ର ସରକାର ନିଜ ଆଇନକୁ ନିଜେ ଉଲ୍ଲଂଘନ କରୁଛନ୍ତି। ଆନ୍ତଃରାଜ୍ୟ ଜଳ ବିବାଦ ନିୟମ ୧୯୫୬ ଅନୁଯାୟୀ, ଅଭିଯୋଗର ବର୍ଷକ ମଧ୍ୟରେ କେନ୍ଦ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ।”

“କେନ୍ଦ୍ର ସରକାର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଚାଲୁଛି କି? ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାର ଆଇନ୍‌ ଉଲ୍ଲଂଘନ କରିଛନ୍ତି”, କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ।

ବିଜେଡିର ଏହି ଅଭିଯୋଗ ଉପରେ ଗଡ଼କାରୀ ମତ ରଖିଛନ୍ତି। କହିଛନ୍ତି, “ବିବାଦର ସମାଧାନ ପାଇଁ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ଏକାଠି ବସି ଆଲୋଚନା କରିବା ଦରକାର। ଏହାସହ ଓଡ଼ିଶାର ଏକ ପ୍ରତିନିଧି ଦଳ ମୋତେ ଭେଟି ଆଲୋଚନା କରନ୍ତୁ। ଯଦି କିଛି ସମାଧାନର ରାସ୍ତା ନବାହାରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ।”

ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଛନ୍ତି। କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here